ମହିଳା ଓ ଶିଶୁବିକାଶ ବିଭାଗର ‘ ଟିକି ମାଉସୀ କହେ ’ ଅଭିଯାନର ଶୁଭାରମ୍ଭ | News Room Odisha

ମହିଳା ଓ ଶିଶୁବିକାଶ ବିଭାଗର ‘ ଟିକି ମାଉସୀ କହେ ’ ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର: କୋଭିଡର ତୃତୀୟ ଲହରକୁ ଦୃଷ୍ଟିରେ ରଖୁ ଏଭଳି ସଂକଟରୁ ଉଦ୍ଧାର ପାଇବା ନିମନ୍ତେ ଆମକୁ ସୁଚିନ୍ତିତ କୌଶଳ ଆପଣାଇବାକୁ ପଡ଼ିବ , ଯାହାଦ୍ୱାରା ମୂଲ୍ୟବାନ ଜୀବନ ସୁରକ୍ଷିତ ରହିପାରିବ । ଏଥିପାଇଁ କୋଭିଡ୍ ସଚେତନତା ଏବଂ ନିୟମାବଳୀର କଠିନ ଅନୁପାଳନ ବ୍ୟବସ୍ଥାକୁ ଆମକୁ ଆହୁରି ଦୃଢ଼ୀଭୂତ କରିବାକୁ ହେବ । ପରିସ୍ଥିତିର ଦୃଢ଼ ମୁକାବିଲା କରିବା , ଯୋଗାଯୋଗ ମାଧମକୁ ଆହୁରି ସକ୍ରିୟ କରିବା , ଏବଂ ସମାଜର ସବୁଠାରୁ ଶେଷଧାଡ଼ିରେ ଠିଆ ହୋଇଥିବା ଲୋକଟି ପାଖରେ କିଭଳି କୋଭିଡ୍ ସମ୍ବନ୍ଧୀୟ ସଠିକ ତଥ୍ୟ ଓ ସୂଚନା ପହଞ୍ଚିପାରିବ ସେଥିପାଇଁ ‘ ଟିକି ମାଉସୀ କହେ ’ ଏକ ଅଭିନବ ଅଭିଯାନ ବୋଲି ମିହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ମତବ୍ୟକ୍ତ କରିଛନ୍ତି ।

ଆଜି ଅପରାହ୍ନରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଭର୍ଚୁଆଲ ମାଧ୍ୟମରେ ଟିକି ମାଉସୀ କହେ ’ କମିକ୍ ବୁକ୍ , ପ୍ରଚାର ଓ ପ୍ରସାର ସାମଗ୍ରୀ ଏବଂ ଆନିମେଶନର ଲୋକାର୍ପଣ କରି ମନ୍ତ୍ରୀ ଶ୍ରୀମତୀ ସାହୁ କହିଲେ , ବିଭାଗର ମାସ୍କଟ ଟିକି ମାଉସୀ ଜରିଆରେ କୋଭିଡ଼ ମାର୍ଗଦର୍ଶିକା ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଇପାରିବ , ଏବଂ ଏହି ବାର୍ତ୍ତା ଅତିଶୀଘ୍ର ଏବଂ ସହଜରେ ଗୋଷ୍ଠୀର ସମସ୍ତ ସଦସ୍ୟଙ୍କ ନିକଟରେ ପହଞ୍ଚିପାରିବ । ବିଶେଷ କରି କୋଭିଡ୍ ସମୟରେ ମହିଳା , କିଶୋରୀ ଓ ଶିଶୁଙ୍କ ପୃଷ୍ଟିସାଧନ , ହିଂସାର ଶିକାର ହେଉଥିବା ମହିଳା ଓ କିଶୋରୀଙ୍କୁ ସୁରକ୍ଷା , କୋଭିଡ୍ ପ୍ରଭାବିତ ଶିଶୁମାନଙ୍କ ନିରାପତ୍ତା , ଶିଶୁ ଯତ୍ନ ଅନୁଷ୍ଠାନ ଏବଂ ଆଶ୍ରୟ ଗୃହର ଅନ୍ତେବାସୀମାନଙ୍କ ପାଇଁ ଜାଣିବା କଥା ଆଦି ସଂପର୍କରେ ଏହିସବୁ ପ୍ରଚାର ପୁସ୍ତିକା ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ କହିଛନ୍ତି ।

