ଅକ୍ଲାନ୍ତ ପରିଶ୍ରମକୁ ବିଶ୍ୱ ମାନ୍ୟତା | News Room Odisha

ଅକ୍ଲାନ୍ତ ପରିଶ୍ରମକୁ ବିଶ୍ୱ ମାନ୍ୟତା

ସେ ଓଡ଼ିଶା ହକିକୁ ନୂଆ ଦିଗରେ ଆଗେଇ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ଓଡ଼ିଶା ହକିର ଭିତ୍ତିଭୂମିକୁ ବିଶ୍ୱ ଦରବାରରେ ଶୀର୍ଷ ସ୍ଥାନରେ ପହଞ୍ଚାଇଛନ୍ତି। ଏଥିପାଇଁ ତାଙ୍କ ପ୍ରୟାସକୁ ଯେତେ ପ୍ରଶଂସା କଲେ ମଧ୍ୟ ହୁଏତ କମ୍ ହେବ। ସେଥିପାଇଁ ତ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କୁ ତାଙ୍କ ପ୍ରଚେଷ୍ଟାର ସ୍ଵୀକୃତି ସ୍ଵରୂପ ସମ୍ମାନଜନକ ସଭାପତି ପୁରସ୍କାର (ପ୍ରେସିଡେଣ୍ଟସ୍ ଆୱାର୍ଡ) ପ୍ରଦାନ କରିଛି ଇଣ୍ଟରନ୍ୟାସନାଲ୍ ହକି ଫେଡେରେସନ୍। ୪୭ତମ ଏଫ୍ଆଇଏଚ୍ (ଭର୍ଚୁଆଲ) କଂଗ୍ରେସ ଅବସରରେ ଏହି ଘୋଷଣାକୁ ସ୍ଵାଗତ କରି ଭି.କାର୍ତ୍ତିକେୟନ୍ ପାଣ୍ଡିଆନ୍‌ଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛି ହକି ଇଣ୍ଡିଆ। ଓଡ଼ିଶାରେ ହକିର ଉନ୍ନତି ପାଇଁ ପାଣ୍ଡିଆନଙ୍କ ଅବଦାନ ସକାଶେ ଏହି ଆୱାର୍ଡକୁ ସୁଯୋଗ୍ୟ ସ୍ବୀକୃତି ବୋଲି ଦର୍ଶାଇଛି ଅନ୍ତର୍ଜାତୀୟ ହକି ସଙ୍ଗଠନ। ଏହା ଆମ ରାଜ୍ୟ ପାଇଁ ଅତ୍ୟନ୍ତ ଗୌରବର ବିଷୟ।

ଓଡ଼ିଶାରେ ହକି ସତେ ଯେମିତି ଘର ଖୋଜି ପାଇଛି। ୨୦୧୪ରେ ଚାମ୍ପିଅନ୍ସ ଟ୍ରଫି, ୨୦୧୭ରେ ବିଶ୍ୱ ଲିଗ୍, ୨୦୧୮ରେ ପୁରୁଷ ବିଶ୍ବ କପ୍, ୨୦୧୯ରେ ଏଫଆଇଏଚ୍ ମେନସ୍ ସିରିଜ ଫାଇନାଲ୍‌ସ ଓ ଅଲିମ୍ପିକ୍ସ ହକି କ୍ବାଲିଫାଏର, ୨୦୨୦ରେ ପ୍ରୋ-ଲିଗ୍‌ ଭଳି ଗୁରୁତ୍ବପୂର୍ଣ୍ଣ ପ୍ରତିଯୋଗିତା ଓଡ଼ିଶାରେ ଆୟୋଜିତ ହୋଇସାରିଛି। କେବଳ ଏତିକି ନୁହେଁ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ଯାହା ୫ ବର୍ଷ ପାଇଁ ଜାତୀୟ ହକି ଦଳର ପ୍ରାୟୋଜକ ଦାୟିତ୍ବ ନିର୍ବାହ କରୁଛି। ମୋଟାମୋଟି ଭାବେ ଆମ ରାଜ୍ୟ ଭାରତୀୟ ହକିକୁ ତାର ହୃତଗୌରବ ଫେରାଇ ଆଣିବା ପାଇଁ ଏକ ଉନ୍ନତ ପ୍ଲାଟ୍‌ଫର୍ମ ଯୋଗାଇ ଦେଇଛି। କେବଳ ଏକାଧିକ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନ ନୁହେଁ, ବରଂ ହକି ପାଇଁ ବିଶ୍ୱସ୍ତରୀୟ ଭିତ୍ତିଭୂମି ମଧ୍ୟ ସୃଷ୍ଟି କରାଇ ପାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଭୁବନେଶ୍ୱର ହେଉ କି ସୁନ୍ଦରଗଡ଼, ରାଉରକେଲା ଅଥବା ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲାର ଛତ୍ରପୁର… ସବୁ ଜାଗାରେ ହକି ଖେଳ ଓ ଖେଳାଳିଙ୍କ ପାଇଁ ଅନ୍ତର୍ଜାତୀୟମାନର ଭିତ୍ତିଭୂମି ଛିଡ଼ା କରାଇ ପାରିଛନ୍ତି ରାଜ୍ୟ ସରକାର।

