ବିଜନ କୁମାର ମହାପାତ୍ର
ଝଡ,ବାତ୍ୟା ଆସିଲେ ସେଗୁଡିକୁ ଆମେ ଏକ ନିର୍ଦ୍ଦିଷ୍ଟ ନାଁରେ ଜାଣିଥାଉ । କାଟ୍ରିନା, ଫାଇଲିନ, ହୁଦହୁଦ୍, ନର୍ଗିସ ,ନିସର୍ଗ, ବାୟୁ, ନିବାର, ଅଖି, ଫନି, ଅମ୍ଫନ, ତୌକତେ ଇତ୍ୟାଦି ଇତ୍ୟାଦି । ବିଧ୍ୱଂସକାରୀ ଝଡଗୁଡିକର କାହିଁକି ନାମକରଣ ହୁଏ, ସେ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରଶ୍ନ ଉଠିବା ସ୍ୱାଭାବିକ । ନିଶ୍ଚିତ ଭାବେ ଏହା ଏକ କୌତୁହଳର ବିଷୟ । ଝଡବାତ୍ୟା, ସାମୁଦ୍ରିକ ବାତ୍ୟାର ନାମକରଣ କାହିଁକି ହୁଏ ? କିଏ ନାମକରଣ କରିଥାଏ ? ଏ ସବୁ ପଛରେ ଭୌଗଳିକ ଓ ବୈଜ୍ଞାନିକ କାରଣ ରହିଛି ।
ବହୁପୂର୍ବରୁ ସାମୁଦ୍ରିକ ଝଡ ବା ବାତ୍ୟାର ନାମକରଣ ହୋଇଆସୁଛି । ଆଗରୁ ମନଇଛା ନାମକରଣ ହେଉଥିଲା । ଏକଦା ଆଟଲାଂଟିକ୍ ମହାସାଗରରେ ଆସିଥିବା ଝଡ ଅଞ୍ଜେ ନାମକ ଏକ ଜାହାଜର ମାଷ୍ଟ୍କୁ ଚିରି ଦେଇଥିଲା । ଏଥିପାଇଁ ସେହି ଝଡକୁ ଲୋକେ ‘ଅଞ୍ଜେ’ ବୋଲି କହିଲେ । ଅଷ୍ଟାଦଶ ଶତାବ୍ଦୀର ଶେଷଆଡକୁ ଝଡଗୁଡିକ ବିଭିନ୍ନ କ୍ୟାଥଲିକ ଖ୍ରୀଷ୍ଟିୟାନ ସନ୍ଥଙ୍କ ନାଁରେ ନାମିତ ହେଉଥିଲା । ୧୯୫୩ରେ ଝଡବାତ୍ୟାଗୁଡିକୁ ମହିଳାଙ୍କ ନାଁରେ ନାମିତ କରାଯାଇଥିଲା । କାରଣ ସମୁଦ୍ରରେ ଯାତ୍ରା କରୁଥିବା ଜାହାଜଗୁଡିକୁ ମହିଳାଙ୍କ ନାଁ ଦିଆଯାଉଥିଲା । ୧୯୭୯ ମସିହାଠାରୁ ସାମୁଦ୍ରିକ ଝଡଗୁଡିକୁ ପୁୁରୁଷଙ୍କ ନାଁ ଦିଆଯିବା ଆରମ୍ଭ ହେଲା ।
ବର୍ତ୍ତମାନ କିନ୍ତୁ ଝଡଗୁଡିକର ନାମକରଣ ପ୍ରକ୍ରିୟା ବ୍ୟବସ୍ଥିତ ହୋଇଛି । ଏହା ବିଜ୍ଞାନସମ୍ମତ ମଧ୍ୟ ହୋଇଛି । ଯଦି ଏକ ବାତ୍ୟାର ବେଗ ଘଣ୍ଟା ପ୍ରତି ୩୪ ନୌଟିକାଲ ମାଇଲରୁ ଅଧିକ ରହେ, ତାହା ହେଲେ ଏହାକୁ ଏକ ବିଶେଷ ନାମ ଦେବା ଆବଶ୍ୟକ ହୁଏ । ଯଦି ଝଡର ବେଗ ଘଣ୍ଟା ପ୍ରତି ୭୪ ମାଇଲ ପହଂଚେ ବା ଏହାଠାରୁ ଅଧିକ ରହେ, ତାହାହେଲେ ଏହାକୁ ହରିକେନ/ସାଇକ୍ଲୋନ /ଟାଇଫୁନ ଭାବେ ଶ୍ରେଣୀଭୁକ୍ତ କରାଯାଇପାରେ ।
ବିଶ୍ୱର ଯେ କୌଣସି ମହାସାଗଗରେ ବାତ୍ୟା ସୃଷ୍ଟି ହେଲେ ରିଜିଓନାଲ୍ ସ୍ପେଶାଲାଇଜ୍ଡ ମେଟ୍ରୋଲୋଜିକାଲ୍ ସେଂଟରର୍ସ ( ଆରଏସଏମସି ) ଏବଂ ଟ୍ରପିକାଲ ସାଇକ୍ଲୋନ ୱାର୍ଣ୍ଣିଂ ସେଂଟର୍ସ ( ଟିସିଡବ୍ଲୁସି ) ସେଗୁଡିକକର ନାମକରଣ କରିଥାଆନ୍ତି । ବିଶ୍ୱରେ ବର୍ତ୍ତମାନ ମୋଟ ୬ଟି ଆରଏସଏମସି ରହିଛି । ଭାରତୀୟ ପାଣିରାଗ ବିଭାଗ ମଧ୍ୟ ଏଥିରେ ସାମିଲ ରହିଛି ।
ବିଶ୍ୱ ପାଣିପାଗ ସଂଗଠନ ( ଡବ୍ଲୁଏମଓ ) ଏବଂ ଏସିଆ ପ୍ରଶାନ୍ତ ପାଇଁ ଜାତିସଂଘର ଅର୍ଥନୈତିକ ଓ ସାମାଜିକ ଆୟୋଗ ( ଇଏସସିଏପି ) ସାମୁଦ୍ରିକ ଝଡଗୁଡିକର ନାମକରଣ କରିଆସୁଛନ୍ତି । ବଙ୍ଗୋପ ସାଗର ଓ ଆରବ ସାଗର ସମେତ ଉତ୍ତର ଭାରତୀୟ ମହାସାଗରରରେ ସୃଷ୍ଟି ହେଉଥିବା ସାମୁଦ୍ରିକ ଝଡଗୁଡିକର ନାମକରଣ କରୁଛି ଭାରତୀୟ ପାଣିପାଗ ବିଭାଗ -ଆଇଏମଡି । ଏହାଛଡା ଆଇଏମଡି ସଂପୃକ୍ତ ଅଞ୍ଚଳରେ ବାତ୍ୟା ଓ ଝଡ ବାବଦରେ ଅନ୍ୟ ୧୨ଟି ଦେଶକୁ ଆଡଭାଇଜରି ଜାରି କରିଥାଏ ।
୨୦୦୦ ମସିହାରେ ଭାରତ, ବାଂଲାଦେଶ, ପାକିସ୍ତାନ, ଶ୍ରୀଲଙ୍କା,ମାଳଦ୍ୱୀପ, ମିଆଁମାର, ଥାଇଲାଣ୍ଡ ଓ ଓମାନ ନେଇ ଗଠିତ ଦେଶସମୂହ ସେମାନଙ୍କ ଅଂଚଳ ମଧ୍ୟରେ ସୃଷ୍ଟି ହେଉଥିବା ଝଡଗୁଡିକୁ ନାମକରଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ୨୦୧୮ ମସିହାରେ ଏହିଦେଶଙ୍କ ଗୋଷ୍ଠୀରେ ଇରାନ, କାତାର, ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ ଓ ୟେମେନ ସାମିଲ ହୋଇଥିଲେ । ଏସବୁ ଦେଶର ପ୍ରସ୍ତାବ ଉପରେ ବିଚାର କରି ବିଶ୍ୱ ପାଣିପାଗ ସଂଗଠନ ( ଡବ୍ଲୁଏମଓ) ଏବଂ ଏସିଆ ପ୍ରଶାନ୍ତ ଅଞ୍ଚଳ ପାଇଁ ଜାତିସଂଘର ସାମାଜିକ ଓ ଅର୍ଥନୈତିକ ଆୟୋଗ ( ଇଏସସିଏପି )ର ଟ୍ରପିକାଲ ସାଇକ୍ଲୋନ ପ୍ୟାନେଲ ଝଡବାତ୍ୟାଗୁଡିକର ନାମ ଚୂଡାନ୍ତ କରିଥାଏ ।