ଏହିସବୁ ପୁସ୍ତିକା ପ୍ରକାଶନ ଏବଂ ଏହାର ଆବଶ୍ୟକତା ଏବଂ ବ୍ୟବହାର ସଂପର୍କରେ ସୂଚନା ପ୍ରଦାନ କରି ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କହିଲେ , କୋଭିଡ୍ ଯୁଦ୍ଧରେ ଆମର ଆଗଧାଡ଼ିର କାର୍ଯ୍ୟକର୍ତ୍ତାମାନେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି । ସେମାନଙ୍କ ମାଧ୍ୟମରେ ଗୋଷ୍ଠୀ ସ୍ତରରେ ସଚେତନତା ସୃଷ୍ଟି ପାଇଁ ଉଦ୍ୟମ କରାଯାଇଛି । ଏଥିପାଇଁ ବିଭାଗ ତରଫରୁ ପ୍ରାୟ ୭୦ ହଜାରରୁ ଉଦ୍ଧ କାର୍ଯ୍ୟକର୍ତ୍ତାଙ୍କୁ ଭର୍ଚୁଆଲ ମାଧ୍ୟମରେ ପ୍ରଶିକ୍ଷଣ ଦିଆଯାଇଛି । ଏବେ ସେମାନେ ଆମ ବିଭାଗର ମାସ୍କଟ ‘ ଟିକି ମାଉସୀ’କୁ ସାମ୍ନାରେ ରଖି ଏହିସବୁ ପ୍ରଚାର ଓ ପ୍ରସାର ସାମଗ୍ରୀ ମାଧ୍ୟମରେ ବ୍ୟାପକ କୋଭିଡ୍ ସଚେତନତା ସୃଷ୍ଟି କରିବେ । କୋଭିଡ୍ ଆପ୍ରୋପ୍ରିଏଟ୍ ନ୍ୟୁଟ୍ରିସନ୍ । ( କ୍ୟାନ୍ ) , ମମତା ଦିବସ , ଶିଶୁମାନଙ୍କୁ ସ୍ତନ୍ୟପାନ , ଘରୋଇ ହିଂସା ବିରୁଦ୍ଧରେ ସଚେତନତା ସୃଷ୍ଟି ଆଦି କାର୍ଯ୍ୟକ୍ରମ ଏହା ମାଧ୍ୟମରେ ବେଶ୍ ଫଳପ୍ରଦ ହୋଇପାରିବ ବୋଲି ପ୍ରମୁଖ ଶାସନ ସଚିବ ଆଶାପ୍ରକାଶ କରିଛନ୍ତି ।

କାର୍ଯ୍ୟକ୍ରମରେ ଯୋଗଦେଇ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କହିଲେ , କୋଭିଡ୍ ଦ୍ବିତୀୟ ଲହରରେ ଯୁବଗୋଷ୍ଠୀ ଅଧ୍ୟକ ପ୍ରଭାବିତ ହୋଇଛନ୍ତି । ସେମାନେ ଆମର ଭବିଷ୍ୟତ । ବିଶେଷ କରି କୋଭିଡ୍ ସ୍ଥିତିରେ ବାଳିକାମାନେ ଅଧିକ ସମ୍ବେଦନ ପ୍ରବଣ ହେବାର ଆଶଙ୍କା ରହିଛି । ବାଳିକାମାନଙ୍କ କ୍ଷେତ୍ରରେ ସମ୍ଭାବ୍ୟ ବାଲ୍ୟବିବାହ , ଯୌନ ନିର୍ଯାତନା , କମ୍ ବୟସର ଗର୍ଭବତୀ ହେବା ଆଦି ପ୍ରସଙ୍ଗକୁ ନେଇ ପ୍ରମୁଖ ଶାସନ ସଚିବ ସେଠୀ ଉଦ୍‌ବେଗ ପ୍ରକାଶ କରିବା ସହ ଏହାକୁ ପ୍ରତିହତ କରିବା ଦିଗରେ ଏହିଭଳି କୌଶଳପୂର୍ଣ୍ଣ ପ୍ରଚାର ଓ ପ୍ରସାର ଲାଭଦାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ ।

