ମହାରାଷ୍ଟ୍ର ପରେ ତାମିଲନାଡୁରେ ଡେଲଟା ପ୍ଲସ୍ ଭାରିଆଣ୍ଟ ଯୋଗୁଁ ପ୍ରଥମ ମୃତ୍ୟୁ | News Room Odisha

ମହାରାଷ୍ଟ୍ର ପରେ ତାମିଲନାଡୁରେ ଡେଲଟା ପ୍ଲସ୍ ଭାରିଆଣ୍ଟ ଯୋଗୁଁ ପ୍ରଥମ ମୃତ୍ୟୁ

ଚେନ୍ନାଇ: ତାମିଲନାଡୁରେ କରୋନାର ଡେଲଟା ପ୍ଲସ୍ ଭାରିଆଣ୍ଟ ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ ଡେଲଟା ପ୍ଲସ୍ ଭାରିଆଣ୍ଟରୁ ଏହା ହେଉଛି ପ୍ରଥମ ମୃତ୍ୟୁ। ଏହି ଭାରିଆଣ୍ଟ ପାଇଁ ଦେଶରେ ଏଯାବତ୍ ଚାରି ଜଣଙ୍କର ମୃତ୍ୟୁ ହୋଇଛି ।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ମୃତ୍ୟୁବରଣ କରିଥିବା ବ୍ୟକ୍ତି ମଦୁରାଇ ସହରର। ତାମିଲନାଡୁର ସ୍ୱାସ୍ଥ୍ୟମନ୍ତ୍ରୀ ଏମ ସୁବ୍ରମଣ୍ୟନ ଶନିବାର କହିଛନ୍ତି ଯେ ରାଜ୍ୟରେ ଡେଲଟା ପ୍ଲସ ଭାରିଆଣ୍ଟରୁ ତିନୋଟି ନୂତନ ମାମଲା ଚିହ୍ନଟ ହୋଇଛି।

ସେ ଏହା ମଧ୍ୟ କହିଛନ୍ତି ଯେ ଏହି ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇଜଣ ସୁସ୍ଥ ହୋଇଯାଇଛନ୍ତି। ଯେଉଁମାନେ ଡେଲଟା ପ୍ଲସ୍ ଭାରିଆଣ୍ଟରେ ସଂକ୍ରମିତ ହୋଇଥିଲେ ସେମାନଙ୍କ ମଧ୍ୟରେ ଚେନ୍ନାଇର ୩୨ ବର୍ଷ ବୟସ୍କା ଜଣେ ନର୍ସ ଏବଂ କାଞ୍ଚିପୁରମର ଜଣେ ବ୍ୟକ୍ତି ଅଛନ୍ତି।

ଏମ ସୁବ୍ରମଣ୍ୟନ କହିଛନ୍ତି, ମଦୁରାଇରୁ ରୋଗୀଙ୍କ ମୃତ୍ୟୁ ପରେ ନମୁନା ସଂଗ୍ରହ କରାଯାଇଥିଲା। ଏହା ଡେଲଟା ପ୍ଲସ ଭାରିଆଣ୍ଟ ବୋଲି ସ୍ପଷ୍ଟ ହୋଇଛି। ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ଟେଷ୍ଟ କରାଯାଇଛି। ରିପୋର୍ଟ ନେଗେଟିଭ ଆସିଛି ବୋଲି ସେ କହିଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ମହାରାଷ୍ଟ୍ରରେ ସର୍ବାଧିକ ସଂଖ୍ୟକ ଡେଲଟା ପ୍ଲସ୍ ଭାରିଆଣ୍ଟ ରେକର୍ଡ କରାଯାଇଛି।
ମହାରାଷ୍ଟ୍ରରେ ୨୦ ଜଣ ଲୋକ ଏହି ଭାରିଆଣ୍ଟରେ ସଂକ୍ରମିତ ହୋଇଥିବାବେଳେ ତାମିଲନାଡୁରେ ଶୁକ୍ରବାର ଦିନ ନଅ ଜଣ ଲୋକ ଏଥିରେ ସଂକ୍ରମିତ ହୋଇଥିବା କୁହାଯାଇଛି ।