ଖେଳରତ୍ନ ପାଇଁ ଶ୍ରୀଜେସ, ଦୀପିକାଙ୍କ ନାମ ସୁପାରିସ କଲା ହକି ଇଣ୍ଡିଆ | News Room Odisha

ଖେଳରତ୍ନ ପାଇଁ ଶ୍ରୀଜେସ, ଦୀପିକାଙ୍କ ନାମ ସୁପାରିସ କଲା ହକି ଇଣ୍ଡିଆ

ନୂଆଦିଲ୍ଲୀ: ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧି ଖେଳରତ୍ନ ପାଇଁ ହକି ଇଣ୍ଡିଆ ଭେଟେରାନ ଗୋଲକିପର ପିଆର ଶ୍ରୀଜେସ୍ ଏବଂ ମହିଳା ଦଳର ପୂର୍ବତନ ଖେଳାଳି ଦୀପିକାଙ୍କ ନାମ ସୁପାରିସ କରିଛି । ଅନ୍ୟପକ୍ଷେ ଭାରତୀୟ ପୁରୁଷ ଦଳର ଉପଅଧିନାୟକ ହରମନପ୍ରୀତ ସିଂ ଏବଂ ମହିଳା ଖେଳାଳି ବନ୍ଦନା କଟାରିଆ ଓ ନଭଜୋତ କୌରଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରିବାକୁ ସୁପାରିସ୍ କରିଛି ହକି ଇଣ୍ଡିଆ ।
ଧ୍ୟାନଚାନ୍ଦ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ପୁରସ୍କାର ପାଇଁ ଆରପି ସିଂହ ଓ ସାଙ୍ଗାଇ ଇଭେମାଲଙ୍କୁ ମନୋନୀତ କରାଯାଇଥିବା ବେଳେ କୋଚ୍ ବିଜେ କାରିଆପ୍ପା ଓ ସିଆର କୁମାରଙ୍କ ନାମ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ପଠାଇଯାଇଛି ।

ହକି ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ, ଜାନୁୟାରୀ ୧, ୨୦୧୭ ରୁ ଡିସେମ୍ବର ୩୧,୨୦୨୦ ମଧ୍ୟରେ ପ୍ରଦର୍ଶନ ଆଧାରରେ ଶ୍ରୀଜେସ୍ ଓ ଦୀପିକାଙ୍କ ନାମ ଖେଳରତ୍ନ ପୁରସ୍କାର ପାଇଁ ସୁପାରିସ କରାଯାଇଛି ।

ଏହି ସମୟ ମଧ୍ୟରେ ୩୫ ବର୍ଷୀୟ ଶ୍ରୀଜେସ୍ ଅନେକ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଭାରତର ସଫଳତା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏଥିମଧ୍ୟରୁ ୨୦୧୮ ଚାମ୍ପିୟନ୍ସ ଟ୍ରଫିରେ ରୌପ୍ୟ ପଦକ, ୨୦୧୮ ଏସିଆନ ଗେମ୍ସରେ ବ୍ରୋଞ୍ଜ ଏବଂ ୨୦୧୯ ଏଫ୍‌ଆଇଏଚ୍ ପୁରୁଷ ସିିରଜ ଫାଇନାଲରେ ସ୍ୱର୍ଣ୍ଣ ପଦକ ବିଜୟ ଉଲ୍ଲେଖନୀୟ । ପୂର୍ବରୁ ୨୦୧୫ରେ ଶ୍ରୀଜେସ ଅର୍ଜୁନ ପୁରସ୍କାର ପାଇଥିଲେ । ୨୦୧୭ରେ ତାଙ୍କୁ ମର୍ଯ୍ୟାଦାଜନକ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା ।

ଅନ୍ୟପକ୍ଷେ ଦୀପିକା ୨୦୧୮ ଏସିଆନ ଗେମ୍ସରେ ରୌପ୍ୟ ପଦକ ଜିିତିଥିବା ଭାରତୀୟ ମହିଳା ଦଳର ସଦସ୍ୟ ଥିଲେ । ୨୦୧୮ ଏସିଆନ ଚମ୍ପିୟାନ୍ସ ଟ୍ରଫିରେ ବି ସେ ଖେଳିଥିଲେ । ଉକ୍ତ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଭାରତୀୟ ମହିଳା ଦଳ ରୌପ୍ୟ ପଦକ ଜିତିଥିଲା ।

ଅର୍ଜୁନ ପୁରସ୍କାର ପାଇଁ ହକି ଇଣ୍ଡିଆ ଦ୍ୱାରା ମନୋନୀତ ହୋଇଥିବା ହରମନପ୍ରୀତ କୌର ଭାରତ ପାଇଁ ୧୦୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ସେହିପରି ବନ୍ଦନା ୨୦୦ରୁ ଊର୍ଦ୍ଧ୍ୱ ମ୍ୟାଚରେ ଭାରତର ପ୍ରତିନିଧିତ୍ୱ କରିଥିବା ବେଳେ ନଭଜୋତ ୧୫୦ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିସାରିଛନ୍ତି ।