ଦେଶରେ ନୂଆ କରୋନା ମାମଲାରେ ୩୨% ବୃଦ୍ଧି, ଚିନ୍ତା ବଢାଉଛି ଦିଲ୍ଲୀ ସ୍ଥିତି | News Room Odisha

ଦେଶରେ ନୂଆ କରୋନା ମାମଲାରେ ୩୨% ବୃଦ୍ଧି, ଚିନ୍ତା ବଢାଉଛି ଦିଲ୍ଲୀ ସ୍ଥିତି

ନୂଆଦିଲ୍ଳୀ – ଦେଶରେ ଗତ ଦୁଇଦିନ ଧରି କରୋନା ମାମଲା ହ୍ରାସ ପାଇବା ପରେ ଆଜି ପୁଣି ଏହି ସଂଖ୍ୟା ସାମାନ୍ୟ ବଢିଛି । ଗତ ୨୪ ଘଣ୍ଟାରେ ଆଉ ୩୮ ହଜାର ୪୭୮ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି, ଯାହା ଗତକାଲି ଅପେକ୍ଷା ୩୨% ଅଧିକ । ଦିନକରେ ଆଉ ୪୪ ହଜାର ୬୭୧ ରୋଗୀ ସୁସ୍ଥ ହୋଇଥିବାବେଳେ ୪୭୧ ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ଏପର୍ଯ୍ୟନ୍ତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୯.୧୨ ଲକ୍ଷରେ ପହଞ୍ଚିଛି । ଏଥିମଧ୍ୟରୁ ୮୩.୩୩ ଲକ୍ଷ ସୁସ୍ଥ ହୋଇଥିବାବେଳେ ୧.୩୧ ଲକ୍ଷ ଲୋକଙ୍କ ଜୀବନ ଯାଇଛି । ଏବେ ଭାରତରେ ୪ ଲକ୍ଷ ୪୬ ହଜାର ସକ୍ରିୟ ମାମଲା ରହିଛି ।

ଅନ୍ୟପକ୍ଷେ ରାଜଧାନୀ ଦିଲ୍ଲୀରେ ଗତ କିଛି ଦିନ ମଧ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିଛି । ଗତ ୧୬ ଦିନରେ ଦିଲ୍ଲୀରେ ଏକ ଲକ୍ଷରୁ ଊର୍ଦ୍ଧ୍ୱ ମାମଲା ସାମ୍ନାକୁ ଆସିଥିବା ବେଳେ ୧୨୦୦ ଜଣଙ୍କ ମୃତ୍ୟୁ ହୋଇଛି । ଦିନକରେ ରାଜଧାନୀରେ ଆଉ ୬୩୯୬ ରୋଗୀ ଚିହ୍ନଟ ହୋଇଛନ୍ତି ଏବଂ ଆଉ ୯୯ ଜଣ ପ୍ରାଣ ହରାଇଛନ୍ତି ।

ଦିଲ୍ଲୀ ସ୍ଥିତି ଚିନ୍ତାଜନକ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସହରର ହଟ୍‌ସ୍ପଟ ଅଞ୍ଚଳ ଗୁଡିକରେ ପୁଣି ଲକଡାଉନ୍ ଲାଗୁ କରିବାକୁ କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି । ଦିଲ୍ଲୀରେ ବୃଦ୍ଧି ପାଉଥିବା କରୋନା ମାମଲାକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅଧିକ ଟେଷ୍ଟ କରିବାକୁ ନିଷ୍ପତ୍ତି ନେଇଛି । ପ୍ରତିଦିନ ୧ ଲକ୍ଷରୁ ଊର୍ଦ୍ଧ୍ୱ ଟେଷ୍ଟ କରିବାକୁ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି । ଏହାଛଡ଼ା ୬୦୦୦ରୁ ଊର୍ଦ୍ଧ୍ୱ ଆଇସିୟୁ ବେଡ୍ ର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜଧାନୀର ହଟ୍‌ସ୍ପଟ୍ ଅଞ୍ଚଳ ଗୁଡିକରେ ଘରୁ ଘର ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ୍ କରାଯିବ । ଏନେଇ ୭୦୦୦ରୁ ୮୦୦୦ ଟିମକୁ ନିୟୋଜିତ କରାଯିବ । ସ୍ଥିତି ଭୟଙ୍କର ହେଉଥିବାରୁ କେଜରିୱାଲ ସରକାର ମଧ୍ୟ ନିକଟରେ କୋହଳ କରିଥିବା କିଛି ନିୟମ ପୁଣି କଡ଼ାକଡ଼ା କରିଛନ୍ତି ।