ସଶସ୍ତ୍ର ବାହିନୀ ପୋଷ୍ଟିଂ ପ୍ରସଙ୍ଗରେ ହସ୍ତକ୍ଷେପ କରିବେନି ସୁପ୍ରିମକୋର୍ଟ | News Room Odisha

ସଶସ୍ତ୍ର ବାହିନୀ ପୋଷ୍ଟିଂ ପ୍ରସଙ୍ଗରେ ହସ୍ତକ୍ଷେପ କରିବେନି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ – ସଶସ୍ତ୍ର ବାହିନୀ ପୋଷ୍ଟିଂ ମାମଲାରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରିଛନ୍ତି । ଏକ ପିଟିସନର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଯେ, କିଛି ଲୋକ ଲଦାଖ, ଅନ୍ୟ କେହି ନର୍ଥଇଷ୍ଟ ଏବଂ ଆଉ କିଛି ଲୋକ ଆଣ୍ଡାମାନ, ନିକୋବର ଦ୍ୱୀପପୁଞ୍ଜରେ ପୋଷ୍ଟିଂ ପାଇବା ଜରୁରୀ । ତେଣୁ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବା ଠିକ୍ ହେବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ।

ଏହି ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟର ଆଦେଶକୁ ଚାଲେଞ୍ଜ କରି ଜଣେ ସେନା କର୍ଣ୍ଣଲଙ୍କ ପିଟିସନ ଉପରେ ଶୁଣାଣି ବେଳେ ସୁପ୍ରିମକୋର୍ଟ ଏହା କହିଛନ୍ତି । ପୋଷ୍ଟିଂ ହୋଇଥିବା ସ୍ଥାନରେ ଦାୟିତ୍ୱ ଗ୍ରହଣ କରିବା ପାଇଁ ଉକ୍ତ କର୍ଣ୍ଣଲ ଓ ତାଙ୍କ ପତ୍ନୀଙ୍କୁ ଦିଲ୍ଲୀ ହାଇକୋର୍ଟ ଆଦେଶ ଦେଇଥିଲେ । ଆବେଦନକାରୀ ଜଣକ ହେଉଛନ୍ତି ଜଜ୍‌୍ ଆଡଭୋକେଟ୍ ଜେନେରାଲ (ଜେଏଜି) ବିଭାଗର ଜଣେ କର୍ମଚାରୀ । ଆବେଦନକାରୀ ମେ ୧୫ର ତାଙ୍କ ପୋଷ୍ଟିଂ ଅର୍ଡରକୁ ଚାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ସେ ତାଙ୍କ ପିଟିସନରେ ଦର୍ଶାଇଥିଲେ ଯେ, ସେ ଓ ତାଙ୍କ ପତ୍ନୀଙ୍କୁ ଆକ୍ରୋଶମୂଳକ ଭାବେ ଦୂରଦୂରାନ୍ତର ସ୍ଥାନକୁ ବଦଳି କରାଯାଇଛି । ରାଜସ୍ଥାନର ଯୋଧପୁର ଠାରୁ ଆଣ୍ଡାମାନ ଓ ନିକୋବରକୁ ତାଙ୍କ ବଦଳି ହୋଇଥିଲା । ସେହିପରି ତାଙ୍କ ପତ୍ନୀଙ୍କୁ ପଞ୍ଜାବର ଭଟିଣ୍ଡାକୁ ବଦଳି କରାଯାଇଥିଲା । ଏହି ଦମ୍ପତିଙ୍କ ତରଫରୁ ପ୍ରତିନିଧିତ୍ୱ କରୁଥିବା ଓକିଲ ଯୁକ୍ତି କରିଥିଲେ ଯେ, ଉଭୟଙ୍କୁ ଦୂରଦୂରାନ୍ତର ସ୍ଥାନକୁ ବଦଳି କରାଯାଇଛି । ସେମାନଙ୍କର ଏକ ଚାରିବର୍ଷର ଛୁଆ ଅଛି । ତଥାପି ଉଭୟେ ବଦଳି ହୋଇଥିବା ସ୍ଥାନରେ ଦାୟିତ୍ୱ ଗ୍ରହଣ କରିଛନ୍ତି । କିନ୍ତୁ ଦୂର ଜାଗାକୁ ବଦଳି ହୋଇଥିବାରୁ ଏବେ ଏହି ଦମ୍ପତି ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିବାକୁ ବାଧ୍ୟ ହୋଇଛନ୍ତି ।

ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ସୁପ୍ରିମକୋର୍ଟର ଏକ ଖଣ୍ଡପୀଠ କିନ୍ତୁ ଉକ୍ତ ଦମ୍ପତିଙ୍କ ଯୁକ୍ତିରେ ସହମତ ହୋଇନଥିଲେ । ଖଣ୍ଡପୀଠ କହିଥିଲେ ଯେ, ଦିଲ୍ଲୀରେ ଯୁଗ୍ମ ପୋଷ୍ଟିଂକୁ ଯଦି ସଶସ୍ତ୍ର ବାହିନୀ ବିରୋଧ କରୁଛି, ତେବେ ଏହା ଏକ କଠୋର ଆଭିମୁଖ୍ୟ । କିନ୍ତୁ କିଛି ବ୍ୟକ୍ତିଙ୍କୁ ଆଣ୍ଡାମାନ ଓ ନିକୋବାର ପଠାଇବା ଜରୁରୀ । ସେହିପରି ଲଦାଖ, ନର୍ଥଇଷ୍ଟ ଭଳି ସୁରକ୍ଷା ଦୃଷ୍ଟିରୁ ସମ୍ବେଦନଶୀଳ ଅଞ୍ଚଳକୁ ବି କିଛି ଲୋକଙ୍କୁ ଯିବାକୁ ପଡିବ । ଆମେ ସଶସ୍ତ୍ର ବାହିନୀ ପୋଷ୍ଟିଂ ପ୍ରସଙ୍ଗରେ ହସ୍ତକ୍ଷେପ କରିବା ଠିକ୍ ହେବ ନାହିଁ ବୋଲି ଖଣ୍ଡପୀଠ କହିଥିଲେ ।