୮ ମାସ ପରେ ମହାରାଷ୍ଟ୍ରରେ ଖୋଲିଲା ଉପାସନା ପୀଠ | News Room Odisha

୮ ମାସ ପରେ ମହାରାଷ୍ଟ୍ରରେ ଖୋଲିଲା ଉପାସନା ପୀଠ

ମୁମ୍ବାଇ – ମହାରାଷ୍ଟ୍ରରେ ସୋମବାର ଠାରୁ ସବୁ ଉପାସନା ପୀଠ ଖୋଲିଛି । ଗତ କିିଛିଦିନ ତଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏନେଇ ଘୋଷଣା କରିଥିଲେ । ତେବେ ସବୁ ଉପାସନା ପୀଠରେ କଡ଼ାକଡ଼ି କୋଭିଡ୍ ଗାଇଡଲାଇନ୍ ପାଳନ କରାଯିବାକୁ ବାଧ୍ୟତାମୂଳକ କରାଯାଇଛି । ରାଜ୍ୟରେ ସବୁ ଧାର୍ମିକସ୍ଥଳ ଖୋଲିବା ନେଇ ବିରୋଧୀ ଦଳ ମଧ୍ୟ ଦାବି କରିଥିଲେ ।

ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ଜାରି ଗାଇଡ୍‌ଲାଇନ୍ ଅନୁଯାୟୀ, ମାସ୍କ ପିନ୍ଧିଥିଲେ ହିଁ ଭକ୍ତଙ୍କୁ ଉପାସନା ପୀଠକୁ ପ୍ରବେଶ ଅନୁମତି ଦିଆଯିବ । ସବୁ ପୀଠରେ ସାମାଜିକ ଦୂରତା ରକ୍ଷା କରାଯିବାକୁ ବି ନିର୍ଦ୍ଦେଶ ରହିଛି । ଭକ୍ତମାନଙ୍କ ମଧ୍ୟରେ ୬ ଫୁଟର ଦୂରତା ରହିବ । ୬୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା, ୧୦ ବର୍ଷରୁ କମ୍ ପିଲାମାନେ ଏବଂ ଅନ୍ୟାନ୍ୟ ରୋଗରେ ପୀଡିତ ବ୍ୟକ୍ତିଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି ।

ଏହାଛଡ଼ା ଧାର୍ମିକସ୍ଥଳ ଗୁଡିକରେ ସାନିଟାଇଜର ତଥା ସାବୁନରେ ହାତ ଧୋଇବାକୁ ବାଧ୍ୟତାମୂଳକ କରାଯାଇଛି । ଏହି ସବୁ ଗାଇଡଲାଇନ୍ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମହାରାଷ୍ଟ୍ର ସରକାରଙ୍କ ତରଫରୁ କୁହାଯାଇଛି ।