'୨-ଡିଜି' ଔଷଧ ତିଆରି କରିବାର ଜ୍ଞାନକୌଶଳ ଭାରତୀୟ ଫାର୍ମା କମ୍ପାନୀ ମାନଙ୍କୁ ହସ୍ତାନ୍ତର କରିବ ଡିଆରଡିଓ | News Room Odisha

‘୨-ଡିଜି’ ଔଷଧ ତିଆରି କରିବାର ଜ୍ଞାନକୌଶଳ ଭାରତୀୟ ଫାର୍ମା କମ୍ପାନୀ ମାନଙ୍କୁ ହସ୍ତାନ୍ତର କରିବ ଡିଆରଡିଓ

ହାଇଦ୍ରାବାଦ: ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ବର୍ତ୍ତମାନ କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସାରେ ବ୍ୟବହୃତ ଔଷଧ ଡିଓକ୍ସି-ଡି-ଗ୍ଲୁକୋଜ (୨-ଡିଜି) ତିଆରି କରିବାର ଜ୍ଞାନକୌଶଳ ଭାରତୀୟ ଫାର୍ମାସ୍ୟୁଟିକାଲ କମ୍ପାନୀ ଗୁଡ଼ିକୁ ହସ୍ତାନ୍ତର କରିବାକୁ ପ୍ରସ୍ତୁତି କରୁଛି। ଏଥିପାଇଁ ଡିଆରଡିଓ ଜୁନ୍ ୧୭ ପୂର୍ବରୁ ଇମେଲ୍ ମାଧ୍ୟମରେ ଆବେଦନ ଆହ୍ବାନ କରିଛି। ସୂଚନାଯୋଗ୍ୟ, ଡକ୍ଟର ରେଡ୍ଡୀ ଲାବୋରେଟୋରୀ ସହଯୋଗରେ ଡିଆରଡିଓର ଲାବୋରେଟୋରୀ ଇନଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁକ୍ଲିୟର ମେଡିସିନ୍ ଆଣ୍ଡ୍ ଆଲାଇଡ୍ ସାଇନ୍ସ (ଆଇଏନ୍ଏମ୍ଏଏସ) ଦ୍ଵାରା ୨-ଡିଜି ବିକଶିତ ହୋଇଛି |

କ୍ଲିନିକାଲ୍ ଟ୍ରାଏଲ୍ ଫଳାଫଳରୁ ଜଣାପଡିଛି ଯେ ଏହି ଔଷଧ ହସ୍ପିଟାଲରେ ଭର୍ତ୍ତି ରୋଗୀଙ୍କୁ ଶୀଘ୍ର ସୁସ୍ଥ କରିବାରେ ସହାୟକ ହୋଇଥାଏ ଏବଂ ଅକ୍ସିଜେନ ଉପରେ ସେମାନଙ୍କ ନିର୍ଭରଶୀଳତା ହ୍ରାସ କରିଥାଏ | ଏହି ଔଷଧ ସଂକ୍ରମିତ କୋଷଗୁଡ଼ିକୁ ଚିହ୍ନଟ କରେ ଏବଂ ଗ୍ଲୁକୋଜ ନେବା କ୍ଷମତାକୁ ଅବରୋଧ କରେ | ଫଳରେ ରୋଗୀ ଶୀଘ୍ର ସୁସ୍ଥ ହୋଇଯାଏ | ଡିଆରଡିଓ ସୂଚନା ଦେଇଛି ଯେ ୧୫ଟି କମ୍ପାନୀକୁ ସେମାନଙ୍କ ଟେକ୍ନୋଲୋଜି ଏବଂ ସାମର୍ଥ୍ୟ ଉପରେ ଆଧାର କରି ୨-ଡିଜି ଔଷଧର ଟେକ୍ନୋଲୋଜି ହସ୍ତାନ୍ତର କରାଯିବ | କମ୍ପାନୀଗୁଡିକ ଦ୍ୱାରା ଦାଖଲ ହୋଇଥିବା ଦସ୍ତାବିଜ ଗୁଡ଼ିକର ବୈଷୟିକ ମୂଲ୍ୟାଙ୍କନ କମିଟି (ଟିଏସି) ଦ୍ୱାରା ଯାଞ୍ଚ୍ କରାଯିବ |