ବିଶ୍ୱର ସବୁଠୁ ବଡ଼ ପରିବାରର ମୁରବିଙ୍କ ଦେହାନ୍ତ, ପଛରେ ଛାଡ଼ିଗଲେ ୩୮ ପତ୍ନୀ, ୮୯ ସନ୍ତାନ | News Room Odisha

ବିଶ୍ୱର ସବୁଠୁ ବଡ଼ ପରିବାରର ମୁରବିଙ୍କ ଦେହାନ୍ତ, ପଛରେ ଛାଡ଼ିଗଲେ ୩୮ ପତ୍ନୀ, ୮୯ ସନ୍ତାନ

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ବଡ଼ ପରିବାରର ମୁରବି ଆଉ ନାହାନ୍ତି । ମିଜୋରାମ ବାସିନ୍ଦା ଜିୟୋନା ଚାନାଙ୍କ ୭୬ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ତାଙ୍କର ୩୮ ପତ୍ନୀ ଓ ୮୯ ସନ୍ତାନ ଅଛନ୍ତି । ରବିବାର ତାଙ୍କର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଚାନା ଦୀର୍ଘଦିନ ଧରି ମଧୁମେହ ଓ ଉଚ୍ଚ ରକ୍ତଚାପ ଭଳି ସମସ୍ୟାରେ ପୀଡିତ ଥିଲେ ।

ମିଜୋରାମର ବକ୍ତାବଙ୍ଗ୍ ତଲଙ୍ଗନୁମ୍ ଗାଁରେ ରୁହନ୍ତି ବିଶ୍ୱର ସବୁଠୁ ବଡ଼ କୁହାଯାଉଥିବା ଚାନାଙ୍କ ପରିବାର । ଏହି ପରିବାରର ସଦସ୍ୟ ୧୦୦ ବଖରା ବିଶିଷ୍ଟ ଏକ ଚାରି ମହଲା ଘରେ ରୁହନ୍ତି । ପରିବାରର ଆକାର ଦୃଷ୍ଟିରୁ ଚାନାଙ୍କ ପରିବାର ମିଜୋରାମର ଏକ ସ୍ୱତନ୍ତ୍ର ପରିଚୟ ସାଜିଥିଲେ । ଏପରିକି ମିଜୋରାମକୁ କୌଣସି ପର୍ଯ୍ୟଟକ ଆସିଲେ ମଧ୍ୟ ଚାନାଙ୍କ ଘରକୁ ଯାଇ ତାଙ୍କ ପରିବାର ଲୋକଙ୍କୁ ଭେଟନ୍ତି । ଚାନାଙ୍କ ପରିବାର କେବଳ ଭାରତରେ ନୁହେଁ ପୂରା ବିଶ୍ୱରେ ଆକର୍ଷଣର କେନ୍ଦ୍ର ସାଜିଥିଲେ ।

ଚାନା ୧୭ ବର୍ଷ ବୟସରେ ପ୍ରଥମ ବିବାହ କରିଥିଲେ । ତାଙ୍କ ପ୍ରଥମ ପତ୍ନୀ ତାଙ୍କ ଠାରୁ ବୟସରେ ତିନି ବର୍ଷ ବଡ଼ ଥିଲେ । ଚାନା ଚୁଆଁଥର ସମ୍ପ୍ରଦାୟର ଥିଲେ । ଏହି ସମ୍ପ୍ରଦାୟର ବର୍ତ୍ତମାନ ପ୍ରାୟ ୪୦୦ ପରିବାର ଅଛନ୍ତି । ଏହି ସମ୍ପ୍ରଦାୟରେ ବହୁ ବିବାହ ପ୍ରଥା ପ୍ରଚଳିତ ।
ଜିୟୋନା ଚାନାଙ୍କ ମୃତ୍ୟୁରେ ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ଶୋକ ପ୍ରକାଶ କରିଛନ୍ତି ।