ନିରବି ଗଲା ରେଡିଓର ଗୁରୁଗମ୍ଭୀର ସ୍ବର, ଚାଲିଗଲେ ଚର୍ଚ୍ଚିତ ଖବର ପାଠକ ଉପେନ୍ଦ୍ର ପାହାଡସିଂ | News Room Odisha

ନିରବି ଗଲା ରେଡିଓର ଗୁରୁଗମ୍ଭୀର ସ୍ବର, ଚାଲିଗଲେ ଚର୍ଚ୍ଚିତ ଖବର ପାଠକ ଉପେନ୍ଦ୍ର ପାହାଡସିଂ

ଭୁବନେଶ୍ୱର : ଦୀର୍ଘ ଦଶନ୍ଧି ଧରି ରେଡିଓରେ ସେହି ଗୁରୁ ଗମ୍ଭୀର ସ୍ୱରରେ ଖବର ଶୁଣାଇ ଆସିଥିବା ଉପେନ୍ଦ୍ର କୁମାର ପାହାଡସିଂ ଆଉ ନାହାନ୍ତି । ଆକାଶବାଣୀର ଏହି ଚର୍ଚ୍ଚିତ ଖବର ପାଠକଙ୍କ ଆଜି ହୃଦଘାତରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହେଉଥିଲା । ପରିଣତ ବୟସରେ ସେ ଦିଲ୍ଲୀର ପାହାଡଗଞ୍ଜ ଅଞ୍ଚଳରେ ରହୁଥିବା ବେଳେ ସେଠାରେ ପରଲୋକ ହୋଇଛି ।

ସତୁରୀରୁ ନବେ ଦଶକ ପର୍ଯ୍ୟନ୍ତ ଅଗଣିତ ଓଡିଆଙ୍କୁ ନିଜର ନିଆରା ଖବର ପଠନ ଶୈଳୀ ପାଇଁ ବାନ୍ଧି ରଖିଥିବା ଉପେନ୍ଦ୍ର ବାବୁଙ୍କ ଠାରୁ ଖବର ଶୁଣିବାକୁ ରେଡିଓରେ ସକାଳ ୭ଟା ୧୫ ଏବଂ ସନ୍ଧ୍ୟା ୭ଟା ୧୫ ମିନିଟରେ ଲୋକେ ରୁଣ୍ଡ ହୋଇଯାଉଥିଲେ । ରାଜ୍ୟରୁ ଆରମ୍ଭ କରି ଦେଶ ତଥା ବିଦେଶର ଖବରକୁ ଅତି ଚମତ୍କାର ଭାବେ ସେ ମାତ୍ର କେଇ ମିନିଟ୍ ମଧ୍ୟରେ ପରିବେଷଣ କରି ଅଗଣିତ ଶ୍ରୋତାଙ୍କ ହୃଦୟ ଜିତି ପାରିଥିଲେ । ତାଙ୍କର ଖବର ପଠନ ପ୍ରାରମ୍ଭରୁ ଦେଉଥିବା ସମ୍ବୋଧନ ଆକାଶବାଣୀ … ଖବର ପଢୁଛନ୍ତି ଉପେନ୍ଦ୍ର କୁମାର ପାହାଡସିଂ .. ଆଜି ବି ପ୍ରତିଟି ଓଡ଼ିଆଙ୍କ କାନରେ ଗୁଞ୍ଜରିତ ହେଉଛି ।