ଦିଲ୍ଲୀ, ମୁମ୍ବାଇରେ ଆଜିଠୁ ଅନ୍‌ଲକ୍‌; ଖୋଲିବ ବଜାର, ସପିଂ ମଲ୍‌, ଚାଲିବ ମେଟ୍ରୋ | News Room Odisha

ଦିଲ୍ଲୀ, ମୁମ୍ବାଇରେ ଆଜିଠୁ ଅନ୍‌ଲକ୍‌; ଖୋଲିବ ବଜାର, ସପିଂ ମଲ୍‌, ଚାଲିବ ମେଟ୍ରୋ

ନୂଆଦିଲ୍ଲୀ/ମୁମ୍ବାଇ: କରୋନା ସ୍ଥିତିରେ ସୁଧାର ଆସିଥିବାରୁ ଦିଲ୍ଲୀ ଓ ମୁମ୍ବାଇ ସହିତ ଦେଶର କିଛି ସହରରେ ଆଜିଠାରୁ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ଦିଲ୍ଲୀରେ କିଛି କଟକଣାକୁ କୋହଳ କରାଯାଇଛି । ଯୁଗ୍ମ-ଅଯୁଗ୍ମ ଭିତ୍ତିରେ ବଜାର, ସପିଂ ମଲ୍ ସକାଳ ୧୦ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲିବ । ସେହିପରି ବିଭିନ୍ନ ସାହିବସ୍ତି, ସୋସାଇଟି ଏବଂ ଛୋଟ କଲୋନୀରେ ଥିବା ଦୋକାନ ଗୁଡିକ ମଧ୍ୟ ସକାଳ ୧୦ରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ । ମଦ ଦୋକାନ ଯୁଗ୍ମ-ଅଯୁଗ୍ମ ଫର୍ମୁଲା ଭତ୍ତିରେ ଖୋଲାଯିବ । ତେବେ କଣ୍ଟେନମେଣ୍ଟ୍ ଜୋନ୍‌ରେ କଟକଣା କୋହଳ କରାଯାଇ ନାହିଁ ।

ରେସ୍ତୁରାଁ, ବାର୍‌, ପାର୍କ, ଗାର୍ଡେନ୍‌, ସେଲୁନ୍‌, ବ୍ୟୁଟି ପାର୍ଲର ଗୁଡିକୁ ଏବେ ଖୋଳିବାକୁ ଅନୁମତି ଦିଆଯିବ ନାହିଁ । ଦିଲ୍ଲୀ ପରିବହନର ଜୀବନରେଖା ମେଟ୍ରୋ ୫୦% ଯାତ୍ରୀ ସହ ଚାଲିବ । ଦୁଇଟି ମେଟ୍ରୋ ମଧ୍ୟରେ କିଛି ସମୟ ବ୍ୟବଧାନ ରଖାଯାଇଛି । ଯାତ୍ରୀ ମାନଙ୍କୁ କୋଭିଡ୍ ଗାଇଡ୍‌ଲାଇନ୍ ପାଳନ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।

ମହାରାଷ୍ଟ୍ରରେ ମଧ୍ୟ ପାଞ୍ଚ ପର୍ଯ୍ୟାୟରେ ଅନ୍‌ଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ସକ୍ରିୟ ମାମଲାକୁ ଦେଖି ବିଭିନ୍ନ ଜିଲ୍ଲାଗୁଡିକୁ ଭିନ୍ନ ଭିନ୍ନ ବର୍ଗରେ ରଖାଯାଇଛି । ମୁମ୍ବାଇକୁ ତୃତୀୟ ଶ୍ରେଣୀ ବର୍ଗରେ ସାମିଲ କରାଯାଇଛି । ମୁମ୍ବାଇରେ ଗତ ୨୪ ଘଣ୍ଟାର ଆଉ ୮୦୦ ନୂଆ ମାମଲା ଆସିଛି ଏବଂ ୨୦ ଜଣଙ୍କର ମୃତ୍ୟୁ ହୋଇଛି ।

ମୁମ୍ବାଇ ସହ ମହାରାଷ୍ଟ୍ରର କିଛି ପ୍ରମୁଖ ସହରରେ ଆଜିଠାରୁ ରେସ୍ତୁରାଁ, ଦୋକାନ, ସର୍ବସାଧାରଣ ସ୍ଥାନ ଖୋଲାଯିବ । ତେବେ ଲୋକଙ୍କୁ କୋଭିଡ୍ ଗାଇଡ୍‌ଲାଇନ୍ ପାଳନ କରିବାକୁ ପଡ଼ିବ । ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନ ଗୁଡିକ ପ୍ରତିଦିନ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖୋଲା ରହିବ । ଅଣ ଜରୁରୀ ଦୋକାନ ସପ୍ତାହକୁ କେବଳ ଥରେ ଖେଳା ରହିବ । ମଲ୍‌, ଥିଏଟର, ମଲ୍ଟିପ୍ଲେକ୍ସ ଗୁଡିକୁ ଏବେ ଖୋଲିବା ପାଇଁ ଅନୁମତି ଦିଆଯିବ ନାହିଁ । ରେସ୍ତୁରାଁ କେବଳ ୫୦ ପ୍ରତିଶତ କ୍ଷମତା ସହ ଖୋଲାଯିବ । ସେହିପରି ମୁମ୍ବାଇର ‘ବେଷ୍ଟ’ ବସ୍ ସେବା ମଧ୍ୟ ଆଜି ଠାରୁ ଆରମ୍ଭ ହେବ । ଯାତ୍ରୀଙ୍କ ପାଇଁ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି ।