କରୋନା ଅପଡେଟ୍: ଦିନକରେ ୮୦,୮୩୪ ନୂଆ ସଂକ୍ରମିତ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୩.୭୦ ଲକ୍ଷ ଉପରେ | News Room Odisha

କରୋନା ଅପଡେଟ୍: ଦିନକରେ ୮୦,୮୩୪ ନୂଆ ସଂକ୍ରମିତ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୩.୭୦ ଲକ୍ଷ ଉପରେ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ଦ୍ରୁତ ହ୍ରାସ ଘଟୁଛି। ୭୨ ଦିନ ପରେ କରୋନାର ସବୁଠୁ କମ୍ ମାମଲା ଆସିଛି | ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ଆଉ ୮୦,୮୩୪ ନୂତନ ମାମଲା ରିପୋର୍ଟ ହୋଇଛି । ଦିନକରେ ପୁଣି ୩୩୦୩ ସଂକ୍ରମିତ ଲୋକ ପ୍ରାଣ ହରାଇଛନ୍ତି। ଏଥିସହିତ କରୋନାରୁ ୧ ଲକ୍ଷ ୩୨ ହଜାର ଲୋକ ମଧ୍ୟ ଆରୋଗ୍ୟ ଲାଭ କରିଛନ୍ତି। ଏହାପୂର୍ବରୁ ଦେଶରେ ୩୧ ମାର୍ଚ୍ଚ ୨୦୨୧ରେ ୭୨,୩୦୩ ମାମଲା ରେକର୍ଡ କରାଯାଇଥିଲା ।

ଦେଶରେ ଏବେ ମୋଟ କରୋନା ମାମଲା ଦୁଇ କୋଟି ୯୪ ଲକ୍ଷ ୩୯ ହଜାର ୯୮୯କୁ ବୃଦ୍ଧି ପାଇଛି । ଏଯାବତ ଦୁଇ କୋଟି ୮୦ ଲକ୍ଷ ୪୩ ହଜାର ୪୪୬ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଦେଶରେ କରୋନା ଯୋଗୁଁ ମୋଟ ୩ ଲକ୍ଷ ୭୦ ହଜାର ୩୮୪ ଲୋକଙ୍କ ମୃତ୍ୟୁ ହୋଇଛି । ଏବେ ଭାରତରେ ୧୦ ଲକ୍ଷ ୨୬ ହଜାର ୧୫୯ ସକ୍ରିୟ ମାମଲା ରହିଛି ।

ଦେଶରେ ଲଗାତାର ୩୧ ଦିନ ପାଇଁ ସଂକ୍ରମିତଙ୍କ ଅପେକ୍ଷା ଅଧିକ ଲୋକ ସୁସ୍ଥ ହୋଇଛନ୍ତି। ଜୁନ୍ ୧୨ ପର୍ଯ୍ୟନ୍ତ ସାରା ଦେଶରେ ୨୫ କୋଟି ୩୧ ଲକ୍ଷ କରୋନା ଟିକା ଦିଆଯାଉଛି। ଗତକାଲି ୩୪ ଲକ୍ଷ ୮୪ ହଜାର ଟିକା ଦିଆଯାଇଥିଲା। ଦେଶରେ ଏପର୍ଯ୍ୟନ୍ତ ୩୭ କୋଟି ୮୨ ଲକ୍ଷ କରୋନା ପରୀକ୍ଷା କରାଯାଇଛି। ଗତ ଦିନରେ ପ୍ରାୟ ୨୦ ଲକ୍ଷ କରୋନା ନମୁନା ପରୀକ୍ଷା କରାଯାଇଥିଲା, ଯାହାର ପଜିଟିଭିଟି ହାର ୪ ପ୍ରତିଶତରୁ ଅଧିକ ରହିଛି ।