ଶୁଭେନ୍ଦୁ ଅଧିକାରୀଙ୍କୁ ଟିଏମ୍‌ସିର କଡ଼ା ଜବାବ, କହିଲା ତୁମ ବାପାଙ୍କୁ ଶିଖାଅ ଦଳବଦଳ ଆଇନ | News Room Odisha

ଶୁଭେନ୍ଦୁ ଅଧିକାରୀଙ୍କୁ ଟିଏମ୍‌ସିର କଡ଼ା ଜବାବ, କହିଲା ତୁମ ବାପାଙ୍କୁ ଶିଖାଅ ଦଳବଦଳ ଆଇନ

କୋଲକାତା: ମୁକୁଲ ରୟ ଦଳ ଛାଡ଼ିବା ପରେ ପଶ୍ଚିମବଙ୍ଗରେ ଦଳବଦଳ ନିରୋଧୀ ଆଇନ ଲାଗୁ କରିବାକୁ ଦାବି କରିଛନ୍ତି ବିଜେପି ନେତା ଶୁଭେନ୍ଦୁ ଅଧିକାରୀ । ଏନେଇ ଶୁଭେନ୍ଦୁଙ୍କୁ କଡ଼ା ଜବାବ ଦେଇଛି ତୃଣମୂଳ କଂଗ୍ରେସ (ଟିଏମ୍‌ସି) । ଟିଏମ୍‌ସି କହିଛି ଯେ, ଦଳବଦଳ ନିରୋଧୀ ଆଇନ କ’ଣ ତାହା ଶୁଭେନ୍ଦୁ ପ୍ରଥମେ ତାଙ୍କ ବାପାଙ୍କୁ ଶିଖାଇବା ଉଚିତ ।

ଶୁଭେନ୍ଦୁଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ଟିଏମ୍‌ସି ମୁଖପାତ୍ର କୃଣାଳ ଘୋଷ କହିଛନ୍ତି, ଟିଏମ୍‌ସିକୁ ଦଳବଦଳ ନିରୋଧୀ ଆଇନ ସମ୍ପର୍କରେ ଜ୍ଞାନ ବାଣ୍ଟିବା ପରିବର୍ତ୍ତେ ଶୁଭେନ୍ଦୁ ଅଧିକାରୀ ପ୍ରଥମେ ତାଙ୍କ ବାପା ଶିଶିର ଅଧିକାରୀଙ୍କୁ ଏହି ନିୟମ ବିଷୟରେ ଅବଗତ କରାନ୍ତୁ । କାରଣ ଶିଶିର ଦା’ ଟିଏମ୍‌ସି ଟିକେଟ୍‌ରେ ସାଂସଦ ଭାବେ ନିର୍ବାଚିତ ହେବା ପରେ ବିଜେପିରେ ସାମିଲ ହୋଇଛନ୍ତି । ବିଜେପିରେ ଯୋଗ ଦେବାର ଦେଢ଼ ମାସ ପରେ ବି ଶିଶିର ଟିଏମ୍‌ସି ସାଂସଦ ପଦରୁ କାହିଁକି ଇସ୍ତଫା ଦେଇ ନାହାନ୍ତି ବୋଲି ଘୋଷ ପ୍ରଶ୍ନ କରିଛନ୍ତି ।

ମୁକୁଲ ରୟ ବିଜେପି ଛାଡ଼ି ତୃଣମୂଳ କଂଗ୍ରେସକୁ ଫେରିବା ପ୍ରସଙ୍ଗରେ ପ୍ରଥମ ଥର ମୁହଁ ଖୋଲି ରାଜ୍ୟରେ ଦଳବଦଳ ନିରୋଧୀ ଆଇନ ଲାଗୁ କରିବାକୁ ଦାବି କରିଛନ୍ତି ଶୁଭେନ୍ଦୁ ଅଧିକାରୀ । ମୁକୁଲ ରୟଙ୍କ ପରେ ତାଙ୍କର ଅନେକ ସହଯୋଗୀ ମଧ୍ୟ ବିଜେପି ଛାଡ଼ିବେ ବୋଲି ଚର୍ଚ୍ଚା ହେଉଛି । ଶୁଭେନ୍ଦୁ କହିଛନ୍ତି ଯେ, ମୁକୁଲ ରୟ ଦଳ ଛାଡ଼ିବା ନେଇ ତାଙ୍କ ଦଳ ଚିନ୍ତିତ ନୁହେଁ । ଦଳ ଛାଡ଼ିବା ପୂର୍ବରୁ ମୁକୁଳ ପ୍ରୋଟୋକଲ ପାଳନ କରିନାହାନ୍ତି । ସେ ବିଜେପି ସଦସ୍ୟ ପଦରୁ ଇସ୍ତଫା ଦେଇନାହାନ୍ତି । ଦଳବଦଳ ନିରୋଧୀ ଆଇନ୍ ରାଜ୍ୟରେ ଯେଭଳି ଲାଗୁ ହେବ ତାହା ସେ ସୁନିଶ୍ଚିତ କରିବେ ବୋଲି ଶୁଭେନ୍ଦୁ କହିଛନ୍ତି ।

ଦଳବଦଳ ନିରୋଧୀ ଆଇନ ଅନୁସାରେ, ଆଉ ଏକ ଦଳରେ ଯୋଗ ଦେବା ପୂର୍ବରୁ ସମ୍ପୃକ୍ତ ସାଂସଦ/ବିଧାୟକଙ୍କୁ ନିଜ ପୁରୁଣା ଦଳର ସଦସ୍ୟ ପଦରୁ ଇସ୍ତଫା ଦେବା ଉଚିତ, ନଚେତ୍ ସେ ଅଯୋଗ୍ୟ ଘୋଷିତ ହେବେ ।