ଜାମ୍ମୁ କାଶ୍ମୀରର ରାଜନୈତିକ ଦଳ ମାନଙ୍କ ସହ ଆଜି ବୈଠକ କରିବେ ପ୍ରଧାନମନ୍ତ୍ରୀ | News Room Odisha

ଜାମ୍ମୁ କାଶ୍ମୀରର ରାଜନୈତିକ ଦଳ ମାନଙ୍କ ସହ ଆଜି ବୈଠକ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜାମ୍ମୁ କାଶ୍ମୀରର ଆଞ୍ଚଳିକ ଦଳମାନଙ୍କ ସହ ଏକ ବୈଠକ କରିବେ। ଏଥିରେ ଜାମ୍ମୁ କାଶ୍ମୀରକୁ ପୁଣି ଥରେ ରାଜ୍ୟ ମାନ୍ୟତା ଦେବା ଉପରେ ଆଲୋଚନା ହେବା ସମ୍ଭାବନା ରହିଛି । ଏହାପୂର୍ବରୁ ଶୁକ୍ରବାର ଦିନ ଦିଲ୍ଲୀରେ ଜାମ୍ମୁ କାଶ୍ମୀର ଉପରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା।

ସୂତ୍ରରୁ ପ୍ରକାଶ ଯେ ଖୁବ୍ ଶୀଘ୍ର ଜାମ୍ମୁ କାଶ୍ମୀରକୁ ରାଜ୍ୟ ମାନ୍ୟତା ଦିଆଯାଇପାରେ। ଅତୀତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଏହି ବିଷୟରେ ପ୍ରତିଶ୍ରୁତି ଦେଇଥିଲେ। ତେବେ ଜାମ୍ମୁ କାଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ସମ୍ପର୍କରେ କୌଣସି ଆଲୋଚନା ହେବ ନାହିଁ। ଅଗଷ୍ଟ ୫, ୨୦୧୯ରେ କେନ୍ଦ୍ର ସରକାର ଜାମ୍ମୁ କାଶ୍ମୀରକୁ ଏହାର ସ୍ବତନ୍ତ୍ର ମାନ୍ୟତା ରଦ୍ଦ କରି ଏହାକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀର ଏବଂ ଲଦାଖରେ ବିଭକ୍ତ କରିଥିଲେ। ସରକାରଙ୍କ ଏହି ଐତିହାସିକ ନିଷ୍ପତ୍ତି ପରେ ଉପତ୍ୟକାର ଅନେକ ନେତାଙ୍କ ଉପରେ କଟକଣା ଲଗାଯାଇଥିଲା। ଧୀରେ ଧୀରେ ପ୍ରଶାସନ ସମସ୍ତ କଟକଣା ହଟାଇଥିଲା ଏବଂ ବନ୍ଦୀ ନେତାମାନଙ୍କୁ ମଧ୍ୟ ମୁକ୍ତ କରାଯାଇଥିଲା।