ମହାମାରୀକୁ ଲଗାମ ଦେଉଛି ଓଡ଼ିଶା | News Room Odisha

ମହାମାରୀକୁ ଲଗାମ ଦେଉଛି ଓଡ଼ିଶା

ଲେଖକ : ପ୍ରତିଭା ନେପାକ

ରାଜ୍ୟ ସରକାରଙ୍କ ଦୂରଦୃଷ୍ଟି ସମ୍ପନ୍ନ କୌଶଳ, ଆଗୁଆ ଯୋଜନା, ସଠିକ ପଦକ୍ଷେପ କାମ ଦେଲା। ଅନ୍ୟ ଛୋଟ ବଡ଼ ରାଜ୍ୟମାନଙ୍କ ଠାରୁ ବେଶ୍ ଉନ୍ନତ ସ୍ଥିତିରେ ରହି ଓଡ଼ିଶା ଚଳିତ ଶତାବ୍ଦୀର ଏଯାବତ୍‌ ସବୁଠୁ ବଡ଼ ମହାମାରୀକୁ ଦ୍ବିତୀୟ ଥର ଅଧିକ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଛି। ରାଜ୍ୟର ମାତ୍ର ୪ଟି ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ଜିଲ୍ଲାଗୁଡ଼ିକରୁ ଧିରେ ଧିରେ କରୋନା ମହାମାରୀ ଦୂର ହେବାରେ ଲାଗିଛି। ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ତାଙ୍କ ଟିମ୍ ଓଡ଼ିଶାବାସୀଙ୍କୁ ଦେଇଥିବା ଆଶ୍ବାସନା ମୁତାବକ ରାଜ୍ୟବାସୀଙ୍କୁ ପୁଣି ଥରେ ବେଶ୍ ସୁରକ୍ଷିତ ଭାବେ ମହାମାରୀ କବଳରୁ ମୁକୁଳାଇ ଆଣିବାରେ ସର୍ବାଧିକ ସଫଳତା ହାସଲ କରିଛନ୍ତି।

ରଜ ପର୍ବ ସରିଥିବା ବେଳେ ରାଜ୍ୟର ହାରାହାରି ପଜିଟିଭିଟି ରେଟ୍ ମାତ୍ର ୬ ପ୍ରତିଶତ ପାଖାପାଖି ରହି ନିମ୍ନଗାମୀ ହେବାରେ ଲାଗିଛି। ପ୍ରାୟ ଅର୍ଦ୍ଧେକ (୧୪ଟି) ଜିଲ୍ଲାରେ ଏବେ ଦୈନିକ ସଂକ୍ରମଣ ହାର ୫ ପ୍ରତିଶତ ତଳେ ରହିଛି। ସବୁଜ ବଳୟରେ ଥିବା ଏସବୁ ଜିଲ୍ଲାରେ ଦୈନିକ ପଜିଟିଭିଟି ରେଟ୍ ଏବେ ଆହୁରି ତଳମୁହାଁ ହୋଇ ଚାଲିଛି। ଅନ୍ୟ ୧୦ଟି ଜିଲ୍ଲା ଏବେ ଦୈନିକ ସଂକ୍ରମଣ ହାର ଦୃଷ୍ଟିରୁ ୟେଲୋ ଜୋନରେ ରହିଛି। ଏକଦା ରାଜ୍ୟରେ ଅଧିକ ସଂକ୍ରମଣପ୍ରବଣ ଜିଲ୍ଲା ଭାବେ ଚିନ୍ତାର କାରଣ ସାଜିଥିବା ସୁନ୍ଦରଗଡ଼, ମୟୁରଭଞ୍ଜ, ବରଗଡ଼ ଭଳି ଜିଲ୍ଲାରେ ସ୍ଥିତି ଏବେ ବେଶ୍ ସୁଧୁରିବାରେ ଲାଗିଛି। ଉଲ୍ଲେଖନୀୟ ଭାବେ ପ୍ରଥମ ଲହରୀ ବେଳେ ରାଜ୍ୟରେ ଅଧିକ ସଂକ୍ରମଣପ୍ରବଣ ଥିବା ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଏଥର ସ୍ଥିତି ଅପେକ୍ଷାକୃତ ଅଧିକ ଉନ୍ନତ ରହିଆସିଛି।

