ମେହୁଲ ଚୋକ୍‌ସିର ଜାମିନ ଆବେଦନ ଖାରଜ | News Room Odisha

ମେହୁଲ ଚୋକ୍‌ସିର ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ: ପିଏନ୍‌ବି ସ୍କାମ୍ ଅଭିଯୁକ୍ତ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସିକୁ ଡୋମିନିକା କୋର୍ଟରୁ କୌଣସି ଆଶ୍ୱସ୍ତି ମିଳିନାହିଁ । ଚୋକ୍‌ସିର ଜାମିନ ଆବେଦନକୁ ଖାରଜ କରିଛନ୍ତି କୋର୍ଟ । ଡୋମିନିକାରେ ବେଆଇନ ଅନୁପ୍ରବେଶ କରିବା ଅଭିଯୋଗରେ ଚୋକ୍‌ସି ସମ୍ପ୍ରତି ଡୋମିନିକା ସିଆଇଡିର ହେପାଜତରେ ଅଛି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁନ୍ ୧୪ରେ ହେବ । ତେବେ ଚୋକ୍‌ସିର ଭାରତର ପ୍ରତ୍ୟର୍ପଣ ମାମଲାର ଆଜି ପୁଣି ଶୁଣାଣି ହେବ । ଚୋକ୍‌ସିକୁ ଆଣିବା ପାଇଁ ଭାରତର ୭ ଜଣିଆ ପ୍ରତିନିଧି ଡୋମିନିକାରେ ଅଛନ୍ତି । ଚୋକ୍‌ସିର ପ୍ରତ୍ୟର୍ପଣ ପାଇଁ ସବୁ ପ୍ରମାଣ ଭାରତ ଡୋମିନିକା କୋର୍ଟରେ ଉପସ୍ଥାପନ କରିଛି ।

ମେ ୨୩ରେ ଚୋକ୍‌ସି ରହସ୍ୟଜନକ ଭାବେ ଆଣ୍ଟିଗୁଆରୁ ନିଖୋଜ ହୋଇଯାଇଥିଲା । ତିନି ଦିନ ପରେ ତାକୁ ପଡ଼ୋଶୀ ଡୋମିନିକାରେ ଗିରଫ କରାଯାଇଥିଲା । ଡୋମିନିକାରେ ବେଆଇନ ଭାବେ ପ୍ରବେଶ କରିଥିବାରୁ ତାକୁ ସେଠାକାର କ୍ରାଇମ୍ ଇନଭେଷ୍ଟିଗେସନ ଡିପାର୍ଟମେଣ୍ଟ୍ (ସିଆଇଡି) ନିଜ ହେପାଜତକୁ ନେଇଥିଲା । ଚୋକ୍‌ସି ନିଜ ଗାର୍ଲଫ୍ରେଣ୍ଡ୍ ସହିତ ଏକ ରୋମାଣ୍ଟିକ୍ ଟ୍ରିପ୍‌ରେ ଡୋମିନିକା ଯାଇଥିଲା ବୋଲି ଚର୍ଚ୍ଚା ହୋଇଥିଲା । ଉଲ୍ଲେଖଯୋଗ୍ୟ, ପିଏନ୍‌ବି ସ୍କାମ୍ ସାମ୍ନାକୁ ଆସିବା ପରେ ଚୋକ୍‌ସି ଭାରତ ଛାଡ଼ି ଆଣ୍ଟିଗୁଆ ପଳାଇଥିଲା । ସେ ୨୦୧୮ରୁ ଆଣ୍ଟିଗୁଆରେ ଜଣେ ନାଗରିକ ଭାବେ ରହୁଥିଲା ।