ମନୋବଳ ମଜବୁତ କରୁଛନ୍ତି ମୁଖ୍ୟମନ୍ତ୍ରୀ | News Room Odisha

ମନୋବଳ ମଜବୁତ କରୁଛନ୍ତି ମୁଖ୍ୟମନ୍ତ୍ରୀ

କରୋନା ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀ କେବଳ ଯେ ରାଜ୍ୟର ଶାସନ ମୁଖ୍ୟ ଭାବେ ନିଜ ଦାୟିତ୍ବ ବା କର୍ତ୍ତବ୍ୟକୁ ସୂଚାରୁ ରୂପେ ତୁଲାଉଛନ୍ତି ତା ନୁହେଁ । ବରଂ ସମଗ୍ର ଓଡ଼ିଶାବାସୀଙ୍କୁ ନିଜ ପରିବାର ବିଚାର କରି ତାହାର ମୁଖିଆ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାମାରୀ ବିରୋଧରେ ଲଢେଇ ପାଇଁ ସମସ୍ତଙ୍କ ମନୋବଳ ମଧ୍ୟ ଦୃଢ଼ କରିବାରେ ଲାଗିଛନ୍ତି । ନିକଟରେ ଏହାର ଆଉ ଏକ ନଜିର ଦେଖିବାକୁ ମିଳିଥିଲା। ବିଶ୍ବ ସେବିକା ଦିବସରେ ମୁଖ୍ୟମନ୍ତ୍ରୀ କରୋନା ମୁକାବିଲାରେ ନିଜକୁ ସମ୍ପୂର୍ଣ୍ଣ ତତ୍ପରତାର ସହ ନିୟୋଜିତ କରିଥିବା ନର୍ସମାନଙ୍କ ମନୋବଳ ମଜବୁତ କରିବା ଉଦ୍ଦେଶ୍ୟରେ ନର୍ସଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା କରିଥିଲେ। ନିଜ ଘର ପରିବାରକୁ ପଛରେ ପକାଇ ଯେତେବେଳେ ସେବିକାମାନେ ପ୍ରତ୍ୟକ୍ଷ ଭାବେ କରୋନା ପଜିଟିଭଙ୍କ ଚିକିତ୍ସାରେ ଉତ୍ସର୍ଗୀକୃତ ଭାବେ ସେବା କରି ଚାଲିଛନ୍ତି, ସେତେବେଳେ ପରିବାରର ମୁଖିଆ, ରାଜ୍ୟର ମୁଖିଆ ଭାବେ ଧନ୍ୟବାଦ ଜଣାଇ କୃତଜ୍ଞତା ଜ୍ଞାପନ କରିବା ସହ ସେମାନଙ୍କ ମନୋବଳକୁ ଦ୍ବିଗୁଣିତ କରିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ। ଏହା ନିଶ୍ଚିତ ଭାବେ ସେବିକା ସମାଜକୁ ଉତ୍ସାହିତ କରିଛି, କୋଭିଡ୍- ୧୯ ବିରୋଧୀ ସଂଗ୍ରାମରେ ସେମାନଙ୍କୁ ଅଧିକ ବଳ ଯୋଗାଇଛି।

ନମସ୍କାର ମାଆ, ଆପଣ ଭଲ ଅଛନ୍ତି… ଆଜି ଆପଣ ଜାଣିଛନ୍ତି ଇଣ୍ଟରନ୍ୟାସନାଲ ନର୍ସସ ଡେ… ମୁଁ ଆପଣମାନଙ୍କୁ ବହୁତ ବହୁତ ବଧାଇ ଦେଉଛି। ସବୁ ନର୍ସମାନଙ୍କୁ ବହୁତ ବହୁତ ବଧାଇ… ଆପଣମାନେ ଏତେ କାମ କରୁଛନ୍ତି, କୋଭିଡ୍ ସମୟରେ ଆପଣମାନଙ୍କୁ ବହୁତ ବହୁତ ବଧାଇ… ଅନ୍ୟ ନର୍ସମାନଙ୍କୁ ମଧ୍ୟ କହି ଦିଅନ୍ତୁ ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି। ଅଭିନନ୍ଦନ ଜଣାଉଛି… ଧନ୍ୟବାଦ।

ଏ ଥିଲା ମେ ୧୨ ତାରିଖ ବିଶ୍ୱ ସେବିକା ଦିବସରେ କିମସ୍ କୋଭିଡ୍ ହସ୍‌ପିଟାଲର ଷ୍ଟାଫ୍ ନର୍ସ ପ୍ରିୟଦର୍ଶିନୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସିଧାସଳଖ ଫୋନ୍ ବାର୍ତ୍ତାଳାପର କିଛି ଅଂଶ। ଏହିଭଳି ଅନେକ ନର୍ସଙ୍କ ସହ ଆଲୋଚନା କରି ସେମାନଙ୍କୁ ମାଆ ସମ୍ବୋଧନ କରି, ସେମାନଙ୍କ ନିଷ୍ଠାପର ସେବାକୁ ସ୍ବୀକୃତି ପ୍ରଦାନ ପୂର୍ବକ କୃତକୃତ୍ୟ କରାଇଛନ୍ତି ମୁଖ୍ୟମନ୍ତ୍ରୀ। ନ୍ୟୁଜରୁମଓଡିଶା.କମକୁ ମିଳିଥିବା ଏକ ଅଡିଓ କ୍ଲିପରୁ ଏହା ସ୍ପଷ୍ଟ ଯେ ମୁଖ୍ୟମନ୍ତ୍ରୀ କିଭଳି ସେବିକା ସମାଜକୁ ଅଧିକ ପ୍ରୋତ୍ସାହିତ କରୁଛନ୍ତି। ସେବିକା ଦିବସର ଶୁଭେଚ୍ଛା ଜଣାଇବା ସହ ସେମାନେ କିଭଳି ରାଜ୍ୟ ପାଇଁ, ମାନବ ସମାଜ ପାଇଁ ମହତ୍ତ୍ୱପୂର୍ଣ୍ଣ କାମ କରି ଆସୁଛନ୍ତି ତାହା ପ୍ରକାଶ କରିଥିଲେ। ସେମାନଙ୍କ ନିଃସ୍ୱାର୍ଥପର ସେବା ସକାଶେ ନିଜ ତରଫରୁ କୃତଜ୍ଞତା ଜ୍ଞାପନ କରିଥିଲେ ନବୀନ ପଟ୍ଟନାୟକ।

