ସାମ୍ବାଦିକ ବିନୋଦ ଦୁଆଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରଦ୍ଦ କଲେ ସୁପ୍ରିମକୋର୍ଟ | News Room Odisha

ସାମ୍ବାଦିକ ବିନୋଦ ଦୁଆଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ ବିରୋଧରେ ରୁଜୁ ହୋଇଥିବା ଏକ ଦେଶଦ୍ରୋହ ମାମଲାକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି । ଦୁଆଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ସହ ପ୍ରତ୍ୟେକ ସାମ୍ବାଦିକଙ୍କୁ ଏଭଳି ମାମଲରୁ ସୁରକ୍ଷା ଦିଆଯାଇଛି ବୋଲି ସର୍ବୋଚ୍ଚ ନ୍ୟାୟାଳୟ ୧୯୬୨ର ଏକ ରାୟର ଉଦାହରଣ ଦେଇ କହିଛନ୍ତି ।

ଗତବର୍ଷ ଦିଲ୍ଲୀରେ ଘଟିଥିବା ଦଙ୍ଗା ଉପରେ ବିନୋଦ ଦୁଆଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରସାରିତ ଏକ ଶୋ’ ପାଇଁ ହିମାଚଳ ପ୍ରଦେଶର ଜଣେ ବିଜେପି ନେତା ତାଙ୍କ ବିରୋଧରେ ଦେଶଦ୍ରୋହ ଆଇନ ଅଧୀନରେ ଏଫ୍‌ଆଇଆର ରୁଜୁ କରିଥିଲେ । ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲାକୁ ଦୁଆ ସୁପ୍ରିମକୋର୍ଟର ଚ୍ୟାଲେଞ୍ଜ କରିଥିଲେ । ଗତବର୍ଷ ଅକ୍ଟୋବରରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ମମାଲାରେ ରାୟ ସଂରକ୍ଷିତ ରଖିଥିଲେ ।

ଦୁଆଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରଦ୍ଦ କରିବା ସହ ସୁପ୍ରିମକୋର୍ଟ ୧୯୬୨ କେଦାରନାଥ ସିଂହ ମାମଲାରେ ରାୟର ଉଦାହରଣ ଦେଇ କହିଛନ୍ତି ଯେ, ସରକାରଙ୍କ ନୀତିକୁ କଡ଼ା ଭାଷାରେ ନିନ୍ଦା କରିବା ଦେଶଦ୍ରୋହ ନୁହେଁ । ଏଭଳି ମାମଲାରେ ସବୁ ସାମ୍ବାଦିକ ସୁରକ୍ଷା ପାଇବା ହକ୍‌ଦାର ।