ଓଡ଼ିଶା ମାଟିରେ ହକି ସମେତ ବିଭିନ୍ନ କ୍ରୀଡ଼ାକୁ ବିକଶିତ କରିବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟିକୁ ବାସ୍ତବ ରୂପ ଦେବାରେ ତାଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନଙ୍କ ଭୂମିକା ମହତ୍ତ୍ବପୂର୍ଣ୍ଣ ରହି ଆସିଛି। ଯେତେବେଳେ ମଧ୍ୟ ଓଡ଼ିଶାରେ କୌଣସି ବଡ଼ ଟୁର୍ଣ୍ଣାମେଣ୍ଟ ଆୟୋଜନ କଥା ଉଠିଛି ତାହାକୁ କିଭଳି ସୂଚାରୁ ରୂପେ ସମ୍ପନ୍ନ କରାଯାଇ ପାରିବ ସେହି ପ୍ରକ୍ରିୟାରେ ପାଣ୍ଡିଆନ୍ ଓତଃପ୍ରତଃ ଭାବେ ଜଡ଼ିତ ରହି ଆସିଛନ୍ତି। ଖେଳ ପାଇଁ ଅତ୍ୟାଧୁନିକ ପଡ଼ିଆରୁ ଆରମ୍ଭ କରି ଖେଳାଳିଙ୍କ ରହଣୀ, ଯାତାୟାତ, ଖାଦ୍ୟପେୟ ଆଦି ବିଶ୍ୱସ୍ତରୀୟ ସୁବିଧା ସୁଯୋଗ ଯୋଗାଇଦେବା, ଏପରିକି ଖେଳାଳିଙ୍କୁ ପ୍ରୋତ୍ସାହିତ କରିବାକୁ ଷ୍ଟାଡିୟମ୍‌ରେ ଦର୍ଶକଙ୍କ ବିପୁଳ ସମାଗମ କରାଇବା ଭଳି ସମସ୍ତ ଦିଗକୁ ଟିକିନିଖି ରୂପେ ତଦାରଖ କରି ତାହାକୁ ସଫଳ କରାଇବାରେ ୫-ଟି ସଚିବଙ୍କ ପ୍ରୟାସ ଯେ ଗୁରୁତ୍ବପୂର୍ଣ୍ଣ ତାହା ଅସ୍ବୀକାର କରିହେବନି। ଯେତେବେଳେ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କଥା ଉଠିଥିଲା, ସେତେବେଳେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶରେ ତାଙ୍କ ବ୍ୟକ୍ତିଗତ ସଚିବ ନିଜେ ହକି ଷ୍ଟାଡିୟମର ପ୍ରଗତି ଅନୁଧ୍ୟାନ କରି ପ୍ରସ୍ତୁତି ପ୍ରକ୍ରିୟାକୁ ତ୍ବରାନ୍ବିତ କରିଥିଲେ।

