ରହସ୍ୟଜନକ ଭାବେ ନିଖୋଜ ହେବାର ତିନି ଦିନ ପରେ ଡୋମିନିକାରେ ଧରାପଡିଲେ ମେହୁଲ ଚୋକସି  | News Room Odisha

ରହସ୍ୟଜନକ ଭାବେ ନିଖୋଜ ହେବାର ତିନି ଦିନ ପରେ ଡୋମିନିକାରେ ଧରାପଡିଲେ ମେହୁଲ ଚୋକସି 

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ସ୍କାମ ଅଭିଯୁକ୍ତ ତଥା ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି ଡୋମିନିକାରେ ଧରାପଡିଛନ୍ତି। ଆଣ୍ଟିଗୁଆ ଗଣମାଧ୍ୟମ ଅନୁଯାୟୀ ୬୨ ବର୍ଷିୟା ଚୋକସି ଡୋମିନିକା ଠାରୁ କ୍ୟୁବା ପଳାଇବାକୁ ଯୋଜନା କରିଥିଲେ।‌ ଏହି ସମୟରେ ତାଙ୍କୁ ସିଆଇଡି ଧରିଥିଲା।

ସୂଚନାନୁସାରେ, ସେ ଡଙ୍ଗା ମାଧ୍ୟମରେ ଡୋମିନିକାରେ ପହଞ୍ଚିଥିଲେ। ଆଣ୍ଟିଗୁଆ ତାଙ୍କ ବିରୋଧରେ ଏକ ଲୁକ୍ଆଉଟ୍ ସର୍କୁଲାର୍ ଜାରି କରିଥିଲା । ପରବର୍ତ୍ତୀ ସମୟରେ ଡୋମିନିକା ପୋଲିସ ତାଙ୍କୁ ଗିରଫ କରିଥିଲା। ଚୋକସିଙ୍କୁ ଆଣ୍ଟିଗୁଆ ପୋଲିସକୁ ହସ୍ତାନ୍ତର କରାଯିବ। ଆଣ୍ଟିଗୁଆ ସରକାର ତାଙ୍କୁ ଭାରତ ପ୍ରତ୍ୟର୍ପଣ କରିବାକୁ ପ୍ରକ୍ରିୟା ଆରମ୍ଭ କରିବେ ।

ସୂଚନାଯୋଗ୍ୟ ଯେ, ତିନି ଦିନ ପୂର୍ବରୁ ଆଣ୍ଟିଗୁଆ-ବାରବୁଡା ଠାରୁ ଚୋକସି ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଥିଲେ । ରବିବାର ଠାରୁ ପୋଲିସ ତାଙ୍କୁ ଖୋଜୁଥିଲା। ରବିବାର ସନ୍ଧ୍ୟା ୫:୧୫ରେ ତାଙ୍କ କାରରେ ଚୋକସିଙ୍କୁ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା | ତାଙ୍କ କାର ମିଳିଥିଲା, କିନ୍ତୁ ଚୋକସିଙ୍କ ଖୋଜ ଖବର ମିଳିନଥିଲା। ପୋଲିସ ତାଙ୍କ ଓକିଲଙ୍କୁ ମଧ୍ୟ ଏ ବିଷୟରେ ଜଣାଇଥିଲା, କିନ୍ତୁ ସେ ମଧ୍ୟ କିଛି ଉତ୍ତର ଦେଇ ପାରିନଥିଲେ।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୩,୦୦୦ କୋଟି ଋଣ ଠକେଇ ମାମଲାରେ ତାଙ୍କ ଭଣଜା ନିରବ ମୋଦିଙ୍କ ସହ ଚୋକସି ଅନ୍ୟତମ ଅଭିଯୁକ୍ତ । ନିରବ ମୋଦି ସମ୍ପ୍ରତି ଲଣ୍ଡନର ଏକ ଜେଲରେ ଅଛନ୍ତି । ତାଙ୍କୁ ଭାରତ ଆଣିବାକୁ ପ୍ରକ୍ରିୟା ଜାରି ରହିଛି ।