ନକଲି ଟିକା ନେବା ପରେ ବିଗିଡ଼ିଲା ଟିଏମସି ସାଂସଦ ମିମି ଚକ୍ରବର୍ତ୍ତୀଙ୍କ ସ୍ବାସ୍ଥ୍ୟାବସ୍ଥା | News Room Odisha

ନକଲି ଟିକା ନେବା ପରେ ବିଗିଡ଼ିଲା ଟିଏମସି ସାଂସଦ ମିମି ଚକ୍ରବର୍ତ୍ତୀଙ୍କ ସ୍ବାସ୍ଥ୍ୟାବସ୍ଥା

କୋଲକାତା: ନକଲି ଟିକା ଦିଆଯିବାର ଚାରି ଦିନ ପରେ ତୃଣମୂଳ କଂଗ୍ରେସ ସାଂସଦ ମିମି ଚକ୍ରବର୍ତ୍ତୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଛି। କିଛି ଦିନ ତଳେ ସେ ଏକ ନକଲି ଟୀକାକରଣ ଶିବିରର ଶିକାର ହୋଇଥିଲେ। ଏହି ଘଟଣାର ତଦନ୍ତ ପାଇଁ ଏସଆଇଟି ଗଠନ କରାଯାଇଛି। ଏଥିସହ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ମିମି ଆଜି ସକାଳେ ଡାକ୍ତରଙ୍କୁ ତାଙ୍କ ଘରକୁ ଡାକିଥିଲେ। ତାଙ୍କ ପେଟରେ ପ୍ରବଳ ଯନ୍ତ୍ରଣା ହେଉଥିଲା ଏବଂ ଦେହରୁ ଝାଳ ବାହାରୁଥିଲା | ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପରାମର୍ଶ ଦିଆଯାଇଛି। କିନ୍ତୁ ବର୍ତ୍ତମାନ ସେ ହସ୍ପିଟାଲରେ ଭର୍ତ୍ତି ହେବାକୁ ମନା କରି ଦେଇଛନ୍ତି ଏବଂ ଘରେ ତାଙ୍କର ଚିକିତ୍ସା ଚାଲିଛି।

ମିମି ଚକ୍ରବର୍ତ୍ତୀ ବୁଧବାର କୋଲକାତାରେ ଚାଲିଥିବା ଏକ ନକଲି ଟୀକାକରଣ ଶିବିରର ଖୁଲାସା କରିଥିଲେ। ସେ ଦାବି କରିଥିଲେ ଯେ ସେ ନିଜେ ଏହି ନକଲି ଟୀକାକରଣ ଶିବିରର ଶିକାର ହୋଇଛନ୍ତି। ନିଜକୁ ଜଣେ ଆଇଏଏସ୍ ଅଧିକାରୀ ବୋଲି ପରିଚୟ ଦେଇ ଦେବାଞ୍ଜନ ଦେବ ନାମକ ଜଣେ ବ୍ୟକ୍ତି ତାଙ୍କ ସହ ଯୋଗାଯୋଗ କରିଥିଲେ। ମିମିଙ୍କୁ ସେ କହିଥିଲେ ଯେ ଟ୍ରାନ୍ସଜେଣ୍ଡର ଏବଂ ଭିନ୍ନକ୍ଷମଙ୍କ ପାଇଁ ସେ ଏକ ସ୍ୱତନ୍ତ୍ର ଟୀକାକରଣ ଡ୍ରାଇଭ୍ ଚଳାଉଛନ୍ତି। ଉକ୍ତ ଟୀକାକରଣ ଶିବିରରେ ଯୋଗଦେବାକୁ ସେ ମିମିଙ୍କୁ ଅନୁରୋଧ କରିଥିଲେ ।

ମିମି କହିଛନ୍ତି ଯେ ସେ ଲୋକଙ୍କୁ ଉତ୍ସାହିତ କରିବା ପାଇଁ କ୍ୟାମ୍ପକୁ ଯାଇ କୋଭେସିଲ୍ଡର ଏକ ଡୋଜ ନେଇଥିଲେ। କିନ୍ତୁ ଟିକା ନେବା ପରେ କୋ-ଓ୍ବିନରୁ ତାଙ୍କ ମୋବାଇଲକୁ
ମେସେଜ୍ ନ ଆସିବାରୁ ସେ ସନ୍ଦେହରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ ଏବଂ ପରେ ଅଭିଯୁକ୍ତ ଧରାପଡିଥିଲେ।