ଗତବର୍ଷ ଏପ୍ରିଲ ମାସରେ ଭାରତୀୟ ପାଣିପାଗ ବିଭାଗ ୧୬୯ଟି ସାମୁଦ୍ରିକ ଝଡର ନାଁ ଜାରି କରିଥିଲା । ଡବ୍ଲୁଏମଓ ଓ ଇଏସସିଏପିର ସଦସ୍ୟ ଦେଶଗୁଡିକ ୧୩ ଟି ପ୍ରସ୍ତାବ ପଠାଇଥିଲେ ।
ସାଧାରଣ ଲୋକ ସହଜରେ ମନେ ରଖିବା ପାଇଁ ଝଡବାତ୍ୟାଗୁଡିକର ନାମକରଣ ହୋଇଥାଏ । କାରଣ ସଂଖ୍ୟା ଓ ବୈଷୟିକ ଶବ୍ଦଗୁଡିକୁ ମନେ ରଖିବା କଷ୍ଟକର ହୋଇଥାଏ । ଏହାଛଡା ନାମକରଣ କଲେ ଏହା ଗଣମାଧ୍ୟମ, ବୈଜ୍ଞାନିକ ଓ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ପାଇଁ ଭିନ୍ନ ଭିନ୍ନ ଝଡବାତ୍ୟାର ଚିହ୍ନଟ କରିବା, ରିପୋର୍ଟ କରିବା, ସତର୍କ ସୂଚନା ଜାରି କରିବା, ପ୍ରସ୍ତୁତି ତ୍ୱରାନ୍ୱିତ କରିବାରେ ସହାୟକ ହୋଇଥାଏ । ସଂଶୟ ମଧ୍ୟ ଦୂର ହୋଇଥାଏ ।
ସାମୁଦ୍ରିକ ବାତ୍ୟାର ନାମକରଣ ପାଇଁ କିଛି ଗାଇଡଲାଇନ୍ସ ବି ରହିଛି । ପ୍ରସ୍ତାବିତ ନାମକରଣରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନ ଥିବ । ରାଜନେତା, ଧର୍ମ ବିଶ୍ୱାସ ଓ ସଂସ୍କୃତି ଓ ଲିଙ୍ଗଗତ ପ୍ରଭେଦଠାରୁ ଉପରେ ରହିବ ନାମକରଣ । କୌଣସି ନାମ ଯେମିତି କୌଣସି ଗୋଷ୍ଠୀର ଭାବନାକୁ ଆଘାତ ଦେଉ ନ ଥିବ । ଝଡର ନାମ ସଂକ୍ଷିପ୍ତ ଓ ସରଳ ହେବା ଦରକାର, ଯାହା କି ସହଜରେ ଉଚ୍ଚାରଣ କରିହେଉ ଥିବ । ନାମରେ ସର୍ବାଧିକ ୮ଟି ଅକ୍ଷର ରହୁଥିବ । ଗୋଟିଏ ନାମ କେବଳ ଥରେ ହିଁ ବ୍ୟବହାର କରାଯାଇପାରିବ । କୌଣସି ନାମ ଯେପରି କୌଣସି ନିଷ୍ଟୁର ସ୍ୱଭାବକୁ ନ ବୁଝାଏ, ତାହା ନିଶ୍ଚିତ କରିବାକୁ ହେବ ବୋଲି ଗାଇଡଲାଇନ୍ସରେ ଉଲ୍ଲେଖ କରାଯାଇଛି ।
( ଲେଖକ ଜଣେ ବରିଷ୍ଠ ସାମ୍ବାଦିକ )