ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଦେଶମୁଖଙ୍କୁ ଇଡିର ସମନ | News Room Odisha

ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଦେଶମୁଖଙ୍କୁ ଇଡିର ସମନ

ମୁମ୍ବାଇ: ମନି ଲଣ୍ଡ୍ରିଂ ମାମଲାରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ହାଜର ହେବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମନ ଜାରି କରିଛି । ଏହି ମାମଲାରେ ଦେଶମୁଖଙ୍କ ଦୁଇ ସହଯୋଗୀଙ୍କୁ ଇଡି ଗିରଫ କରିସାରିଛି । ଗିରଫ ଦୁଇ ବ୍ୟକ୍ତି ହେଲେ ଦେଶମୁଖଙ୍କ ପ୍ରାଇଭେଟ୍ ସେକ୍ରେଟାରୀ ସଞ୍ଜୀବ ପାଲାଣ୍ଡେ ଏବଂ ପର୍ସନାଲ ଆସିଷ୍ଟାଣ୍ଟ୍ କୁନ୍ଦନ ଶିନ୍ଦେ । ଉଭୟଙ୍କୁ ଇଡି ଆଜି କୋର୍ଟରେ ହାଜର କରିବ । ସେମାନଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିପାରେ ଇଡି ।

ଶୁକ୍ରବାର ଇଡିର ଏକ ଟିମ୍ ଦେଶମୁଖଙ୍କ ନାଗପୁର ଓ ମୁମ୍ବାଇ ସ୍ଥିତ ବାସଭବନ ଓ କାର୍ଯ୍ୟାଳୟରେ ଚଡ଼ାଉ କରିଥିଲା ।

ଦେଶମୁଖଙ୍କ ନିର୍ଦ୍ଦେଶ କ୍ରମେ ନିଲମ୍ବିତ ପୋଲିସ୍ ଅଧିକାରୀ ସଚିନ ବାଜେଙ୍କ ମାଧ୍ୟମରେ ମୁମ୍ବାଇର ୧୨ଟି ବଡ଼ ବାର୍ ମାଲିକଙ୍କ ଠାରୁ ଆଦାୟ ହୋଇଥିବା ୪ କୋଟି ଟଙ୍କା ବଟି ମାମଲାରେ ଇଡି ଖୋଳତାଡ଼ କରୁଛି । ଏହି ଟଙ୍କା ପ୍ରଥମେ ଏକ ବେନାମୀ କମ୍ପାନୀ ଆକାଉଣ୍ଟରେ ଜମା ହୋଇଥିଲା । ପରେ ତାହାକୁ ଦେଶମୁଖଙ୍କ ପରିବାର ନାମରେ ଥିବା ସଂସ୍ଥାକୁ ସ୍ଥାନାନ୍ତର କରାଯାଇଥିଲା ବୋଲି ଇଡିର ଜଣେ ଅଧିକାରୀ କହିଛନ୍ତି ।

ଦେଶମୁଖଙ୍କ ବିରୋଧରେ ମୁମ୍ବାଇର ପୂର୍ବତନ ପୋଲିସ୍ କମିଶନର ପରମବୀର ସିଂହ ଚାଞ୍ଚଲ୍ୟକର ଅଭିଯୋଗ ଆଣିଥିଲେ । ପ୍ରତି ମାସରେ ମୁମ୍ବାଇର ବାର୍ ଓ ହୋଟେଲ ମାଲିକଙ୍କ ଠାରୁ ୧୦୦ କୋଟି ଚାନ୍ଦା ଆଦାୟ କରିବାକୁ ସଚିନ ବାଜେଙ୍କୁ ଦେଶମୁଖ କହିଥିଲେ ବୋଲି ପରମବୀର ଅଭିଯୋଗ କରିଥିଲେ । ଆଣ୍ଟିଲିଆ ନିକଟରେ ବିସ୍ଫୋରକ ଗାଡ଼ି ପାର୍କିଂ ମାମଲାର ବାଜେ ବର୍ତ୍ତମାନ ଜେଲରେ ଅଛନ୍ତି ।