ନାରଦ ଷ୍ଟିଙ୍ଗ୍ ଏଡିଟରଙ୍କ ପ୍ରଶ୍ନ, ଶୁଭେନ୍ଦୁ ଅଧିକାରୀଙ୍କୁ କାହିଁକି ଗିରଫ କରାଯାଇ ନାହିଁ? | News Room Odisha

ନାରଦ ଷ୍ଟିଙ୍ଗ୍ ଏଡିଟରଙ୍କ ପ୍ରଶ୍ନ, ଶୁଭେନ୍ଦୁ ଅଧିକାରୀଙ୍କୁ କାହିଁକି ଗିରଫ କରାଯାଇ ନାହିଁ?

ନୂଆଦିଲ୍ଲୀ: ନାରଦ ଷ୍ଟିଙ୍ଗ୍ ମାମଲାରେ ମମତା ବାନାର୍ଜୀ ସରକାରର ଦୁଇ ମନ୍ତ୍ରୀ ଏବଂ ଜଣେ ବିଧାୟକଙ୍କ ଗିରଫଦାରୀ ନେଇ ପୁଣି ଶାସକ ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ଚାରି ବର୍ଷ ପୁରୁଣା ମାମଲାରେ ସିବିଆଇ ସୋମବାର ରାଜ୍ୟର ଦୁଇ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀ ଏବଂ ଫରିହାଦ୍ ହାକିମ୍‌ଙ୍କ ସହ ବିଧାୟକ ମଦନ ମିତ୍ରଙ୍କୁ ଗିରଫ କରିଥିଲା । ତେବେ ଯେଉଁ ବ୍ୟକ୍ତି ନାରଦ ଷ୍ଟିଙ୍ଗ୍ ଅପରେସନ୍ କରିଥିଲେ ସେ ଏହି ମାମଲାରେ ସିିବିଆଇର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି । ଏହି ଷ୍ଟିଙ୍ଗ୍ ଅପରେସନ୍ କରିଥିବା ନାରଦ ନ୍ୟୁଜ୍ ପୋର୍ଟାଲର ଏଡିଟର ମାଥ୍ୟୁ ସାମୁଏଲ କହିଛନ୍ତି ଯେ, ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ମଧ୍ୟ ଲାଞ୍ଚ ନେଉଥିବା ପ୍ରମାଣ ଥିଲା । ତଥାପି ତାଙ୍କୁ ସିବିଆଇ ଗିରଫ ନ କରିବା ଆଶ୍ଚର୍ଯ୍ୟ ଜନକ ।

ସିବିଆଇ ଯେଉଁ ଚାରି ନେତାଙ୍କୁ ଗିରଫ କରିଛି ସାମୁଏଲ୍ସ ସେଥିରେ ଖୁସି ବ୍ୟକ୍ତ କରିଛନ୍ତି । ଚାରି ବର୍ଷ ପରେ ଏହି ମାମଲାରେ ସିବିଆଇ ଚାର୍ଜସିଟ୍ ପ୍ରସ୍ତୁତ କରିଛି । ଏହା ଭଲ କଥା । କିନ୍ତୁ ଶୁଭେନ୍ଦୁଙ୍କ ବିରୋଧରେ ମଧ୍ୟ ପ୍ରମାଣ ଥିଲା । ତାଙ୍କୁ ମଧ୍ୟ ଗିରଫ କରାଯିବାର ଥିଲା ବୋଲି ସାମୁଏଲ୍ସ କହିଛନ୍ତି ।

୨୦୧୬ରେ ବିଧାନସଭା ନିର୍ବାଚନ ପୂର୍ବରୁ ନାରଦ ନ୍ୟୁଜ୍ ଏକ ଭିଡିଓ ଜାରି କରିଥିଲା, ଯେଉଁଥିରେ ତୃଣମୂଳ କଂଗ୍ରେସର ଅନେକ ନେତା ଏକ ଛଦ୍ମ କମ୍ପାନୀ ପ୍ରତି ନୀତି କୋହଳ କରିବା ଲାଗି ଲାଞ୍ଚ ନେଉଥିଲେ । ଏହି ଘଟଣା ସେତେବେଳେ ପଶ୍ଚିମବଙ୍ଗ ରାଜନୀତିରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଶୁଭେନ୍ଦୁ ଅଧିକାରୀ ସେତେବେଳେ ମମତା ସରକାରର ଜଣେ ମନ୍ତ୍ରୀ ଓ ତାଙ୍କର ଘନିଷ୍ଠ ସହଯୋଗୀ ଥିଲେ । ୨୦୨୧ ବିଧାନସଭା ନିର୍ବାଚନ ପୂର୍ବରୁ ଶୁଭେନ୍ଦୁ ଟିଏମ୍‌ସି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ।