କୋଭିଡ ପରବର୍ତ୍ତୀ ପୂନର୍ଗଠନ ଓ ପୁନରୁତ୍ଥାନ ସହ ସାମଗ୍ରିକ ବିକାଶ ଉପରେ କର୍ମଶାଳା | News Room Odisha

କୋଭିଡ ପରବର୍ତ୍ତୀ ପୂନର୍ଗଠନ ଓ ପୁନରୁତ୍ଥାନ ସହ ସାମଗ୍ରିକ ବିକାଶ ଉପରେ କର୍ମଶାଳା

ଭୁବନେଶ୍ୱର: ସିଆଇଆଇ ପକ୍ଷରୁ ବିଶ୍ୱ ମହାମାରୀ ପରବର୍ତ୍ତୀ ସମୟରେ ପୁନର୍ଗଠନ ଏବଂ ପୁନରୁତ୍ଥାନ ସଂପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ କୋଭିଡ୍ ମହାମାରୀ ଯୋଗୁଁ ସ୍ବାସ୍ଥ୍ୟ , ଶିକ୍ଷା , ବ୍ୟବସାୟ , ବାଣିଜ୍ୟ , ଅର୍ଥନୀତି , ଗମନାଗମନ ଆଦି ଯଥେଷ୍ଟ ପରିମାଣରେ ପ୍ରଭାବିତ ହୋଇଥିବାରୁ ଏଥିରୁ କିପରି ବାହାରି ସମସ୍ତ ବ୍ୟବସ୍ଥାକୁ ସ୍ଵାଭାବିକ କରାଯାଇପାରିବ ସେ ସଂପର୍କରେ ଆଲୋଚନା କରିଥିଲେ ।

ଏହି କର୍ମଶାଳାରେ ଇଲେକ୍ଟ୍ରୋନିକ୍ସ , ସୂଚନା ପ୍ରଯୁକ୍ତି , କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ଏହି ମହାମାରୀ ଯୋଗୁଁ ସମଗ୍ର ବିଶ୍ୱ ବିଶେଷ ଭାବେ ପ୍ରଭାବିତ ହୋଇଛି । ସ୍ୱାସ୍ଥ୍ୟ , ଶିକ୍ଷା , ରୋଜଗାର ଏବଂ ଅର୍ଥନୀତି କ୍ଷେତ୍ରରେ ଅନେକ ପ୍ରତିକୂଳ ପ୍ରଭାବ ପଡ଼ିଛି । ତେବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦିଗ୍‌ଦର୍ଶନରେ ଓଡ଼ିଶା କୋଭିଡ୍ ମହାମାରୀକୁ ପ୍ରତିହତ କରି ବିକାଶ କାର୍ଯ୍ୟକ୍ରମକୁ ଆଗେଇ ନେବା ଲାଗି ବହୁ ପଦକ୍ଷେପ ଗ୍ରହଣ କରିପାରିଛି । ରାଜ୍ୟ ସରକାର ସ୍ବାସ୍ଥ୍ୟସେବାକୁ ପ୍ରାଥମିକତା ଦେଇ ନୂତନ କୋଭିଡ୍ ହସ୍‌ପିଟାଲ୍ ପ୍ରତିଷ୍ଠା , ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀ ନିଯୁକ୍ତି ସହ ଟିକାକରଣ କାର୍ଯ୍ୟକ୍ରମକୁ ବ୍ୟାପକ କରିଛନ୍ତି । କୋଭିଡ୍ ମହାମାରୀ ସମୟରେ ରାଜ୍ୟ ସରକାର କୋଭିଡ୍ ଡାସବୋର୍ଡକୁ କାର୍ଯ୍ୟକ୍ଷମ କରି ସ୍ଵାସ୍ଥ୍ୟ ଭିତ୍ତିଭୂମି , କୋଭିଡ୍ ପଜିଟିଭ୍ ଓ ନେଗେଟିଭ୍ ରିପୋର୍ଟ ତ୍ବରିତ ଭାବେ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାରେ ସକ୍ଷମ ହୋଇପାରିଛନ୍ତି । ଏଥି ସହିତ ହ୍ଵାଟସ୍ ଆପ୍ ଜରିଆରେ ଅନେକ ସୂଚନା ଓ ସଚେତନତାର ବାର୍ତ୍ତା ଯୋଗାଇ ଜନସାଧାରଣଙ୍କୁ କୋଭିଡ୍ ସଂକ୍ରମଣ ପ୍ରତି ସାବଧାନ କରାଯାଇପାରିଛି ବୋଲି ମନ୍ତ୍ରୀ ଶ୍ରୀ ବେହେରା ପ୍ରକାଶ କରିଥିଲେ ।

ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ ଯେ ସୁସ୍ଥ ସମାଜ ଗଠନରେ ଶିକ୍ଷା ମୂଳଦୁଆ ସଦୃଶ୍ୟ ହୋଇଥିବାବେଳେ କୋଭିଡ୍ ମହାମାରୀ ସମୟରେ ଅନ୍‌ଲାଇନ୍ ଜରିଆରେ ଆମେ ଅନେକ ସ୍କୁଲ ଓ କଲେଜ ପିଲାମାନଙ୍କୁ ଶିକ୍ଷା ଯୋଗାଇ ପାରିଛୁ । ଏଥି ସହିତ ଟିଭି , ୟୁଟ୍ୟୁବ୍ , ହ୍ବାଟସ୍ ଆପ୍ , ଜୁମ୍ ଆପ୍ ଜରିଆରେ ଆମେ ଅନ୍‌ଲାଇନ୍ ଶିକ୍ଷାକୁ ଅଧିକ ବ୍ୟାପକ କରିବାରେ ସକ୍ଷମ ହୋଇପାରିଛୁ । ତେବେ ମହାମାରୀ ପରବର୍ତ୍ତୀ ସମୟରେ ଆମକୁ ଅନେକ ଆହ୍ବାନର ସାମ୍ନା କରିବାକୁ ପଡ଼ିବ । ଏହାକୁ ସଫଳ ମୁକାବିଲା କରିବା ପାଇଁ ଆମକୁ ଯୋଜନାବଦ୍ଧ ଭାବେ ନୂଆ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ ।

ଏହି କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ଆଇଟି ସଚିବ ମନୋଜ କୁମାର ମିଶ୍ର , ଏସ୍‌ଟିପିଆଇ ଡିଜି ଡ . ଓମ୍‌କାର ରାୟ , ସିଆଇଆଇର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶାଶ୍ୱତ କୁମାର ପଣ୍ଡା ଏବଂ ଗୌରବ ଦାଶ ପ୍ରମୁଖ ଯୋଗଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରିୟଦର୍ଶନୀ ନାନୁ ପାଣ୍ଡେ ସ୍ଵାଗତ ଭାଷଣ ପ୍ରଦାନ କରିଥିବାବେଳେ ଅଶ୍ୱିନୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।