ନୂଆ ଆଇଟି ନିୟମ: ଟ୍ୱିଟରକୁ ଛାଡ଼ି ବାକି ସବୁ ସୋସିଆଲ ମିଡିଆ ଦେଲେ କମ୍ପ୍ଲାଏନ୍ସ ରିପୋର୍ଟ | News Room Odisha

ନୂଆ ଆଇଟି ନିୟମ: ଟ୍ୱିଟରକୁ ଛାଡ଼ି ବାକି ସବୁ ସୋସିଆଲ ମିଡିଆ ଦେଲେ କମ୍ପ୍ଲାଏନ୍ସ ରିପୋର୍ଟ

ନୂଆଦିଲ୍ଲୀ: ଫେସବୁକ୍‌, ହ୍ୱାଟ୍‌ସଆପ୍ ଓ ଇନ୍‌ଷ୍ଟାଗ୍ରାମ୍ ଭଳି ପ୍ରମୁଖ ସୋସିଆଲ ମିଡ଼ିଆ କମ୍ପାନୀ ନୂଆ ଆଇଟି ନିୟମ ଲାଗୁ କରାଯିବା ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ କମ୍ପ୍ଲାଏନ୍ସ ରିପୋର୍ଟ ଦେଇଛନ୍ତି । ହେଲେ ଟ୍ୱିଟର କେନ୍ଦ୍ର ସରକାରଙ୍କ ନୋଟିସ୍‌ର ଜବାବ ଦେଇନାହିଁ ।

ସୂଚନା ଓ ପ୍ରଯୁକ୍ତି ମନ୍ତ୍ରାଳୟର ସୂତ୍ରରୁ ପ୍ରକାଶ ଯେ, କେନ୍ଦ୍ର ଦ୍ୱାରା ଜାରି ଗାଇଡ୍ ଲାଇନ ମୁତାବକ ପ୍ରାୟ ସବୁ ପ୍ରମୁଖ ସୋସିଆଲ ମିଡିଆ କମ୍ପାନୀ କମ୍ପ୍ଲାଏନ୍ସ ଅଧିକାରୀ, ନୋଡାଲ ଓ ଅଭିଯୋଗ ନିବାରଣ ଅଧିକାରୀ ନିଯୁକ୍ତ କରିଛନ୍ତି । ସେହିପରି ଟେଲିଗ୍ରାମ୍‌, ଲିଙ୍କଡ୍‌ଇନ, ସେୟାରଚାଟ୍ ଓ କୁ’ ଭଳି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ମଧ୍ୟ କେନ୍ଦ୍ର ଗାଇଡ୍ ଲାଇନ୍ ମୁତାବକ ସମ୍ପୃକ୍ତ ଅଧିକାରୀଙ୍କୁ ନିଯୁକ୍ତି ଦେଇଛନ୍ତି । କିନ୍ତୁ ଟ୍ୱିଟର ଏନେଇ କୌଣସି ଷ୍ଟାଟସ୍ ରିପୋର୍ଟ ଦାଖଲ କରିନାହିଁ । ଟ୍ୱିଟର କେବଳ ଜଣେ ଓକିଲଙ୍କୁ ନିଜର ଅଭିଯୋଗ ନିବାରଣ ଅଧିକାରୀ ଭାବେ ନିଯୁକ୍ତ କରିଛି । କିନ୍ତୁ ଅନ୍ୟ ଅଧିକାରୀଙ୍କ ନିଯୁକ୍ତି ସମ୍ପର୍କରେ କିଛି ତଥ୍ୟ ଦାଖଲ କରିନାହିଁ ।

ଯେଉଁ ସୋସିଆଲ ମିଡିଆ କମ୍ପାନୀ ନିଜ ଷ୍ଟାଟସ ରିପୋର୍ଟ କେନ୍ଦ୍ରକୁ ଦେଇଛନ୍ତି, ସେମାନେ ଆପତ୍ତିଜନକ କଣ୍ଟେଣ୍ଟ୍ ଏବଂ ମେସେଜ୍‌ର ପ୍ରଥମ ପ୍ରେରକର ଚିହ୍ନଟ ସମ୍ବନ୍ଧୀୟ ନିୟମ ଲାଗୁ କରିଛନ୍ତି କି ନାହିଁ ଜଣାପଡି ନାହିଁ । ନିକଟରେ ଆଇଟି ନିୟମକୁ ଚ୍ୟାଲେଞ୍ଜ କରି ହ୍ୱାଟ୍‌ସଆପ୍ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲା । ସେହିପରି କଂଗ୍ରେସର ଟୁଲକିଟ୍ ମାମଲାରେ କେନ୍ଦ୍ର ସରକାର ଓ ଟ୍ୱିଟର ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କ ଦ୍ୱାରା ସେୟାର କରାଯାଇଥିବା ‘କଂଗ୍ରେସ ଟୁଲକିଟ୍‌’କୁ ଟ୍ୱିଟର ମାନିପ୍ୟୁଲେଟେଡ୍ ମିଡିଆ ବା ବିଭ୍ରାନ୍ତିକର ଭାବେ ବିବେଚନା କରିବା ପରେ କେନ୍ଦ୍ର ସରକାର ଏନେଇ ଆପତ୍ତି ଉଠାଇଥିଲେ ।
ଡିଜିଟାଲ ଓ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଫେବୃୟାରୀ ୨୫ରେ ନୂଆ ନିୟମ ଆଣିଥିଲେ । ଏହି ନିୟମ ଲାଗୁ କରିବା ପାଇଁ ସବୁ ସୋସିଆଲ ଏବଂ ଓଟିଟି ପ୍ଲାଟ୍‌ଫର୍ମକୁ ତିନି ମାସ ସମୟ ଦିଆଯାଇଥିଲା । ଯାହା ମେ ୨୬ରେ ଶେଷ ହୋଇଥିଲା ।