କରୋନା ଅପଡେଟ୍‌: ୨୪ ଘଣ୍ଟାରେ ଭାରତରେ ଆଉ ୨.୦୮ ଲକ୍ଷ ନୂଆ ଆକ୍ରାନ୍ତ, ୪୧୫୭ ମୃତ | News Room Odisha

କରୋନା ଅପଡେଟ୍‌: ୨୪ ଘଣ୍ଟାରେ ଭାରତରେ ଆଉ ୨.୦୮ ଲକ୍ଷ ନୂଆ ଆକ୍ରାନ୍ତ, ୪୧୫୭ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ମାମଲା ଦୁଇ ଲକ୍ଷ ତଳକୁ ଖସିବାର ଦିନକ ପରେ ସଂକ୍ରମଣ ପୁଣି ବଢ଼ିଛିି । ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୮ ହଜାର ୯୨୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ମଧ୍ୟ ପୁଣିଥରେ ୪ ହଜାର ଟପିଛି । ଦିନକରେ ଏହି ବେମାରୀରେ ଆଉ ୪୧୫୭ ଜଣ ଲୋକଙ୍କ ମୃତ୍ୟୁ ହୋଇଛି ।

ଦୈନିକ ଆକ୍ରାନ୍ତ ତୁଳନାରେ ପୁଣି ଅଧିକ ଲୋକ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ଆଉ ୨ ଲକ୍ଷ ୯୫ ହଜାର ୯୫୫ ଜଣ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି ।

ଭାରତରେ ଗତକାଲି ଦୈନିକ କରୋନା ମାମଲା ଦୁଇ ଲକ୍ଷ ତଳକୁ ଖସିଥିଲା । ଦେଶରେ ଗତକାଲି ୧.୯୬,୪୨୭ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏପ୍ରିଲ ୧୪ ପରେ ପ୍ରଥମ ଥର ଦୈନିକ ମାମଲା ଦୁଇ ଲକ୍ଷ ତଳକୁ ଖସିଥିଲା । କାଲି ଏହି ରୋଗରେ ୩୫୧୧ ଜଣ ପ୍ରାଣ ହରାଇଥିଲେ । ଆଜି ଉଭୟ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବଢ଼ିଛି ।

ଭାରତରେ ଏବେ ମୋଟ କରୋନା ମାମଲା ୨ କୋଟି ୭୧ ଲକ୍ଷ ୫୭ ହଜାର ୭୯୫ରେ ପହଞ୍ଚିଛି । ଏଯାବତ୍ ୩ ଲକ୍ଷ ୧୧ ହଜାର ୩୮୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ କୋଟି ୪୩ ଲକ୍ଷ ୫୦ ହଜାର ୮୧୬ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ଏବେ ୨୪ ଲକ୍ଷ ୯୫ ହଜାର ୫୯୧ ସକ୍ରିୟ ରୋଗୀ ଅଛନ୍ତି ।