ଆକ୍ଟିଭ୍ ପଜିଟିଭ୍ ସଂଖ୍ୟା ଦୃଷ୍ଟିରୁ ମଧ୍ୟ ରାଜ୍ୟର ସ୍ଥିତି ଏବେ ନିମ୍ନମୁଖୀ। ଓଡ଼ିଶାରେ ବର୍ତ୍ତମାନ ଚିକିତ୍ସାଧୀନ ରୋଗୀ ସଂଖ୍ୟା ମୋଟରେ ରହିଛି ପ୍ରାୟ ୪୨ ହଜାର। ୧୬ଟି ଜିଲ୍ଲା ଏ ଦୃଷ୍ଟିରୁ ଗ୍ରୀନ୍ ଜୋନରେ ରହିଛି ଯେଉଁଠି ରୋଗୀ ସଂଖ୍ୟା ୧୦୦୦ରୁ ତଳେ ରହିଛି। କେବଳ ବାଲେଶ୍ୱର, ଯାଜପୁର, କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ଏବେ ବି ୩ ହଜାରରୁ ଊର୍ଦ୍ଧ୍ୱ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି। ନୂଆପଡ଼ା, ଝାରସୁଗୁଡା ଓ ଦେଓଗଡ଼ରେ ୨୦୦ ତଳକୁ ଥିବା ବେଳେ ଗଜପତି, ଗଞ୍ଜାମ, ବଲାଙ୍ଗୀର, ସମ୍ବଲପୁର ଜିଲ୍ଲାରେ ଏହି ସଂଖ୍ୟା ୫ ଶହ ତଳକୁ ଖସି ଆସିଲାଣି। ଅନ୍ୟ ଜିଲ୍ଲା ଗୁଡ଼ିକ ମଧ୍ୟ ଧିରେ ଧିରେ ୫୦୦ରୁ କମ୍ ରେଖା ତଳକୁ ଆସିବାରେ ଲାଗିଛନ୍ତି।

ଆରୋଗ୍ୟ ସଂଖ୍ୟାକୁ ଯଦି ହିସାବକୁ ନିଆଯାଏ ତେବେ ଅର୍ଦ୍ଧାଧିକ ଓଡ଼ିଶା ଏବେ ଗାଢ଼ ସବୁଜ ରଙ୍ଗରେ ଦେଖିବାକୁ ମିଳିବ। ରାଜ୍ୟରେ ୮ ଲକ୍ଷ ୬୩ ହଜାରରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୮ ଲକ୍ଷ ୧୭ ହଜାରରୁ ଊର୍ଦ୍ଧ୍ବ ଲୋକ ସୁସ୍ଥ ହୋଇସାରିଲେଣି। ଖୋର୍ଦ୍ଧା ଯଦି ସଂକ୍ରମଣ ତାଲିକାର ଶୀର୍ଷରେ ରହିଛି ତେବେ ସୁସ୍ଥ ତାଲିକାରେ ସର୍ବାଗ୍ରେ ମଧ୍ୟ ରହିଛି ଏହି ଜିଲ୍ଲା। ୧ ଲକ୍ଷ ୨୧ ହଜାରରୁ ଅଧିକ ରୋଗୀ ମହାମାରୀକୁ ହରାଇ ଏବେ ଘରେ ସୁସ୍ଥ ଜୀବନଯାପନ କରୁଛନ୍ତି। ସାରା ଦେଶକୁ ତୁଳନା କଲେ ଓଡ଼ିଶାରେ ମାତ୍ର ୨.୯୧ ପ୍ରତିଶତ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଆରୋଗ୍ୟ ହାର ମଧ୍ୟ ସେହି ପାଖାପାଖି ଅର୍ଥାତ୍ ୨.୮୮ ପ୍ରତିଶତ ରହୁଛି। ଆକ୍ଟିଭ୍ ପଜିଟିଭ୍ ଜାତୀୟସ୍ତରର ୫ ଶତକଡ଼ାରୁ ମଧ୍ୟ କମ ଅଛି। ଆଉ ମୃତ୍ୟୁ ସଂଖ୍ୟା ତ ୦.୯ ପ୍ରତିଶତ ଅର୍ଥାତ୍ ଏକ ଶତକଡ଼ାରୁ ବି କମ୍ ରହୁଛି। ରାଜ୍ୟରେ କୋଭିଡରେ ମୃତକଙ୍କ ସଂଖ୍ୟା ଖୋଦ୍ ମହାମାରୀ ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି କହିଲେ ହୁଏତ ଅତ୍ୟୁକ୍ତି ହେବନି।