ଭୁବନେଶ୍ୱର ଏବେ କଳିଙ୍ଗ ଷ୍ଟାଡିୟମ୍ ପାଇଁ କେବଳ ଆମ ଦେଶରେ ନୁହେଁ, ବିଶ୍ୱରେ ମଧ୍ୟ ସୁନାମ ଅର୍ଜନ କରିଛି। ଆଉ ଏହି ଷ୍ଟାଡିୟମକୁ ବିଶ୍ବସ୍ତରୀୟ କରିବାରେ ପାଣ୍ଡିଆନ୍‌ଙ୍କ ପରିଶ୍ରମ ବେଶ୍ ଅଧିକ। ଜଣେ ଖେଳାଳି ଯେଭଳି ନିଜ ଖେଳ ପଡ଼ିଆ ବା ଅଭ୍ୟାସ ସ୍ଥଳକୁ ସବୁଠୁ ଅଧିକ ଭଲ ପାଏ, ସେହିପରି ରାଜ୍ୟର ବିକାଶ ପ୍ରକ୍ରିୟାକୁ ନିଜ କାର୍ଯ୍ୟ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ କରି ନେଇଥିବା ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କାର୍ତ୍ତିକେୟନ୍ ଏହି ଷ୍ଟାଡିୟମକୁ ଅଦ୍ବିତୀୟ କରି ତୋଳିବାରେ କୌଣସି କୂଟା ଖିଅକୁ ମଧ୍ୟ ଛାଡ଼ିନଥିଲେ। ଷ୍ଟାଡିୟମ୍‌ର ସମ୍ପୂର୍ଣ୍ଣ ନବକଳେବର କରାଇବାରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ଶତ ପ୍ରତିଶତ ବାସ୍ତବତାର ସହ କାର୍ଯ୍ୟକାରୀ କରାଇବାରେ ପାଣ୍ଡିଆନ୍ ଓ ତାଙ୍କ ଟିମର ପ୍ରଚେଷ୍ଟା ସର୍ବଦା ପ୍ରଶଂସନୀୟ ରହି ଆସିଛି। ୨୦୧୮ ବିଶ୍ବ କପ୍ ହକିର ସଫଳ ଆୟୋଜନରେ କଳିଙ୍ଗ ଷ୍ଟାଡିୟମ୍ ଉନ୍ନତ ଭିତ୍ତିଭୂମି ବେଶ୍ ସହାୟକ ହୋଇପାରିଥିଲା।

ଅତୀତ ଛାଡ଼ନ୍ତୁ, ଭବିଷ୍ୟତ କଥା ଦେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ଭି.କେ.ପାଣ୍ଡିଆନ୍‌ଙ୍କ ଯୋଡ଼ିର ଭିଜନ୍ ସ୍ପଷ୍ଟ ଜଣାପଡେ। ୨୦୨୩ରେ ପ୍ରସ୍ତାବିତ ବିଶ୍ୱ କପ୍ ହକି ରାଉରକେଲାର ବିର୍ସା ମୁଣ୍ଡା ଇଣ୍ଟରନ୍ୟାସନାଲ ହକି ଷ୍ଟାଡିୟମ୍‌ରେ ଖେଳାଯିବ ଯାହା ହେଉଛି ଆମ ଦେଶର ସର୍ବବୃହତ୍ ହକି ଭେନ୍ୟୁ। ଏବେ ଏହି ଷ୍ଟାଡିୟମର ବିକାଶ ଉପରେ ଯଥାସମ୍ଭବ ଗୁରୁତ୍ଵ ଦେଇ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ଓ ତାଙ୍କ ବ୍ୟକ୍ତିଗତ ସଚିବ। ଓଡ଼ିଶାରେ କ୍ରୀଡ଼ାର ପ୍ରଗତି ନେଇ ମୁଖ୍ୟମନ୍ତ୍ରୀଙ୍କ ସୁଦୂରପ୍ରସାରୀ ଯୋଜନାରେ ସଠିକ୍ ସ୍ଥାନ ପାଉଛି ୨୦୨୩ ବିଶ୍ବକପ୍ ଓ ସୁନ୍ଦରଗଡ଼ର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍। ରାଜ୍ୟ ସରକାରଙ୍କ ଏହା ଆଉ ଏକ ସଫଳତା ଯେ ୨୦୧୮ ପରେ ଦ୍ବିତୀୟ ଥର ବିଶ୍ୱ କପ୍ ହକି ଆୟୋଜନ ସକାଶେ ଅନ୍ତର୍ଜାତୀୟ ହକି ଫେଡେରେସନ୍ ଓଡ଼ିଶାକୁ ସୁଯୋଗ ପ୍ରଦାନ କରିଛି।

