ବିପିସିଏଲ୍ ଘରୋଇକରଣ: ସୋମବାର ଶେଷ ହେବ ନିଲାମ, ରିଲାଏନ୍ସ ଉପରେ ନଜର | News Room Odisha

ବିପିସିଏଲ୍ ଘରୋଇକରଣ: ସୋମବାର ଶେଷ ହେବ ନିଲାମ, ରିଲାଏନ୍ସ ଉପରେ ନଜର

ନୂଆଦିଲ୍ଲୀ – ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍ (ବିପିସିଏଲ୍)ର ଘରୋଇକରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ବିପିସିଏଲର ପ୍ରାରମ୍ଭିକ ପର୍ଯ୍ୟାୟ ନିଲାମ ସୋମବାର ଶେଷ ହେଉଛି । ତେବେ ବ୍ରିଟେନର ବିପି, ଫ୍ରାନ୍ସର ଟୋଟଲ ଓ ସାଉଦି ଆରବର ଅରାମକୋ ଭଳି କମ୍ପାନୀ ବିପିସିଏଲ୍ର ଅଧିଗ୍ରହଣ ନେଇ ଆଗ୍ରହୀ ନଥିବା ସଙ୍କେତ ମିଳିିଛି । ଏଭଳି ସ୍ଥଳେ ଏବେ ରିଲାଏନ୍ସ ଉପରେ ନଜର ରହିଛି ।

ଭାରତର ଦ୍ୱିତୀୟ ସର୍ବବୃହତ କମ୍ପାନୀ ବିପିସିଏଲ୍ ରୁ କେନ୍ଦ୍ର ସରକାର ନିଜର ୫୨% ଅଂଶଧନ ବିିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଏନେଇ ଆଗ୍ରହୀ କମ୍ପାନୀଙ୍କ ତରଫରୁ ଇଚ୍ଛାପତ୍ର (ଏକ୍ସପ୍ରେସନ୍ ଅଫ୍ ଇଣ୍ଟରେଷ୍ଟ) ଦାଖଲ କରିବା ଶେଷତାରିଖକୁ ସରକାର ଚାରିଥର ବୃଦ୍ଧି କରିସାରିଲେଣି । ଏବେ ପୁଣି ସମୟସୀମା ୧୬ ନଭେମ୍ବରକୁ ବୃଦ୍ଧି କରାଯାଇଛି । ଏହି ସମୟସୀମାକୁ ଆଉ ବଢାଯିବ ନାହିଁ ବୋଲି ନିବେଶ ଓ ସାଧାରଣ ସମ୍ପତି ପ୍ରବନ୍ଧନ ବିଭାଗ (ଡିଆଇପିଏଏମ) ସଚିବ ତୁହିନ କାନ୍ତ ପାଣ୍ଡେ କହିଛନ୍ତି । ସୂଚନା ମୁତାବକ, ବିପିସିଏଲର ଅଧିଗ୍ରହଣ ନେଇ ବିପି ଓ ଟୋଟଲ ବିଡ୍ ଦାଖଲ କରିବା ସମ୍ଭାବନା ନଥିବା ବେଳେ ରୁଷ୍ ର ପ୍ରମୁଖ କମ୍ପାନୀ ରୋଜନେପ୍ଟ ମଧ୍ୟ ଏହି ଭାରତୀୟ ତୈଳ କମ୍ପାନୀକୁ କିଣିବାକୁ ଆଗ୍ରହୀ ନୁହେଁ ।

ବିଶ୍ୱରେ ଏବେ ପାରମ୍ପରିକ ଇନ୍ଧନର ଚାହିଦା ହ୍ରାସ ପାଉଥିବା ବେଳେ ୧୦ ବିଲିୟନ୍ ଡଲାରରେ ବିପିସିଏଲ୍ କିଣିବା ଲାଗି କମ୍ପାନୀମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି । ଏହାଛଡ଼ା କୋଭିଡ୍-୧୯ ମହାମାରୀ କାରଣରୁ ପାରମ୍ପରିକ ଇନ୍ଧନର ଚାହିଦା କମିଥିବା ବେଳେ ହାଇଡ୍ରୋଜେନ୍ ତଥା ବ୍ୟାଟେରୀ ଚାଳିତ ଯାନର ଚାହିଦା ବୃଦ୍ଧି ପାଇଛି । ଶୁକ୍ରବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ବିପିସିଏଲ୍ କାରବାର ସେୟାର ପିଛା ୪୧୭.୨୦ ଟଙ୍କାରେ ଶେଷ ହୋଇଥିଲା । ଏହି ହାରରେ ବିପିସିଏଲରେ ସରକାରଙ୍କ ୫୨% ଅଂଶଧନ ମୂଲ୍ୟ ୪୭,୪୩୦ କୋଟି ହେବ ।