ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ନେତୃତ୍ୱରେ ଉଚ୍ଚସ୍ତରୀୟ ବୈଷୟିକ କମିଟିର ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର ପ୍ରସ୍ତାବିତ ବିଭିନ୍ନ ପ୍ରକଳ୍ପ ସ୍ଥାନ ପରିଦର୍ଶନ | News Room Odisha

ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ନେତୃତ୍ୱରେ ଉଚ୍ଚସ୍ତରୀୟ ବୈଷୟିକ କମିଟିର ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର ପ୍ରସ୍ତାବିତ ବିଭିନ୍ନ ପ୍ରକଳ୍ପ ସ୍ଥାନ ପରିଦର୍ଶନ

ଭୁବନେଶ୍ୱର: ଆଜି ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ଜ୍ୟୋତିର୍ମୟ ରଥଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ବୈଷୟିକ କମିଟି ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ରେମୁଣା ବ୍ଲକ ଅଧିନସ୍ଥ ଦରକୁଲି ଗ୍ରାମ ନିକଟରେ ପ୍ରସ୍ତାବିତ ବାଙ୍କତୀରା ବ୍ୟାରେଜ୍ ପ୍ରକଳ୍ପର ସ୍ଥାନ ପରିଦର୍ଶନ କରି ପ୍ରକଳ୍ପର ସଠିକତା ଅନୁଧ୍ୟାନ କରିଥିଲେ । ଏହି ପ୍ରକଳ୍ପଟି କାର୍ଯ୍ୟକ୍ଷମ ହେଲେ,ବାଲେଶ୍ୱର ଜିଲ୍ଲାର ରେମୁଣା, ସଦର ଓ ବସ୍ତା ବ୍ଲକର ପ୍ରାୟ ୧୦୭ଟି ଗ୍ରାମର ୬୧୦୦ ହେକ୍ଟର ଜମିରେ ଜଳସେଚନ ସୁବିଧା ହୋଇପାରିବ । ଏହାପରେ ଉକ୍ତ ବୈଷୟିକ କମିଟି ମୟୂରଭଞ୍ଜ ଜିଲ୍ଲାର ଗୋପବନ୍ଧୁନଗର ବ୍ଲକ ଅନ୍ତର୍ଗତ ପୁରୋଡିହି ଗ୍ରାମ ନିକଟରେ ପ୍ରସ୍ତାବିତ ସୋନୋ ବ୍ୟାରେଜ୍ ପ୍ରକଳ୍ପର ସ୍ଥାନ ପରିଦର୍ଶନ କରିଥିଲେ ।

ଏହି ପ୍ରକଳ୍ପଟି କାର୍ଯ୍ୟକ୍ଷମ ହେଲେ ମୟୂରଭଞ୍ଜ ଜିଲ୍ଲାର ଗୋପବନ୍ଧୁ ନଗର ଓ ବଡସାହି ବ୍ଲକ ଏବଂ ବାଲେଶ୍ୱର ଜିଲ୍ଲାର ନୀଳଗିରି ଏବଂ ରେମୁଣା ବ୍ଲକର ସମୁଦାୟ ୧୩୯ଟି ଗ୍ରାମରେ ପ୍ରାୟ ୯୯୦୦ ହେକ୍ଟର ଜମିକୁ ଜଳସେଚନ ସୁବିଧା କରାଯାଇପାରିବ । ବୈଷୟିକ ଆବଶ୍ୟକତା ଏବଂ ପ୍ରକଳ୍ପର କାର୍ଯ୍ୟକାରିତା ଦୃଷ୍ଟିରୁ ଉକ୍ତ ଦୁଇ ପ୍ରକଳ୍ପର ନିର୍ଦ୍ଧାରିତ ସ୍ଥାନଗୁଡିକ ଉପଯୁକ୍ତ ବୋଲି କମିଟି ମତ ପ୍ରକାଶ କରିଥିଲେ ।ଏହାପରେ ଉକ୍ତ କମିଟି ଯାଜପୁର ସହର ପାଶ୍ୱର୍ବର୍ତୀ ସପ୍ତମାତୃକା ବ୍ୟାରେଜ୍ ପ୍ରକଳ୍ପ ପରିଦର୍ଶନ କରି ଏହାର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ ।