ନାରଦ ସ୍କାମ୍‌: ତୃଣମୂଳ କଂଗ୍ରେସ ମନ୍ତ୍ରୀଙ୍କ ଗିରଫଦାରୀ ପ୍ରତିବାଦରେ ବିଜେପି ଛାଡ଼ିଲେ ନେତା | News Room Odisha

ନାରଦ ସ୍କାମ୍‌: ତୃଣମୂଳ କଂଗ୍ରେସ ମନ୍ତ୍ରୀଙ୍କ ଗିରଫଦାରୀ ପ୍ରତିବାଦରେ ବିଜେପି ଛାଡ଼ିଲେ ନେତା

କୋଲକାତା: ନାରଦ ସ୍କାମ୍‌ରେ ତୃଣମୂଳ କଂଗ୍ରେସର ଦୁଇ ମନ୍ତ୍ରୀ ଓ ଜଣେ ବିଧାୟକଙ୍କ ଗିରଫ ପ୍ରତିବାଦରେ ବିଜେପିର ଜଣେ ନେତା ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି । କରୋନା ମହାମାରୀ ସମୟରେ ନାରଦ ଷ୍ଟିଙ୍ଗ୍ ମାମଲାରେ ସିବିଆଇ ଯେଉଁଭଳି ରାଜ୍ୟର ଦୁଇମନ୍ତ୍ରୀଙ୍କୁ ଗିରଫ କଲା ତାକୁ ନାପସନ୍ଦ କରିଛନ୍ତି କୁଚ୍ ବିହାର ମ୍ୟୁନିସିପାଲିଟିର ପୂର୍ବତନ ଚେୟାରମ୍ୟାନ୍ ଭୂଷଣ ସିଂହ । ଏହାର ପ୍ରତିବାଦରେ ସେ ବିଜେପି ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।

ଭୂଷଣ ସିଂହ ପୂର୍ବରୁ ତୃଣମୂଳ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ । ତୃଣମୂଳ କଂଗ୍ରେସ ମନ୍ତ୍ରୀଙ୍କ ଗିରଫ ପ୍ରତିବାଦରେ ମୁଁ ବିଜେପି ଛାଡ଼ିିବାକୁ ସ୍ଥିର କରିଛି । କୋଭିଡ୍‌-୧୯ ମହାମାରୀ ସମୟରେ କୋଲକାତା ମେୟରଙ୍କୁ ମଧ୍ୟ ଗିରଫ କରାଯିବା ଠିକ୍ ନୁହେଁ । ମୁଁ ବିଜେପିରେ ଯୋଗଦେଇ ଭୁଲ କରିଥିଲି ବୋଲି ଭୂଷଣ ସିଂହ କହିଛନ୍ତି ।

ନାରଦ ମାମଲାରେ ନିକଟରେ ସିବିଆଇ ମମତା ବାନାର୍ଜୀ ସରକାରର ଦୁଇ ମନ୍ତ୍ରୀ ଫିରହାଦ ହାକିମ ଓ ସୁବ୍ରତ ମୁଖାର୍ଜୀଙ୍କ ସହ ବିଧାୟକ ମଦନ ମିତ୍ରା ଏବଂ ପୂର୍ବତନ ମେୟର ଶୋଭନ ଚାଟାର୍ଜୀଙ୍କୁ ଗିରଫ କରିଥିଲା । ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା କିିଛି ନେତା ମଧ୍ୟ ନାରଦ ସ୍କାମରେ ସମ୍ପୃକ୍ତ ଥିଲେ । କିନ୍ତୁ ସେମାନଙ୍କୁ ଗିରଫ କରାଯାଇ ନାହିଁ ।
ଗିରଫ ନେତାଙ୍କ ମଧ୍ୟରୁ ଶୋଭନ ଚାଟାର୍ଜୀ ମାର୍ଚ୍ଚରେ ବିଜେପି ଛାଡ଼ିଥିଲେ । ହାକିମ୍ କୋଲକାତା ପୌର ନିଗମର ପ୍ରଶାସକ ଦାୟିତ୍ୱରେ ଅଛନ୍ତି ।