ପୁରୀ : ଶ୍ରୀଜୀଉଙ୍କ ଅଣସର ସେବା ଅବସରରେ ପୂଜା ପାଉଛନ୍ତି ପଟ୍ଟିଦିଅଁ | News Room Odisha

ପୁରୀ : ଶ୍ରୀଜୀଉଙ୍କ ଅଣସର ସେବା ଅବସରରେ ପୂଜା ପାଉଛନ୍ତି ପଟ୍ଟିଦିଅଁ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆରମ୍ଭ ହୋଇଛି ଅନବସର ନୀତି ବା ଗୁପ୍ତସେବା । ଶ୍ରୀଜୀଉ ବର୍ତ୍ତମାନ ଜ୍ୱରରେ ପୀଡିତ। ଗୁପ୍ତ ଭାବରେ ଚାଲିଛି ତାଙ୍କ ଉପଚାର। ଶ୍ରୀମନ୍ଦିର ଭିତର କାଠ ନିକଟରେ ସ୍ୱତନ୍ତ୍ର ଭାବରେ ନିର୍ମିତ ଅଣସର ପିଣ୍ଡି ଭିତରେ ଚତୁର୍ଦ୍ଧା ଦାରୁବିଗ୍ରହ ବିରାଜମାନ କରିଛନ୍ତି। ଏହିସମୟରେ ତାଟି ବାହାରେ ପଟ୍ଟିଦିଅଁ ବିଜେ କରି ପୂଜା ଗ୍ରହଣ କରୁଛନ୍ତି।

ଏହି ପଟ୍ଟି ଠାକୁରଙ୍କୁ ଚିତ୍ରକାର ସେବକମାନେ ଉପବାସରେ ରହି ପାଞ୍ଚଫୁଟ ଓସାର, ଚାରିଫୁଟ ଉଚ୍ଚତା ବିଶିଷ୍ଟ କପଡା, କଇଁଆ ମଞ୍ଜି ଅଠା, କଇଁଥ ଅଠା, ହିଙ୍ଗୁଳ ହରତାଳ ରଙ୍ଗରେ ଚିତ୍ରିତ କରିଛନ୍ତି। ଶ୍ରୀବଳଭଦ୍ରଙ୍କ ବାଡ଼ରେ ଧବଳ ବର୍ଣ୍ଣର ବାସୁଦେବ ( ଶେଷଦେଵ), ସୁଭଦ୍ରା ଙ୍କ ବାଡ଼ରେ ହରିଦ୍ରା ବର୍ଣ୍ଣର ଭୁବନେଶ୍ୱରୀ ଏବଂ ଶ୍ରୀଜଗନ୍ନାଥଙ୍କ ବାଡ଼ରେ କଳା ବର୍ଣ୍ଣର ଶ୍ରୀ ମହାନାରାୟଣ ବିରାଜମାନ କରିଛନ୍ତି। ଏହାବ୍ୟତୀତ ଶ୍ରୀବଳଭଦ୍ର ଙ୍କ ବାଡ଼ରେ ଚଳନ୍ତି ବିଗ୍ରହ ରାମ, କୃଷ୍ଣ, ନୃସିଂହ । ସୁଭଦ୍ରାଙ୍କ ବାଡ଼ରେ ଶ୍ରୀଦେବୀ, ଭୂଦେବୀ ସେହିପରି ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଦୋଳଗୋବନ୍ଦ ଓ ମଦନମୋହନ ଏହିପରି ଦଶପ୍ରତିମା ଦଶାବତାର ରୂପେ ପୂଜା ପାଇଥାନ୍ତି।

ମହାପ୍ରଭୁ ଙ୍କ ଗୁପ୍ତସେବା ସମୟରେ ଦଇତାପତି ସେବକ ମାନେ ଅନେକ ନିୟମ ପାଳନ କରିଥାନ୍ତି। ସେବା ସମୟରେ ଧଳାଲୁଗା ଏକ କାନ୍ଧି କିଆ ହୋଇ ପରିଧାନ କରିଥାନ୍ତି। ଶ୍ରୀଜୀଉଙ୍କ ସେବାରେ ତୁଳସୀ ପତ୍ର ଲାଗି ହୋଇନଥାଏ। କେବଳ ଶ୍ୱେତପୁଷ୍ପ ଲାଗି ହୋଇଥାଏ। ପ୍ରସାଦ ଭାବରେ କ୍ଷୀର, ସର ,ଫଳମୂଳ ହିଁ ଲଗାଯାଇଥାଏ। ଯାହାକି ସେବା ଅବଧି ବାହାରକୁ ଆସିନଥାଏ।