କରୋନାରେ ଚାଲିଗଲେ ପୂର୍ବତନ କ୍ରିକେଟର ଓ ବିସିସିଆଇ ମ୍ୟାଚ୍ ରେଫରୀ ରାଜେନ୍ଦ୍ରସିଂହ ଜାଡେଜା | News Room Odisha

କରୋନାରେ ଚାଲିଗଲେ ପୂର୍ବତନ କ୍ରିକେଟର ଓ ବିସିସିଆଇ ମ୍ୟାଚ୍ ରେଫରୀ ରାଜେନ୍ଦ୍ରସିଂହ ଜାଡେଜା

ରାଜକୋଟ: ସୌରାଷ୍ଟ୍ରର ପୂର୍ବତନ ଦ୍ରୁତ ବୋଲର ଓ ବିସିସିଆଇ ମ୍ୟାଚ୍ ରେଫରୀ ରାଜେନ୍ଦ୍ରସିଂହ ଜାଡେଜାଙ୍କ କୋଭିଡ୍‌ରେ ପରଲୋକ ହୋଇଯାଇଛି । ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା ।

ଜାଡେଜା ସୌରାଷ୍ଟ୍ର ପକ୍ଷରୁ ୫୦ ପ୍ରଥମ ଶ୍ରେଣୀ ଏବଂ ୧୧ ଲିଷ୍ଟ-ଏ ମ୍ୟାଚ୍ ଖେଳିଥିଲେ । ସେ ପ୍ରଥମ ଶ୍ରେଣୀ କ୍ରିକେଟରେ ୧୩୪ ଏବଂ ଲିଷ୍ଟ-ଏରେ ୧୪ ୱିକେଟ୍ ନେଇଥିଲେ । ଜାଡେଜା ମଧ୍ୟ ପ୍ରଥମଶ୍ରେଣୀ ମ୍ୟାଚ୍‌ରେ ୧୫୩୬ ରନ୍ ଓ ଲିଷ୍ଟ-ଏରେ ୧୦୪ ରନ୍ କରିଥିଲେ ।

ଅବସର ପରେ ସେ ବିସିସିଆଇର ମ୍ୟାଚ୍ ରେଫରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ରେଫରୀ ଭାବେ ଜାଡେଜା ୫୩ ପ୍ରଥମ ଶ୍ରେଣୀ ମ୍ୟାଚ୍ ଓ ୧୮ ଲିଷ୍ଟ-ଏ ମ୍ୟାଚ୍ ପରିଚାଳନା କରିଥିଲେ । ଏହାଛଡା ସେ ୩୪ ଟି୨୦ ମ୍ୟାଚରେ ମଧ୍ୟ ରେଫରୀ ଦାୟିତ୍ୱ ତୁଲାଇଥିଲେ । ଜାଡେଜା ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନର ଚୟନକର୍ତ୍ତା, କୋଚ୍‌, ଟିମ୍ ମ୍ୟାନେଜର ଭଳି ପଦ ସମ୍ଭାଳିଥିଲେ ।

ଜାଡେଜାଙ୍କ ବିୟୋଗରେ ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ ତଥା ବିସିସିଆଇର ପୂର୍ବତନ ସମ୍ପାଦକ ନିରଞ୍ଜନ ଶାହା ଏବଂ ସୌରାଷ୍ଟ୍ର କ୍ରିକେଟ୍ ସଂଘ ସଭାପତି ଜୟଦେବ ଶାହା ଶୋକ ପ୍ରକାଶ କରିଛନ୍ତି । ରାଜେନ୍ଦ୍ରସିଂହଙ୍କ ବିୟୋଗ କ୍ରିକେଟ୍ ଜଗତ ପାଇଁ ଏକ ବଡ଼ କ୍ଷତି ବୋଲି ଜୟଦେବ କହିଛନ୍ତି ।