ବିଜନ କୁମାର ମହାପାତ୍ର
ନନ୍ଦକିଶୋର ପଟ୍ଟନାୟକଙ୍କ ଦେହାନ୍ତ ସହ ଓଡିଶା କ୍ରୀଡା ଜଗତରେ ଏକ ଯୁଗର ଅବସାନ ହୋଇଛି । କୋଭିଡ ସହ ସଂଘର୍ଷରେ ହାରିଯାଇଛନ୍ତି ନନ୍ଦକିଶୋର । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ମହିଳା ଫୁଟବଲ୍ ତାରକା ସୃଷ୍ଟି କରି ଓଡିଶାକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲେ ନନ୍ଦକିଶୋର । ରାଜ୍ୟ ମହିଳା ଦଳର କୋଚ୍ ଭାବେ ସେ ଆଣିଛନ୍ତି ଅନେକ ସ୍ୱର୍ଣ୍ଣିମ ସଫଳତା । ତାଙ୍କ ଅବର୍ତ୍ତମାନ ଓଡିଶା ଫୁଟବଲ୍ ପ୍ରତି ଏକ ବିରାଟ କ୍ଷତି ।
ମୟୂରଭଞ୍ଜ ଜିଲ୍ଲା ବାରିପଦାଠାରେ ୧୯୫୬ ମସିହାରେ ଜନ୍ମ ଗ୍ରହଣ କରିଥିଲେ ନନ୍ଦକିଶୋର ଓରଫ ଟୁଟୁ । ବି.କମ୍ ପାସ କଲା ପରେ ୧୯୭୯ ମସିହାରେ ଆକାଉଟାଂଟ୍ ଜେନେରାଲ୍ ଅଫ୍ ଓଡିଶା କାର୍ଯ୍ୟାଳୟରେ ସେ ନିଯୁକ୍ତି ପାଇଥିଲେ । ଫୁଟ୍ବଲ୍ ପ୍ରତି ଥିଲା ନନ୍ଦକିଶୋରଙ୍କ ପ୍ରବଳ ଆଗ୍ରହ । ଛାତ୍ର ଓ ଯୁବାବସ୍ଥାରେ ସେ ରାଜ୍ୟର ବହୁ ଅଗ୍ରଣୀ ଫୁଟବଲ୍ କ୍ଲବ ପକ୍ଷରୁ ଖେଳି ନିଜ ପ୍ରତିଭାର ପରିଚୟ ଦେଇଥିଲେ ନନ୍ଦକିଶୋର । ନିଜର ହୋମଟାଉନ୍ ବାରିପଦାର ଇଣ୍ଡିପେଣ୍ଡେଂଟ୍ କ୍ଲବ୍ ଥିଲା ନନ୍ଦକିଶୋରଙ୍କ ପ୍ରଥମ ଫୁଟବଲ କ୍ଲବ । ପରେ ସେ କଟକର ଜୟଦୁର୍ଗା ଓ ସନରାଇଜ୍ କ୍ଲବ ଏବଂ ଭୁବନେଶ୍ୱରର କ୍ଲବ୍ -୭୩ ପାଇଁ ବି ଫୁଟବଲ୍ ଖେଳିଥିଲେ । ସ୍ୱର୍ଗତଃ କୋଚ୍ ଗୋଲକ ସାମଲ ଓ ମୋହନ ଆଚାର୍ଯ୍ୟଙ୍କ ତତ୍ତ୍ୱାବଧାନରେ ପରିସ୍ପୁଟିତ ହୋଇଥିଲା ନନ୍ଦକିଶୋରଙ୍କ ଫୁଟବଲ୍ ପ୍ରତିଭା । ୧୯୭୭ ଓ ୧୯୭୮ ମସିହାରେ ଜାତୀୟ ଜୁନିଅର ଫୁଟବଲ ଚାମ୍ପିଅନସିପରେ ଓଡିଶା ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ ନନ୍ଦକିଶୋର ।