କେବଳ ରାଜ୍ୟର ରାଜଧାନୀ ନୁହେଁ, ବରଂ ହକି ଖେଳର ଆଦ୍ୟସ୍ଥଳ ରାଉରକେଲାକୁ ବିଶ୍ଵ କପ୍ ହକିକୁ ନେଇଯିବାକୁ ଏହା ସୃଷ୍ଟି କରିଛି ଏକ ଅନୁପମ ସୁଯୋଗ। ଅଗଷ୍ଟ ୨୦୨୨ ସୁଦ୍ଧା ଟର୍ଫ ପିଚ୍ ଓ ଷ୍ଟାଡିୟମକୁ ପ୍ରସ୍ତୁତ କରିବାକୁ ଯୋଜନା ରଖାଯାଇଛି। କିଛି ପ୍ରାକ୍- ବିଶ୍ୱ କପ୍ ମ୍ୟାଚ୍ ଆୟୋଜନ ପାଇଁ ମଧ୍ୟ ଲକ୍ଷ୍ୟ ରହିଛି। ୧୫ ଏକର ଜାଗାରେ ୧୨୦ କୋଟି ବ୍ୟୟରେ ୨୦ ହଜାର ଦର୍ଶକ କ୍ଷମତା ସମ୍ବଳିତ ଏହି ଷ୍ଟାଡିୟମ୍ କାମ କରୋନା ମହାମାରୀ ସତ୍ତ୍ବେ ଯେଭଳି ନିର୍ଦ୍ଧାରିତ ସମୟ ସୁଦ୍ଧା ଅଗ୍ରଗତି କରିବ ତାହା ଉପରେ ନଜର ରଖି ଆସିଛନ୍ତି ୫-ଟି ସଚିବ ପାଣ୍ଡିଆନ୍। ସେହିପରି ବିଶ୍ୱ କପକୁ ଦୃଷ୍ଟିରେ ରଖି ବିମାନ ବନ୍ଦର, ହୋଟେଲ୍ ଆଦି ସୁବିଧାକୁ ମଧ୍ୟ ବିକଶିତ କରାଯାଉଛି। ଏହା ଯେ କିଛି ଦୃଢ଼ ମନୋବଳ ସହ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିବିଶେଷଙ୍କ ନିଷ୍ଠାର ପରିଣାମ ବିନା ଆଉ କିଛି ନୁହେଁ ଯେ ଓଡ଼ିଶା ବିଶ୍ୱ ହକି ମାନଚିତ୍ରରେ ଏବେ ଉଜ୍ଜ୍ବଳ ତାରକା ସଦୃଶ ଚମକିବାରେ ଲାଗିଛି। ଏହି ମାନ୍ୟତା ଆମ ରାଜ୍ୟ ରାତାରାତି ପାଇଯାଇନି, ବରଂ ଲଗାତାର ଉଦ୍ୟମ ଓ ଲକ୍ଷ୍ୟକୁ ହାସଲ କରିବା ନିମନ୍ତେ ଯୋଜନାବଦ୍ଧ କାର୍ଯ୍ୟପଦ୍ଧତି ଏହି ସଫଳତାର ପ୍ରମୁଖ କାରଣ। ସେଥିପାଇଁ ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ବ୍ୟକ୍ତିଗତ ସଚିବଙ୍କ ହକି ଖେଳର ବିକାଶ ପ୍ରତି ଏଭଳି ଅଦ୍ବିତୀୟ ପ୍ରୟାସକୁ ଦୃଷ୍ଟିରେ ରଖି ହକି ଖେଳର ଅନ୍ତର୍ଜାତୀୟ ସଙ୍ଗଠନ ପ୍ରେସିଡେଣ୍ଟସ୍ ଆୱାର୍ଡ ପ୍ରଦାନ କରି ପାଣ୍ଡିଆନ୍‌ଙ୍କ ପ୍ରଚେଷ୍ଟାକୁ ସ୍ବୀକୃତି ଦେବାକୁ ଆଗଭର ହୋଇଛି। ୫-ଟି ସଚିବଙ୍କ ଏଭଳି ପ୍ରୟାସ ଓଡ଼ିଶାକୁ ଆମ ଦେଶର ହକି ରାଜଧାନୀ କରାଇପାରିବ ବୋଲି ନିଃସନ୍ଦେହରେ କୁହାଯାଇପାରେ।