ରାମଦେବଙ୍କୁ ୧୦୦୦ କୋଟିର ମାନହାନୀ ନୋଟିସ ପଠାଇଲା ଆଇଏମ୍‌ଏ | News Room Odisha

ରାମଦେବଙ୍କୁ ୧୦୦୦ କୋଟିର ମାନହାନୀ ନୋଟିସ ପଠାଇଲା ଆଇଏମ୍‌ଏ

ନୂଆଦିଲ୍ଲୀ: ଏଲୋପାଥି ଓ ଡାକ୍ତର ମାନଙ୍କ ବିରୋଧରେ ବିବାଦୀୟ ବୟାନ ପାଇଁ ଯୋଗଗୁରୁ ରାମଦେବଙ୍କ ଅଡ଼ୁଆ ବଢ଼ିଛି । ଭାରତୀୟ ମେଡିକାଲ ସଂଘ (ଆଇଏମ୍‌ଏ) ରାମଦେବଙ୍କ ନିକଟକୁ ୧୦୦୦ କୋଟି ଟଙ୍କାର ମାନହାନୀ ନୋଟିସ୍ ପଠାଇଛି । ଏଲୋପାଥି ବିରୋଧରେ ବୟାନ ପାଇଁ ତାଙ୍କୁ ୧୫ ଦିନ ମଧ୍ୟରେ ଲିଖିତ କ୍ଷମା ପ୍ରାର୍ଥନା କରିବାକୁ ମଧ୍ୟ କୁହାଯାଇଛି । ଯଦି ସେ ଏହା ନ କରନ୍ତି, ତେବେ ତାଙ୍କ ଠାରୁ ୧୦୦୦ କୋଟି ଟଙ୍କା ଦାବି କରାଯିବ ବୋଲି ଆଇଏମ୍‌ଏ ନୋଟିସ୍‌ରେ କୁହାଯାଇଛି ।

ରାମଦେବଙ୍କୁ ତାଙ୍କ କମ୍ପାନୀ ପତଞ୍ଜଳି ଦ୍ୱାରା ପ୍ରସ୍ତୁତ ‘କରୋନିଲ’ ଟିକାର ବିଜ୍ଞାପନକୁ ମଧ୍ୟ ୭୨ ଘଣ୍ଟା ଭିତରେ ସବୁ ସ୍ଥାନରୁ ହଟାଇବାକୁ କୁହାଯାଇଛି । କୋଭିଡ୍ ରୋଗୀଙ୍କୁ ‘କରୋନିଲ’ ସୁସ୍ଥ କରୁଥିବା ଦାବି କରି ପତଞ୍ଜଳି ଲୋକଙ୍କୁ ବିଭ୍ରାନ୍ତ କରୁଛି । କରୋନା ଟିକା ନେବା ପରେ ହେଉଥିବା ପାଶ୍ୱର୍ ପ୍ରତିକ୍ରିୟାକୁ ମଧ୍ୟ କରୋନିଲ ପ୍ରଭାବୀ ସାବ୍ୟସ୍ତ ହେଉଥିବା ଦାବି ଭିତ୍ତିହୀନ ବୋଲି ଆଇଏମଏ୍ କହିଛି ।

ନିକଟରେ ଏଲୋପାଥି ବିରୋଧରେ ରାମଦେବଙ୍କ ମନ୍ତବ୍ୟ ନେଇ ବିବାଦ ସୃଷ୍ଟି ହୋଇଥିଲା । ଏଲୋପାଥି ଚିକିତ୍ସା ମୁର୍ଖଙ୍କ ବିଜ୍ଞାନ । ଏଲେପାଥି ଔଷଧ ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି ବୋଲି ରାମଦେବ କହିଥିଲେ । ତାଙ୍କର ଏଭଳି ମନ୍ତବ୍ୟକୁ ଆଇଏମ୍‌ଏ ଜୋରଦାର ବିରୋଧ କରିବା ସହ ତାଙ୍କ ବିରୋଧରେ କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦାବି କରିଥିଲା । ବିବାଦ ବଢ଼ିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଏଥିରେ ହସ୍ତକ୍ଷେପ କରି ରାମଦେବଙ୍କୁ ନିଜ ମନ୍ତବ୍ୟ ପ୍ରତ୍ୟାହାର କରିବାକୁ କହିଥିଲେ । ରାମଦେବ ଏଲୋପାଥି ବିରୋଧରେ ନିଜ ମନ୍ତବ୍ୟ ପ୍ରତ୍ୟାହାର କରିଥିଲେ ମଧ୍ୟ ତା’ ପରଦିନ ଆଇଏମ୍‌ଏକୁ ଏକ ଖୋଲା ଚିଠି ଲେଖି ପୁଣି ବିବାଦ ଆରମ୍ଭ କରିଥିଲେ । ଏହି ଖୋଲା ଚିଠିରେ ସେ ଆଇଏମ୍‌ଏକୁ ୨୫ଟି ପ୍ରଶ୍ନ ପଚାରିଥିଲେ ।