କୋଭିଡ୍‌-୧୯ର ତୃତୀୟ ଲହରୀ ବି ହେବ ଭୟଙ୍କର, ତିନି ମାସ ଯାଏଁ ରହିବ: ରିପୋର୍ଟ | News Room Odisha

କୋଭିଡ୍‌-୧୯ର ତୃତୀୟ ଲହରୀ ବି ହେବ ଭୟଙ୍କର, ତିନି ମାସ ଯାଏଁ ରହିବ: ରିପୋର୍ଟ

ନୂଆଦିଲ୍ଲୀ: ଭାରତରେ କୋଭିଡ୍‌-୧୯ର ଦ୍ୱିତୀୟ ଲହରୀ ଦୁର୍ବଳ ହେବାରେ ଲାଗିଥିବା ବେଳେ ତୃତୀୟ ଲହରୀକୁ ନେଇ ଆସିଛି ଛାନିଆ କଲାଭଳି ରିପୋର୍ଟ । ଦ୍ୱିତୀୟ ଲହରୀ ଭଳି ତୃତୀୟ ଲହରୀ ମଧ୍ୟ ଭୟଙ୍କର ହେବ ଏବଂ ମୃତ୍ୟୁର ତାଣ୍ଡବ ରଚିବ । ତୃତୀୟ ଲହରୀର ତୀବ୍ରତା ନେଇ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଏସ୍‌ବିଆଇ) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏଭଳି ପୂର୍ବାନୁମାନ କରାଯାଇଛି ।

ଏହି ରିପୋର୍ଟରେ କୁହାଯାଇଛି ଯେ, ଦ୍ୱିତୀୟ ଲହରୀ ଭଳି ତୃତୀୟ ଲହରୀର ତୀବ୍ରତା ବି ସମାନ ରହିବ । ତେବେ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଗଲେ ତୃତୀୟ ଲହରୀରେ ମୃତ୍ୟୁ ସଂଖ୍ୟା ସୀମିତ ରଖାଯାଇ ପାରିବ । ତୃତୀୟ ଲହରୀ ପ୍ରାୟ ୧୦୦ ଦିନ ଯାଏଁ ରହିବ । ଅନ୍ୟ ଦେଶ ଗୁଡିକରେ ବି ତୃତୀୟ ଲହରୀ ସଂକ୍ରମଣର ଅବଧି ୯୮ ରୁ ୧୦୮ ଦିନ ହୋଇଥିବା ରେକର୍ଡ କରାଯାଇଛି । ତୃତୀୟ ଲହରୀରେ ଶୀର୍ଷ ସଂକ୍ରମର ଦ୍ୱିତୀୟ ଲହରୀ ଠାରୁ ୧.୮ ଗୁଣ ଅଧିକ ହେବ ବୋଲି ଏସ୍‌ବିଆଇ ରିପୋର୍ଟରେ ଆକଳନ କରାଯାଇଛି ।

କୋଭିଡ୍‌-୧୯ର ଦ୍ୱିତୀୟ ଲହରୀ ଭାରତରେ ଅସମ୍ଭାଳ ସ୍ଥିତି ସୃଷ୍ଟି କରିଥିଲା । ଦୈନିକ ସଂକ୍ରମଣ ଓ ମୃତ୍ୟୁରେ ଭାରତ ସବୁ ରେକର୍ଡକୁ ଟପିଯାଇଥିଲା । ଏପରିକି ଦୈନିକ ସଂକ୍ରମଣ ୪ ଲକ୍ଷ ଟପିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୪ ହଜାର ଅତିକ୍ରମ କରିଥିଲା ।

ଭାରତରେ ଏବେ ଦ୍ୱିତୟ ଲହରୀ ଦୁର୍ବଳ ହେବାର ଲାଗିଛି । ତଥାପି ଏପ୍ରିଲ ତୁଳନାରେ ମେ’ ମାସରେ ଦେଶରେ ୩୦% ଅଧିକ ମାମଲା ରେକର୍ଡ କରାଯାଇଛି । ଭାରତରେ କେବଳ ମେ’ରେ ୧.୨ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି ।

COVID-19