ଓମାର ଅବଦୁଲ୍ଲାଙ୍କ ଦାବି: ଜମ୍ମୁ-କାଶ୍ମୀରକୁ ପ୍ରଥମେ ରାଜ୍ୟ ମାନ୍ୟତା ଦିଆଯାଉ, ତା'ପରେ ହେଉ ନିର୍ବାଚନ | News Room Odisha

ଓମାର ଅବଦୁଲ୍ଲାଙ୍କ ଦାବି: ଜମ୍ମୁ-କାଶ୍ମୀରକୁ ପ୍ରଥମେ ରାଜ୍ୟ ମାନ୍ୟତା ଦିଆଯାଉ, ତା’ପରେ ହେଉ ନିର୍ବାଚନ

ଶ୍ରୀନଗର: ଜମ୍ମୁ କାଶ୍ମୀର ସମ୍ପର୍କରେ ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ପ୍ରସ୍ତାବକୁ ନ୍ୟାସନାଲ କନଫରେନ୍ସ ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ପ୍ରତ୍ୟାଖ୍ୟାନ କରିଛନ୍ତି । ପ୍ରଥମେ ଜାମ୍ମୁ କାଶ୍ମୀରକୁ ରାଜ୍ୟ ମାନ୍ୟତା ଦିଆଯାଉ ତା’ପରେ ନିର୍ବାଚନ କରାଯାଉ ବୋଲି ଓମାର ଦାବି କରିଛନ୍ତି । ପ୍ରଥମେ ସୀମା ନିର୍ଦ୍ଧାରଣ, ପରେ ନିର୍ବାଚନ ଏବଂ ତା’ପରେ ରାଜ୍ୟ ମାନ୍ୟତା ପ୍ରସ୍ତାବ ଆମକୁ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି । ଆମେ ସୀମା ନିର୍ଦ୍ଧାରଣ ପରେ ରାଜ୍ୟ ମାନ୍ୟତା ଚାହୁଁ । ତା’ପରେ ନିର୍ବାଚନ କରାଯାଉ ବୋଲି ଓମାର କହିଛନ୍ତି |

ଓମାର ଅବଦୁଲ୍ଲା କହିଛନ୍ତି, “ଗୁଲାମ ନବୀ ଆଜାଦ ଆମ ସମସ୍ତଙ୍କ ତରଫରୁ ବୈଠକରେ ଏହି ମତ ରଖିଥିଲେ । ଆମେ ଏହି ଟାଇମ୍ ଲାଇନ(ସୀମା ନିର୍ଦ୍ଧାରଣ-ନିର୍ବାଚନ-ରାଜ୍ୟ ମାନ୍ୟତା) ରେ ବିଶ୍ୱାସ କରୁନାହୁଁ ବୋଲି ଆଜାଦ୍ ସେଠାରେ କହିଥିଲେ । ଯଦି ନିର୍ବାଚନ କରିବାର ଅଛି, ତେବେ ପ୍ରଥମେ ରାଜ୍ୟ ମାନ୍ୟତା ଫେରାଅ | ଏହା ପରେ ଆମେ ନିର୍ବାଚନ ବିଷୟରେ ଆଲୋଚନା କରିବୁ।

ପ୍ରଧାନମନ୍ତ୍ରୀଙ୍କୁ ଆମମାନଙ୍କ ମଧ୍ୟରୁ କେହି କହି ନାହାଁନ୍ତି ଯେ ଆମେ ଅଗଷ୍ଟ ୫କୁ ଶେଷ ସମୟସୀମା ଭାବେ ଗ୍ରହଣ କରୁଛୁ। ଆମେ ଏହା ଉପରେ ଅସନ୍ତୁଷ୍ଟ ବୋଲି କହିଥିଲୁ। ମେହବୁବା ମୁଫତି ଏବଂ ଫାରୁକ୍ ଅବଦୁଲ୍ଲା ପ୍ରଧାନମନ୍ତ୍ରୀଙ୍କୁ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଧାରା ୩୭୦କୁ ହଟାଇବା ଏଜେଣ୍ଡାକୁ ସଫଳ କରାଇବା ପାଇଁ ୭୦ ବର୍ଷ ଲାଗିଥିଲା। ଆମକୁ ୭୦ ମାସ ଲାଗିଲେ ବି ଆମେ ଆମର ମିଶନରୁ ପଛକୁ ଫେରିବୁ ନାହିଁ ବୋଲି ଓମାର କହିଛନ୍ତି ।