ଲାଂଚ ନେଇ ଭିଜିଲାନ୍ସ ହାତରେ ଗିରଫ ହେଲେ ତରଭା ତହସିଲଦାର ସୁବ୍ରତ ବେହେରା | News Room Odisha

ଲାଂଚ ନେଇ ଭିଜିଲାନ୍ସ ହାତରେ ଗିରଫ ହେଲେ ତରଭା ତହସିଲଦାର ସୁବ୍ରତ ବେହେରା

ଭୁବନେଶ୍ୱର-ସୁବର୍ଣ୍ଣପୁର ଜିଲ୍ଲା ତରଭା ତହସିଲଦାର ସୁବ୍ରତ ବେହେରା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଏକ ଜମି ରେଜିଷ୍ଟ୍ରି କରିବାକୁ ତହସିଲଦାର ୨୦ ହଜାର ଟଙ୍କାର ଲାଂଚ ନେଉଥିବା ବେଳେ ଭିଜାଲାନ୍ସ ତାଙ୍କୁ ଧରିଥିଲା ।

ତରଭା ବ୍ଲକ ଶିବତୁଲା ପଂଚାୟତ ଘାଟକଇଁନ୍ତରାର କାହ୍ନୁଚରଣ ଦାଶ ତାଙ୍କର ଅନ୍ତର୍ଡା ମୌଜାରେ ଥିବା କିଛି ଜମି ତୁଲୁଣ୍ଡା ଗାଁର ରବୀନ୍ଦ୍ର ମିଶ୍ରଙ୍କୁ ବିକ୍ରି କରିଥିଲେ । ଏହାର ରେଜିଷ୍ଟ୍ରି କରିବାକୁ ତହସିଲଦାର ବେହେରା କାହ୍ନୁଙ୍କୁ ୨୦ ହଜାର ଟଙ୍କା ମାଗିଥିଲେ । ଫଳରେ କାହ୍ନୁ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ।

ସୋମବାର ରାତିରେ କାହ୍ନୁ ୪୦ଟି ୫୦୦ ଟଙ୍କିଆ ନୋଟ୍ ନେଇ ତହସିଲଦାରଙ୍କ ସରକାରୀ ବାସଭବନକୁ ଯାଇ ତାଙ୍କୁ ଦେଇଥିଲେ । ତୁରନ୍ତ ନିକଟରେ ଥିବା ଭିଜିଲାନ୍ସ ଟିମ୍ ସେଠାପେ ପହଂଚି ଟଙ୍କା ଜବତ କରିବା ସହ ତହସିଲଦାର ବେହେରାଙ୍କୁ ଗିରଫ କରି ସୋନପୁରକୁ ନେଇଥିଲେ ।

ଏହି ଚଢଉରେ ସମ୍ବଲପୁର ଭିଜିଲାନ୍ସ ଡିଏସପି ଦାଶରଥି ସେଠୀ, ଇନ୍ସପେକ୍ଟର କରନିୟସ ବିଲୁଙ୍ଗ, ଇନ୍ସପେକ୍ଟର ମାନସୀ ଜେନା, ଇନ୍ସପେକ୍ଟର ସଦାନନ୍ଦ ପାଣି, ଇନ୍ସପେକ୍ଟର ତୁଷାର ମହାପାତ୍ର, ଭିଜିଲାନ୍ସ ଷ୍ଟାଫ୍ ଝସକେତନ ବାରିକ, ବିଷ୍ଣୁ ପ୍ରସାଦ ଜାଲ ଓ ନନ୍ଦକିଶୋର ବଗର୍ତୀ ସାମିଲଥିଲେ ।