ନିଳାଦ୍ରିନାଥ ଶ୍ରୀଜଗନ୍ନାଥଙ୍କ ବାରମାସରେ ତେର ପର୍ବ ପାଳିତ ହୋଇଥାଏ। ଜ୍ୟେଷ୍ଠ ପୂର୍ଣ୍ଣିମାରେ ପାଳିତ ହେଉଥିବା ସ୍ନାନ ଯାତ୍ରା ତା ମଧ୍ୟରୁ ଅନ୍ୟତମ। ଏହା ଦେବସ୍ନାନ ପୂର୍ଣ୍ଣିମା ନାମରେ ଜଗତ ବିଦିତ। ଏହିଦିନ ମହାପ୍ରଭୁ ୧୦୮ ଗରା ଜଳରେ ଅଭିଷିକ୍ତ ହୋଇଥାନ୍ତି। ଚତୁର୍ଦ୍ଧା ଦାରୁ ବିଗ୍ରହଙ୍କୁ ସ୍ୱୟଂ ସ୍ଵର୍ଗର ଦେବତା, ଗନ୍ଧର୍ବ, କିନ୍ନର, ନାଗଲୋକ ଓ ସପ୍ତର୍ଷି ମଣ୍ଡଳର ମୁନିଋଷି ବୃନ୍ଦ ସ୍ନାନ କରାଇଥାନ୍ତି। ଏହି ଦେବ ଦୁର୍ଲ୍ଲଭ ମହାମହୋତ୍ସବକୁ ଦର୍ଶନ କରିବା ପାଇଁ ଚଉଦ ଭୁବନ ଚାତକ ପରି ଅପେକ୍ଷା କରିଥାନ୍ତି।
ଏହି ପବିତ୍ର ସ୍ନାନ ମହୋତ୍ସବକୁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଅଗଣିତ ଭକ୍ତସମାଜ ଓ ଜନତା ବଡ଼ଦାଣ୍ଡର ପବିତ୍ର ପ୍ରାଙ୍ଗଣରେ ଏକତ୍ରିତ ହୋଇ ଦର୍ଶନ କରିଥାନ୍ତି। ଶଙ୍ଖ, ଭେରୀ, ତୁରୀ ଓ ମୃଦଙ୍ଗର ନିନାଦରେ ପ୍ରକମ୍ପିତ ହୋଇଉଠେ ସମଗ୍ର ଶ୍ରୀକ୍ଷେତ୍ର। ଭକ୍ତଟିଏ ବିନା ବାଧାରେ ନିଜର ପ୍ରାଣର ଦେବତାଙ୍କୁ ଦର୍ଶନ କରି ନିଜର ଆଖିକୁ ଧନ୍ୟ କରିଥାଏ ।
ପଞ୍ଚଦଶ ଶତାବ୍ଦୀର ଶେଷ ଦଶନ୍ଧିରେ ଶ୍ରୀକ୍ଷେତ୍ରକୁ ଆସିଥିଲେ ମହାରାଷ୍ଟ୍ର ର ପରମ ଭକ୍ତ ଗଣପତି ଭଟ୍ଟ। ଭଟ୍ଟ ଥିଲେ ବିଘ୍ନବିନାଶନ ଶ୍ରୀଗଣପତି ଙ୍କ ପରମ ଭକ୍ତ। ଶ୍ରୀଗଣପତିଙ୍କୁ ସିଏ ସାକ୍ଷାତ ପୂର୍ଣ୍ଣବ୍ରହ୍ମ ବୋଲି ମାନି ନେଇଥିଲେ। ଶୁଣିଲେ ତାଙ୍କର ପୂର୍ଣ୍ଣବ୍ରହ୍ମ ଶ୍ରୀକ୍ଷେତ୍ରରେ ବିରାଜମାନ କରିଛନ୍ତି। ତାଙ୍କୁ ଦର୍ଶନ କରିବା ପାଇଁ ସିଏ ସୁଦୂର ମହାରାଷ୍ଟ୍ରରୁ ଚାଲିଚାଲି ଆସିଥିଲେ। ଦୈଵ ଯୋଗକୁ ସେଦିନ ଥିଲା ପବିତ୍ର ସ୍ନାନପୁର୍ଣ୍ଣିମା। ଶ୍ରୀଜୀଉମାନେ ସ୍ନାନମଣ୍ଡପରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଉଥିଲେ। ଭକ୍ତ ଗଣପତି ଭଟ୍ଟ ବଡ ଦାଣ୍ଡରେ ମହାପ୍ରଭୁଙ୍କୁ ଦର୍ଶନ କଲେ। କିନ୍ତୁ ତାଙ୍କୁ ଆତ୍ମତୃପ୍ତି ମିଳିଲା ନାହିଁ। କାରଣ ତାଙ୍କର ଆରାଧ୍ୟ ଦେବତା ପୂର୍ଣ୍ଣବ୍ରହ୍ମ ଗଣପତିଙ୍କ ବଦଳରେ ଏକି ବିଚିତ୍ର ରୂପ ସିଏ ଦେଖିଲେ। ହାତ ନାହିଁ କି ପାଦ ନାହିଁ, ଏପରିକି ଆଖିର ଭୃଲତା ମଧ୍ୟ ନାହିଁ କେବଳ ଚକା ଚକା ଆଖିଦୁଇଟି। କୁଆଡେ ଗଲେ ପ୍ରାଣର ଆରାଧ୍ୟ ଦେବତା ଭଗବାନ ଗଣପତି? ଜଳ ସୁଦ୍ଧା ସ୍ପର୍ଶ ନକରି ମନଦୁଃଖରେ ଫେରିଗଲେ ଅଠରନଳା ସନ୍ନିକଟ ମୁକ୍ତେଶ୍ଵର ମନ୍ଦିର ନିକଟକୁ। ବିଷର୍ଣ୍ଣ ମନରେ ଶୋଇଗଲେ ମନ୍ଦିର ଦ୍ୱାରରେ। ଭାବଗ୍ରାହୀ କାଳିଆ ଠାକୁର ଭକ୍ତର ବେଦନା ବୁଝିପାରି ପରିଛା ସେବକଙ୍କୁ ସ୍ୱପ୍ନରେ ଆଦେଶ ଦେଲେ ମୋ ଭକ୍ତ ଗଣପତି ଭଟ୍ଟଙ୍କୁ ଫେରାଇ ଆଣ। ମୁଁ ତାର ପୂର୍ଣ୍ଣବ୍ରହ୍ମ ଗଜାନନ ସ୍ନାନ ମଣ୍ଡପରେ ବସିଛି। ସିଏ ମୋତେ ମନ ପୁରାଇ ଦର୍ଶନ କରୁ। ପରିଛା ସେବକ ପ୍ରଭୁଙ୍କ ଆଜ୍ଞାମତେ ଭକ୍ତ ଭଟ୍ଟ ଙ୍କୁ ଫେରାଇ ଆଣିଲେ। ସ୍ନାନମଣ୍ଡପ ରେ ଆରାଧ୍ୟ ଗଜାନନଙ୍କୁ ଦର୍ଶନ କରି ଭଟ୍ଟ ଭାବ ବିହ୍ଵଳ ହୋଇଗଲେ। ଏହି ପରମଭକ୍ତଙ୍କ ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ପ୍ରଭୁଙ୍କ ନିର୍ଦେଶରେ ପ୍ରତିବର୍ଷ ସ୍ନାନପୁର୍ଣିମା ତିଥିରେ ପ୍ରଭୁ ଭକ୍ତମାନଙ୍କୁ ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ବେଶର ମହତ୍ତ୍ୱ ହେଉଛି , ମହାପ୍ରଭୁ ଏହିବେଶରେ ଥାଇ ମାତ୍ର ଥରେ ମହାପ୍ରସାଦ ଭୋଗ ଉଠିଥାଏ। ଏହି ଭୋଗ ସମ୍ମୁଖ ଭାଗ ସହିତ ବିଗ୍ରହଙ୍କ ପଶ୍ଚାତ ଭଗରେ ମଧ୍ୟ ବଢା ଯାଇଥାଏ।
ପରମ୍ପରା ଅନୁସାରେ ଏହିବେଶ ପୁରୀର ଶଙ୍କରା ନନ୍ଦ ମଠ ଯୋଗାଉଥିଲେ। ଏବେ କିନ୍ତୁ ଏହିବେଶ ଗୋପାଳତୀର୍ଥ ମଠ ଓ ରାଘବ ଦାସ ମଠ ଯୋଗାଉଛନ୍ତି। ମହାପ୍ରଭୁ ଏହି ଗଜାନନ ବେଶରେ ଭକ୍ତଙ୍କ ସମସ୍ତ ବିଘ୍ନନାଶ କରିବା ସହିତ ବିଶ୍ୱର ଅଶେଷ କଲ୍ୟାଣ ସାଧିତ କରୁଛନ୍ତି।