ଅତି ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଲା ‘ତୌକତେ’, ଗୁଜରାଟ ପାଇଁ ୟେଲୋ ଆଲର୍ଟ | News Room Odisha

ଅତି ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଲା ‘ତୌକତେ’, ଗୁଜରାଟ ପାଇଁ ୟେଲୋ ଆଲର୍ଟ

ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ତୌକତେ’ ଉଗ୍ର ହେଉଛି । ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ‘ତୌକତେ’ ଏବେ ଅତି ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି ଏବଂ ଗୁଜରାଟ ଉପକୂଳ ଆଡକୁ ମାଡ଼ି ଆସୁଛି ।

‘ତୌକତେ’ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ଗତିକରି ଗୁଜରାଟ ଉପକୂଳର ନିକଟତର ହେଉଛି । ଏହି ସାମୁଦ୍ରିକ ଝଡ଼ ମଙ୍ଗଳବାର ସକାଳେ (ମେ ୧୮) ଗୁଜରାଟର ପୋରବନ୍ଦର ଏବଂ ମହୁବା ମଧ୍ୟରେ ସ୍ଥଳଭାଗ ଛୁଇଁବ । ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଗୁଜରାଟ ଏବଂ ଡାମନ-ଡିଉ ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ୟେଲୋ ଆଲର୍ଟ ଜାରି କରଯାଇଛି ।

ଆଇଏମ୍‌ଡି ପକ୍ଷରୁ କୁହାଯାଇଛି ଯେ, ମେ ୧୮ରେ ‘ତୌକତେ’ ସ୍ଥଳଭଗର ନିକଟତର ହେବା ବେଳକୁ ଘଣ୍ଟା ପ୍ରତି ୧୫୦-୧୭୫ ବେଗରେ ପବନ ବହିବା ସମ୍ଭାବନା ରହିଛି । ଏହି ସମୟରେ ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଗୋଆର ଉପକୂଳବର୍ତ୍ତୀ ଅଞ୍ଚଳରେ ୭୦-୮୦ ବେଗରେ ପବନ ବହିପାରେ ।

ବାତ୍ୟା ‘ତୌକତେ’ ପ୍ରଭାବରେ ଆଜି ସକାଳୁ ଗୋଆ ଓ କର୍ଣ୍ଣାଟକର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଓ ପବନ ହୋଇଛି । ଗୋଆର ଅନେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟି ଓ ଗଛ ଉପୁଡ଼ି ପଡିବାରୁ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଛି । କର୍ଣ୍ଣାଟକରେ ଗଛପଡ଼ି ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।