କର୍ଣ୍ଣାଟକ ବିଜେପିରେ ଆନ୍ତଃ କନ୍ଦଳ, ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କ ପ୍ରତି ବଢ଼ୁଛି ଅସନ୍ତୋଷ | News Room Odisha

କର୍ଣ୍ଣାଟକ ବିଜେପିରେ ଆନ୍ତଃ କନ୍ଦଳ, ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କ ପ୍ରତି ବଢ଼ୁଛି ଅସନ୍ତୋଷ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଜେପିରେ ଏବେ ଆନ୍ତଃ କନ୍ଦଳ ଚର୍ଚ୍ଚାର ବିଷୟ ପାଲଟିଛି । ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ନିଜ ଦଳ ଓ ସରକାର ଭିତରେ ବିରୋଧର ସମ୍ମୁଖୀନ ହୋଇଛନ୍ତି । ତାଙ୍କ ପ୍ରତି ଦଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ପଦରେ ରହିବା ପାଇଁ ଅଯୋଗ୍ୟ ବୋଲି କହିଛନ୍ତି ବିଜେପି ନେତା ଏଚ୍‌.ବିଶ୍ୱନାଥନ । ଦଳରେ ଦେଖା ଦେଇଥିବା ସଙ୍କଟର ସମାଧାନ ପାଇଁ କର୍ଣ୍ଣାଟକ ବିଜେପି ପ୍ରଭାରୀ ଅରୁଣ ସିଂହ ସମ୍ପ୍ରତି ଦଳୀୟ ବିଧାୟକ ଓ ଅନ୍ୟ ନେତାମାନଙ୍କ ସହ ଘନ ଘନ ବୈଠକ କରୁଛନ୍ତି ।

ୟେଦୁରପ୍ପାଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି ବିଧାନ ପରିଷଦ ସଦସ୍ୟ ଏଚ୍‌.ବିଶ୍ୱନାଥନ । ବିଶ୍ୱନାଥନ କହିଛନ୍ତି ଯେ, ଦଳ ପ୍ରତି ୟେଦୁରପ୍ପାଙ୍କ ଅବଦାନକୁ ଆମେ ସମ୍ମାନ କରୁଛୁ । କିନ୍ତୁ ସରକାର ଚଳାଇବାରେ ଏବେ ସେ ଅସମର୍ଥ । ବୟସ ଓ ସ୍ୱାସ୍ଥ୍ୟଗତ କାରଣରୁ ମୁଖ୍ୟମନ୍ତ୍ରୀ ପଦରୁ ସେ ହଟିଯିବା ଉଚିତ । ସବୁ ମନ୍ତ୍ରୀ ୟେଦୁରପ୍ପାଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି ବୋଲି ସେ ଅରୁଣ ସିଂହଙ୍କୁ କହିଛନ୍ତି ।

ସରକାର ଓ ପ୍ରଶାସନରେ ୟେଦୁରପ୍ପାଙ୍କ ପରିବାର ହସ୍ତକ୍ଷେପ କରୁଛନ୍ତି ବୋଲି ବିଶ୍ୱନାଥନ ଅଭିଯୋଗ କରିଛନ୍ତି । ଅଧିକାଂଶ ବିଭାଗରେ ୟେଦୁରପ୍ପାଙ୍କ ପୁଅ ବିୱାଇ ବିଜୟେନ୍ଦ୍ର ଅଯଥା ହସ୍ତକ୍ଷେପ କରୁଛନ୍ତି । ଏକ ଜଳସେଚନ ପ୍ରକଳ୍ପ ପାଇଁ ବିଜେୟନ୍ଦ୍ର ମୋଟା ଅଙ୍କର ଲାଞ୍ଚ ନେଇଛନ୍ତି ବୋଲି ମଧ୍ୟ ବିଶ୍ୱନାଥନ ଅଭିଯୋଗ କରିଛନ୍ତି ।
ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ କିନ୍ତୁ ୟେଦୁରପ୍ପା ଖଣ୍ଡନ କରିଛନ୍ତି । ତାଙ୍କ ଦଳରେ କୌଣସି ରାଜନୈତିକ ସଙ୍କଟ ନାହିଁ ବୋଲି ସେ କହିଛନ୍ତି ।

BJPKarnatakaKarnataka CM BS Yediyurappa