ସେ ପ୍ରଥମ ଲହରୀ ହେଉ କି ଦ୍ବିତୀୟ ଲହରୀ ସାରା ଦେଶ, ଏପରିକି ଅନ୍ତର୍ଜାତୀୟସ୍ତରରେ ମଧ୍ୟ ଓଡ଼ିଶା କରୋନା ମୁକାବିଲାରେ ରୋଲ୍ ମଡେଲ୍ ସାଜିଛି। ବେଶ୍ ଆଗରୁ ଲକଡାଉନ୍ – ସଟଡାଉନ୍ ଭଳି ପ୍ରତିକାର ପଦକ୍ଷେପ ଗ୍ରହଣ, ପ୍ରବାସୀଙ୍କ ସୁବ୍ୟବସ୍ଥିତ ସଙ୍ଗରୋଧ ଜରିଆରେ ସଂକ୍ରମଣକୁ ଅଧିକ ବ୍ୟାପିବାକୁ ନଦେବା, ଉନ୍ନତ ସ୍ଵାସ୍ଥ୍ୟ ଭିତ୍ତିଭୂମି ଜରିଆରେ ସର୍ବାଧିକ ପଜିଟିଭଙ୍କୁ ସୁସ୍ଥ କରାଇବା, ତତ୍ପରତାର ସହ ଟିକାକରଣ ଜରିଆରେ କୋଭିଡ୍– ୧୯ ପ୍ରତିଷେଧକ କ୍ଷମତା ବୃଦ୍ଧି କରାଇବା ଯୋଗୁଁ ଓଡ଼ିଶା ମାଟିରେ ଅତ୍ୟନ୍ତ ସଙ୍କୁଚିତ ବା ସୀମିତ ହୋଇଛି ଏହି ମହାମାରୀ। ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏତିକିରେ ସନ୍ତୁଷ୍ଟ ହୋଇ ରହିଯାଇ ନାହାନ୍ତି। ସମ୍ଭାବ୍ୟ ତୃତୀୟ ଲହରୀ ସଂକ୍ରମଣ ପାଇଁ ଏବେ ଠାରୁ ମୁକାବିଲା ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଜୁନ୍ ୧୬ରୁ ରାଜ୍ୟର ତିନିଟି ଜିଲ୍ଲା ଗଞ୍ଜାମ, ରାୟଗଡ଼ା ଓ କୋରାପୁଟରେ ଚତୁର୍ଥ ପର୍ଯ୍ୟାୟ ସେରୋ ସର୍ଭେ ଆରମ୍ଭ ହୋଇଛି। ଏଥିରେ ଶିଶୁଙ୍କୁ ପ୍ରାଥମିକତା ଦିଆଯାଉଥିବା ଜଣାଯାଇଛି। ସମ୍ଭାବ୍ୟ ତୃତୀୟ ଲହରୀରେ ଅଧିକ ପ୍ରଭାବିତ ହେବାର ଆଶଙ୍କା ଥିବା ଶିଶୁଙ୍କ ସ୍ୱତନ୍ତ୍ର ଚିକିତ୍ସା ନିମନ୍ତେ ରାଜ୍ୟରେ ଏବେ ଠାରୁ କୋଭିଡ୍ ହସ୍‌ପିଟାଲରେ ଆଗୁଆ ପ୍ରସ୍ତୁତି ଆରମ୍ଭ କରାଗଲାଣି।

ଗୋଟିଏ ପଟେ ପ୍ରଥମ ଲହରୀରେ ମହାମାରୀ ବିରୋଧୀ ଲଢ଼େଇରେ ବିଜେତା ସାଜିଥିବା ଓଡ଼ିଶା ଏବେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ନେତୃତ୍ବ ବଳରେ ପୁଣି ଦ୍ବିତୀୟ ଲହରୀରେ ମଧ୍ୟ କରୋନାକୁ କେବଳ ଲଗାମ ଦେଇନି ବରଂ ଆରାଧ୍ୟ ପ୍ରଭୁ ଜଗନ୍ନାଥଙ୍କ ମାଟିରୁ ଧିରେ ଧିରେ ଦୂରେଇବାରେ ଲାଗିଛି। ହୁଏତ ଆଉ ହାତଗଣତି କେଇ ଦିନ ପରେ ରାଜ୍ୟ ପୁଣି ପ୍ରାୟ କରୋନାମୁକ୍ତ ସ୍ଥିତିକୁ ଆସିଯିବ। ଅପରପକ୍ଷରେ ମହାମାରୀ ସଙ୍କଟ କାଳରେ ଜୀବନ ରକ୍ଷା ସହ ଜୀବିକା ସୁରକ୍ଷାକୁ ଗୁରୁତ୍ବ ଦେଇ ମୁଖ୍ୟମନ୍ତ୍ରୀ କରୋନାର ଦୁର୍ଦ୍ଦଶାରୁ ରାଜ୍ୟବାସୀଙ୍କୁ କେବଳ ଯେ ନିରାପଦ ରଖିନାହାନ୍ତି ବରଂ ମହାମାରୀର ମହା- କୁପ୍ରଭାବରୁ ଓଡ଼ିଶା ରାଜ୍ୟକୁ ମୁକୁଳାଇ ଆଣି ପାରିଛନ୍ତି।

ଲେଖକ ତଥା ଇତିହାସ ଗବେଷକ

5TChief Minister Naveen PatnaikCOVID-19COVID-19 PandemicOdishaOdisha Government