ତେବେ ଏହା ପ୍ରଥମ ଥର ନୁହେଁ ଯେତେବେଳେ ମୁଖ୍ୟମନ୍ତ୍ରୀ କରୋନା ସଙ୍କଟ ସମୟରେ ନିଜ ରାଜ୍ୟବାସୀଙ୍କ ମନୋବଳ ମଜବୁତ କରିବା ପାଇଁ ସିଧାସଳଖ ସେମାନଙ୍କ ସହ ଫୋନ୍ ଯୋଗେ, ଭିଡିଓ କନ୍‌ଫରେନ୍ସ ଜରିଆରେ ଆଲୋଚନା କରିଛନ୍ତି। ସେମାନଙ୍କ ସୁଖଦୁଃଖ ବୁଝିଛନ୍ତି, ସେମାନଙ୍କୁ ଏକଜୁଟ୍ ହୋଇ ମହାମାରୀ ବିରୋଧରେ ଲଢିବାକୁ ଆହ୍ବାନ ଦେଇଛନ୍ତି। ସେମାନଙ୍କ ସହ ସବୁ ସମୟରେ ସେ ସାଥିରେ ରହିଥିବା ଦର୍ଶାଇଛନ୍ତି। ଅନେକ ଥର ମୁଖ୍ୟମନ୍ତ୍ରୀ କେତେବେଳେ ସରପଞ୍ଚଙ୍କ ସହ ଆଲୋଚନା କରିଛନ୍ତି ତ କେତେବେଳେ ଟ୍ବିଟର୍ ଯୋଗେ ସରକାରୀ ଅଧିକାରୀ କରିଥିବା ଉଲ୍ଲେଖନୀୟ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରି ସେମାନଙ୍କ ଆତ୍ମବିଶ୍ୱାସକୁ ଅଧିକ ଉଚ୍ଚା କରିଛନ୍ତି। ପୂର୍ବରୁ ମଧ୍ୟ କରୋନା ରୋଗୀ ହୁଅନ୍ତୁ ବା ମହାମାରୀ କବଳରୁ ମୁକ୍ତ ହୋଇଥିବା କୋଭିଡ୍ ଯୋଦ୍ଧା ହୁଅନ୍ତୁ ସେମାନଙ୍କ ସହ ଆଲୋଚନା କରି ସେମାନଙ୍କୁ ସାହାସ ଦେଇଛନ୍ତି। ଏକାଧିକ ଥର ପ୍ଲାଜମା ଦାନ କରି ଗୁରୁତର କୋଭିଡ୍ ରୋଗୀଙ୍କୁ ଆରୋଗ୍ୟ ହେବାରେ ସହାୟକ ହୋଇଥିବା ଜନପ୍ରତିନିଧି, ସ୍ବେଚ୍ଛାସେବୀ, ପୁଲିସ କର୍ମଚାରୀଙ୍କୁ ସେ ସାବାସୀ ଜଣାଇଛନ୍ତି। କରୋନା ମହାମାରୀ ବିରୋଧରେ ବିଭିନ୍ନ ଉପାୟରେ ଜନସଚେତନତା ସୃଷ୍ଟି କରିଥିବା ପ୍ରଶାସନିକ ଅଧିକାରୀଙ୍କୁ ପ୍ରଶଂସିତ କରିଛନ୍ତି ସେମାନଙ୍କ ମୁଖିଆ ନବୀନ ପଟ୍ଟନାୟକ। ମୋଟାମୋଟି ଭାବେ ଏତିକି କହିହେବ ଯେ- ସର୍ବଦା ରାଜ୍ୟବାସୀଙ୍କ ସୁଖଦୁଃଖରେ ସେମାନଙ୍କ ସହ ଠିଆ ହେବାର ଅନ୍ତରଙ୍ଗ ଭାବ ସୃଷ୍ଟି କରିବାରେ ମଧ୍ୟ ନବୀନ ବାବୁ ଅଗ୍ରଣୀ ରହିଛନ୍ତି । ସେଥିପାଇଁ ତ ଆଜି ଆମ ରାଜ୍ୟ କୋଭିଡ୍ ବିରୋଧୀ ସଂଗ୍ରାମରେ ସାରା ଦେଶ ଓ ବିଶ୍ୱରେ ଉଦାହରଣ ସୃଷ୍ଟି କରି ଚାଲିଛି।

Chief Minister Naveen PatnaikCOVID-19 PandemicOdisha