ହାର୍ଡକୋର ନକ୍ସଲ ହରିଭୂଷଣର କରୋନାରେ ମୃତ୍ୟୁ, ମୁଣ୍ଡ ଉପରେ ଥିଲା ୪୦ ଲକ୍ଷ ଟଙ୍କା ପୁରସ୍କାର | News Room Odisha

ହାର୍ଡକୋର ନକ୍ସଲ ହରିଭୂଷଣର କରୋନାରେ ମୃତ୍ୟୁ, ମୁଣ୍ଡ ଉପରେ ଥିଲା ୪୦ ଲକ୍ଷ ଟଙ୍କା ପୁରସ୍କାର

ରାୟପୁର: ହାର୍ଡକୋର ନକ୍ସଲ ହରିଭୂଷଣର କରୋନାରେ ମୃତ୍ୟୁ ହୋଇଯାଇଛି। ସୋମବାର ରାତିରେ ଦକ୍ଷିଣ ବିଜାପୁର-ସୁକମା ଆନ୍ତଃ ଜିଲ୍ଲା ସୀମା ଅଞ୍ଚଳରେ କୋଭିଡ-୧୯ ରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତା’ ମୁଣ୍ଡ ଉପରେ ୪୦ ଲକ୍ଷ ଟଙ୍କାର ପୁରସ୍କାର ଥିଲା । ସେ ତେଲେଙ୍ଗାନା ରାଜ୍ୟ କମିଟିର ସଚିବ ମଧ୍ୟ ଥିଲା। ହରିଭୂଷଣ ବ୍ୟତୀତ କ୍ଷେତ୍ର କମିଟିର ସଦସ୍ୟ ଇନ୍ଦ୍ରାବତୀ ମଧ୍ୟ କରୋନା ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ଜଣାଯାଇଛି। ଏହି ନକ୍ସଲମାନଙ୍କ ତେଲେଙ୍ଗାନା ସଂଲଗ୍ନ ଛତିଶଗଡର ଜଙ୍ଗଲରେ ମୃତ୍ୟୁ ହୋଇଛି।

ଅନେକ ମାମଲାରେ ହରିଭୂଷଣକୁ ପୋଲିସ ଖୋଜୁଥିଲା। ସେ ଅନେକ ଏନକାଉଣ୍ଟରରେ ସୁରକ୍ଷା ବାହିନୀକୁ ଚକମା ଦେଇ ଖସି ପଳାଇଥିଲା । କିନ୍ତୁ କରୋନା ସଂକ୍ରମଣ କବଳରୁ ଖସି ପାରିନଥିଲା ହରିଭୂଷଣ । ଚିକିତ୍ସା ଅଭାବରୁ ତା’ର ମୃତ୍ୟୁ ହୋଇଛି। କୋଭିଡ ସଂକ୍ରମଣ ଯୋଗୁଁ ଏକ ଡଜନରୁ ଅଧିକ ନକ୍ସଲ ଗୁରୁତର ଅସୁସ୍ଥ ଥିବା ପୋଲିସ ସୂତ୍ରରୁ ପ୍ରକାଶ। ଅସୁସ୍ଥ ନକ୍ସଲ ନେତାଙ୍କ ମଧ୍ୟରେ ଦୁଇ ନମ୍ବର କମାଣ୍ଡର ସୋନୁ ମଧ୍ୟ ରହିଛି।