ୟୁନିସେଫ ସହଯୋଗରେ ପ୍ରସ୍ତୁତ ଏହି ପ୍ରଚାର ଅଭିଯାନ ସଂପର୍କରେ ସୂଚନା ଦେଇ ୟୁନିସେଫ୍ , ଓଡ଼ିଶାର ମୁଖ୍ୟ କ୍ଷେତ୍ର ଅଧିକାରୀ ଡ . ମୋନିକା ନିଲେସନ୍ ମହିଳା ଓ ଶିଶୁ ବିକାଶ ବିଭାଗର ସମୟୋଚିତ ପଦକ୍ଷେପକୁ ପ୍ରଶଂସା କରିଥିଲେ ।

ଏହି ଅବସରରେ ଶିଶୁ ଚାଲାଣ ଏବଂ ଏହାର ମୁକାବିଲା ପାଇଁ ଆଇନଗତ ବ୍ୟବସ୍ଥା , ମହିଳା , କିଶୋରୀ ଓ ଶିଶୁମାନଙ୍କ ସୁରକ୍ଷା ପାଇଁ ଦିଆଯାଇଥିବା ବିଭିନ୍ନ ସହାୟତା ନମ୍ବର , ଆଇନଗତ ପୋଷ୍ୟସନ୍ତାନ ଗ୍ରହଣ , ଶିଶୁ ଯତ୍ନ ଅନୁଷ୍ଠାନଗୁଡ଼ିକରେ ମାସ୍କର ସଠିକ୍ ବ୍ୟବହାର , କୋଭିଡ୍ ନିୟମାବଳୀର ଅନୁପାଳନ , ମହିଳା , କିଶୋରୀ ଓ ଶିଶୁମାନଙ୍କ ପରିପୂରକ ପୁଷ୍ଟିସାଧନ ଆଦି ସଂପର୍କିତ ରଙ୍ଗୀନ ପୋଷ୍ଟର ଓ କମିକ୍ ବୁକ୍ ଉନ୍ମୋଚିତ ହୋଇଥିଲା । ଆନିମେସନ୍ ଜରିଆରେ ‘ ଟିକି ମାଉସୀ’ଙ୍କ ଦ୍ଵାରା ଶିଶୁ ସୁରକ୍ଷା ଉପରେ ଦିଆଯାଉଥିବା ସଚେତନତାର ବାର୍ତ୍ତା ପ୍ରଦର୍ଶିତ ହୋଇଥିଲା । ପ୍ରତ୍ୟେକ ପ୍ରଚାର ସାମଗ୍ରୀରେ ‘ ଟିକି ମାଉସୀଙ୍କୁ ମୁଖ୍ୟ ପ୍ରବକ୍ତା ଭାବେ ଉପସ୍ଥାପିତ କରାଯାଇଛି ଏବଂ ଏହିସବୁ ସାମଗ୍ରୀକୁ କ୍ଷେତ୍ରସ୍ତରରେ ବହୁଳ ଭାବେ ପ୍ରଚାର ପାଇଁ ବ୍ୟବହାର କାର୍ଯ୍ୟକୁ ନିଷ୍ପତ୍ତି ହୋଇଛି ।

ନିର୍ଦ୍ଦେଶକ , ସମାଜ କଲ୍ୟାଣ ଅରବିନ୍ଦ ଅଗ୍ରୱାଲ ଏହି ଅଭିଯାନର ସଫଳ ରୂପାୟନ ନିମନ୍ତେ କ୍ଷେତ୍ର କର୍ମଚାରୀମାନଙ୍କ ସକ୍ରିୟ ସହଯୋଗ କାମନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ଏହି ଭର୍ଚୁଆଲ ଲୋକାର୍ପଣ କାର୍ଯ୍ୟକ୍ରମରେ ବିଭାଗର ବରିଷ୍ଠ ଅଧୁକାରୀମାନଙ୍କ ସହ ଡିଏସଡବ୍ଲୁଓ , ସିଡ଼ିପିଓ , ଡିସିପିଓ , ପ୍ରୋଗ୍ରାମ ଅଫିସର , ଶିଶୁ ଯତ୍ନ ଅନୁଷ୍ଠାନ ଓ ଆଶ୍ରୟ ଗୃହର ପରିଚାଳକ ଓ କାର୍ଯ୍ୟକର୍ତ୍ତାମାନଙ୍କ ସମେତ ପ୍ରାୟ ୨୫୦୦ କ୍ଷେତ୍ର ଅଧକାରୀ ଓ କର୍ମଚାରୀ ଯୋଗଦେଇଥିଲେ ।