ନବେ ଦଶକରେ ଫୁଟବଲ୍ କୋଚିଂକୁ ଓହ୍ଲାଇଥିଲେ ନନ୍ଦକିଶୋର । ରାଜ୍ୟର ଏକ ସଂଗଠିତ ଓ ବ୍ୟବସ୍ଥିତ ମହିଳା ଫୁଟବଲ୍ ଟିମ୍ ଗଠନ ପଛରେ କୋଚ୍ ନନ୍ଦକିଶୋରଙ୍କ ଅବଦାନ ରହିଛି । ଆଉ ଏ ଦିଗରେ ପ୍ରେରଣା ଥିଲେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ବିଜୁ ପଟ୍ଟନାୟକ । ୧୯୯୨ ମସିହା ଯାଏଁ ଓଡିଶାରେ କୌଣସି ମହିଳା ଫୁଟବଲ୍ ଟିମ୍ ନ ଥିଲା । ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ କ୍ରୀଡା ବିଭାଗକୁ ଏ ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଭାରତୀୟ କ୍ରୀଡା ପ୍ରାଧିକରଣ-ଏସଏଆଇର ତତ୍କାଳୀନ ଫୁଟବଲ୍ କୋଚ୍ ଚନ୍ଦନ ଚନ୍ଦାଙ୍କୁ ଏଥିପାଇଁ ଦାୟିତ୍ୱ ଦିଆଗଲା । ଆଉ ଚନ୍ଦା, ନନ୍ଦକିଶୋର ପଟ୍ଟନାୟକଙ୍କ ସହାୟତା ଲୋଡିଥିଲେ । ସେତେବେଳେ ଭୁବନେଶ୍ୱରର ୟୁନିଟ-୨ ବାଳିକା ଉଚ୍ଚ ବିଦ୍ୟାଳୟର କିଛି ଛାତ୍ରୀ ଖୋ-ଖୋ ଖେଳୁଥିଲେ । ସେମାନଙ୍କୁ ଫୁଟବଲ୍ ଖେଳିବା ପାଇଁ ପ୍ରବର୍ତ୍ତାଯାଇଥିଲା । ସେମାନେ ପ୍ରଥମେ ଫୁଟବଲ୍ ଖେଳିବା ପାଇଁ କୁଣ୍ଠିତ ହୋଇଥିଲେ । ହେଲେ ସେମାନଙ୍କୁ ଗୁଆହାଟୀ ବୁଲାଇ ଅଣାଯିବ ବୋଲି କୁହାଯିବା ପରେ ସମସ୍ତେ ରାଜି ହୋଇଥିଲେ । ସେହି ବାଳିକାମାନଙ୍କୁ ଫୁଟବଲ୍ ଖେଳର ନୀତିନିୟମ ସଂପର୍କରେ ଅବଗତ କରାଯିବା ସହ ସାଧାରଣ ପ୍ରଶିକ୍ଷଣ ଦିଆଯାଇଥିଲା । ବାଳିକାମାନଙ୍କୁ ନେଇ ଏକ ଫୁଟବଲ ଟିମ୍ ଗଠନ କରାଯାଇଥିଲା । ସେହି ଟିମ୍ ଗୁଆହାଟୀରେ ଆୟୋଜିତ ଫେଡେରସନ କପ୍ରେ ଅଂଶଗ୍ରହଣ କରିଥିଲେ ମଧ୍ୟ ଖେଳିଥିବା ମ୍ୟାଚରେ ପରାସ୍ତ ହୋଇଥିଲେ । ସେ ଯାହା ହେଉ, ସେହି ଖୋ-ଖୋ ଖେଳୁଥିବା ବାଳିକାଙ୍କ ଟିମ୍ ହିଁ ରାଜ୍ୟର ପ୍ରଥମ ମହିଳା ଫୁଟବଲ୍ ଟିମ୍ ଭାବେ ସ୍ୱୀକୃତ ହୋଇ ରହିଛି ।
ଗୁଆହାଟୀ ପ୍ରତିଯୋଗିତାରେ ଭାଗ ନେଇଥିବା ଓଡିଶା ମହିଳା ଫୁଟବଲ ଟିମ୍ର ସଦସ୍ୟାମାନେ ଆଉ ଫୁଟବଲ୍ ପ୍ରତି ଆଗ୍ରହ ଦେଖାଇ ନ ଥିଲେ ମଧ୍ୟ ନନ୍ଦକିଶୋର ଆଶା ଛାଡି ନ ଥିଲେ । ସେ ୧୬ ଜଣ ବଛା ବଛା ଖେଳାଳିଙ୍କୁ ନେଇ ପ୍ରଶିକ୍ଷଣ ଦେବା ଆରମ୍ଭ କଲେ । ୧୯୯୫ ମସିହାରେ କୋଚ୍ ନନ୍ଦକିଶୋରଙ୍କ ପ୍ରଶିକ୍ଷିତ ଓଡିଶା ମହିଳା ଦଳ ପଶ୍ଚିମବଙ୍ଗରେ ହଳଦିଆରେ ଆୟୋଜିତ ଜାତୀୟ ମହିଳା ଫୁଟବଲ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲା । ଆଉ ସେହି ପ୍ରତିଯୋଗିତାରେ ଓଡିଶା, ଦିଲ୍ଲୀ ଓ ହରିୟାଣା ଭଳି ଟାଣୁଆ ଦଳକୁ ହରାଇ କ୍ୱାର୍ଟର ଫାଇନାଲରେ ପହଂଚିଥିଲା । ଦୁଇ ବର୍ଷ ପରେ ସେହି ଓଡିଆ ଦଳର ହିଁ ଦୁଇ ଖେଳାଳି ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଓ ରଞ୍ଜିତା ମହାନ୍ତି ୧୯୯୭ରେ ଭାରତୀୟ ଜାତୀୟ ଫୁଟବଲ ଦଳରେ ସ୍ଥାନ ପାଇଥିଲେ ।
କହିବାକୁ ଗଲେ, ନନ୍ଦକିଶୋରଙ୍କ ଏକନିଷ୍ଠ ଓ ଅକ୍ଲାନ୍ତ ଉଦ୍ୟମ ଯୋଗୁଁ ହିଁ ଓଡିଶାରେ ମହିଳା ଫୁଟବଲ୍ର ଆଦର ବଢିଥିଲା । ନନ୍ଦକିଶୋରଙ୍କ ପ୍ରେରଣା ଓ ପ୍ରଶିକ୍ଷଣ ଯୋଗୁଁ ଅନେକ ଝିଅଙ୍କ ଫୁଟବଲ ପ୍ରତିଭା ବିକଶିତ ହୋଇଥିଲା । ଓଡିଶା ଦଳରୁ ପ୍ରତିନିଧିତ୍ୱ କଲା ପରେ ଅଧିକାଂଶ ଖେଳାଳି ଜାତୀୟ ଦଳରେ ସ୍ଥାନ ପାଇ ନିଜ ଦକ୍ଷତା ପ୍ରମାଣିତ କରିଆସିଛନ୍ତି । ନନ୍ଦକିଶୋରଙ୍କ ଉଦ୍ୟମର ଫଳସ୍ୱରୂପ ହିଁ ଜାତୀୟ ମହିଳା ଫୁଟବଲରେ ପଶ୍ଚିମବଙ୍ଗ, ମଣିପୁର ପରି ଓଡିଶା ମଧ୍ୟ ଏକ ପାୱାରହାଉସରେ ପରିଣତ ହୋଇପାରିଛି ।
ଅନେକ ଝିଅଙ୍କ ପ୍ରତିଭା ଚିହ୍ନିବା ସହ ସେମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଓ ପ୍ରୋତ୍ସାହନ ଦେଇ ତାରକା ଫୁଟବଲର ଭାବେ ଗଢି ତୋଳିବାରେ ନନ୍ଦକିଶୋରଙ୍କ ଅବଦାନ ଅତୁଳନୀୟ । ବିଷ୍ଣୁପ୍ରିୟା ମହନ୍ତ, ରୁନି ନାୟକ, ଯଶୋଦା ମୁଣ୍ଡା, ମାମାଲି ଦାସ ଗୋଟିଏ ଗୋଟିଏ ଉଦାହରଣ । ଏମାନେ ଆଜି ଜାତୀୟ ମହିଳା ଫୁଟବଲରେ ତାରକା ଖେଳାଳି ଭାବେ ପରିଚିତ । ଆଉ ଏହା ସମ୍ଭବ ହୋଇପାରିଛି ସେମାନଙ୍କ ପ୍ରିୟ ଟୁଟୁ ସାରଙ୍କ ଯୋଗୁଁ ।
ଓଡିଶା ମହିଳା ଫୁଟବଲ୍ ଦଳର କୋଚ୍ ଭାବେ ଅନେକ ଜାତୀୟ ସଫଳତା ଆଣିଛନ୍ତି ନନ୍ଦକିଶୋର ପଟ୍ଟନାୟକ । ଫୁଟବଲ କୋଚିଂ ପାଇଁ ତାଙ୍କୁ ମିଳିଛି ଅନେକ ସମ୍ମାନ ଓ ସ୍ୱୀକୃତି । ଶ୍ରେଷ୍ଠ କୋଚ୍ ପାଇଁ ତାଙ୍କୁ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ପ୍ରଦାନ କରାଯାଇଥିଲା ।
( ଲେଖକ ଜଣେ ବରିଷ୍ଠ ସାମ୍ବାଦିକ )