ଭୁବନେଶ୍ବର: ଓଡ଼ିଶାର ମନ୍ଦିର ଶିଳ୍ପ କଳା ଅନନ୍ୟ । ଏହା କେବଳ ଆଧ୍ୟାତ୍ମିକ କ୍ଷେତ୍ରରେ ମାନବସମାଜକୁ ମାର୍ଗଦର୍ଶନ ଦେଇନାହିଁ , ବରଂ ସାମାଜିକ ସମରସତା , ରାଜ୍ୟ ଶାସନ ପଦ୍ଧତି , ଉତ୍କୃଷ୍ଟ ବିଜ୍ଞାନ ଓ କାରିଗରୀ କୌଶଳ , ପରିବେଶ ସୁରକ୍ଷା , ପ୍ରଜାନୁଞ୍ଜକ ଶାସକଙ୍କ ଜନମଙ୍ଗଳ କାର୍ଯ୍ୟ , ବାଣିଜ୍ୟବ୍ୟସାୟ ସଂପର୍କିତ ତଥ୍ୟରାଜି ଉପରେ ବିଶେଷ ଆଲୋକପାତ କରିଆସିଛି । ଏହି ଦୃଷ୍ଟିରୁ ଇତିହାସର ପୁନଃନିର୍ମାଣ ନିମନ୍ତେ ମନ୍ଦିର ସ୍ଥାପତ୍ୟକଳା ଉପରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି ବୋଲି ଓଡ଼ିଆ , ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ମତ ପ୍ରଦାନ କରିଛନ୍ତି ।
ଆଜି ଓଡ଼ିଆ , ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ରାଜ୍ୟ ଅଭିଲେଖାଗାର ପକ୍ଷରୁ ଅନୁଷ୍ଠିତ ୫୨ ତମ ସଂସ୍କୃତି ଚର୍ଚ୍ଚା ’ କାର୍ଯ୍ୟକ୍ରମର ଆଭାସୀ ଅଧବେଶନରେ ସେଠୀ କହିଛନ୍ତି ଯେ ମଣିଷର ସୌନ୍ଦର୍ଯ୍ୟ ସ୍ପୃହାରୁ ଶିଳ୍ପକଳାର ସୃଷ୍ଟି ହୋଇଛି । ଷଷ୍ଠରୁ ନବମ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଶାରେ ମନ୍ଦିର ନିର୍ମାଣର ପ୍ରଥମ ଧାରା ଆରମ୍ଭ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଏହା ଆଦୃତ ହୋଇଛି । କଳିଙ୍ଗ ମନ୍ଦିର ସ୍ଥାପତ୍ୟ ଶୈଳୀ ସମଗ୍ର ବିଶ୍ୱରେ ଗବେଷଣାର ବିଷୟ ହୋଇ ରହିଛି ବୋଲି ଶ୍ରୀ ସେଠୀ ପ୍ରକାଶ କରିଛନ୍ତି ।
କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ପ୍ରଫେସର ସଂଜୟ ଆଚାର୍ଯ୍ୟ ନାଗର , ଦ୍ରାବିଡ ଓ ବେସର ମନ୍ଦିର ଶୈଳୀ ସହିତ କଳିଙ୍ଗ ଶୈଳୀର ସାମଂଜସ୍ୟ ଉପରେ ଆଲୋକପାତ କରିଥିଲେ । ସେ ଓଡ଼ିଶାର ମନ୍ଦିର ଶୈଳୀକୁ ବିଭିନ୍ନ ପର୍ଯ୍ୟାୟରେ ବିଭକ୍ତ କରି ସ୍ଥାପତ୍ୟ କଳାର କ୍ରମବିକାଶକୁ ପାୱାରପଏଣ୍ଟ ମାଧ୍ୟମରେ ଉପସ୍ଥାପନ କରିଥିଲେ । ରାଜ୍ୟରେ ରହିଥିବା ଅନେକ ମନ୍ଦିର ମଧ୍ୟରୁ କେତେକର ରକ୍ଷଣାବେକ୍ଷଣ ହୋଇପାରିଥିବାବେଳେ ଅନ୍ୟ ଗୁଡ଼ିକର ଅବକ୍ଷୟ ଉପରେ ଉଲ୍ଲେଖ କରିଥିଲେ । ମନ୍ଦିର ମୂର୍ତ୍ତିକଳା ଆମ ଅତୀତର ନୌବାଣିଜ୍ୟ , ରୀତିନୀତି , ଜୀବନଶୈଳୀ ଓ ସଂସ୍କୃତିକୁ ଚିତ୍ରିତ କରିଛି ବୋଲି ସେ ପ୍ରକାଶ କରିଥିଲେ ।
ବିଭାଗର ଅତିରିକ୍ତ ଶାସନ ସଚିବ ତଥା ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ ଯେ ଆଦିକାଳରୁ ମାନବ ଜାତି ଈଶ୍ଵର ବା ଠାକୁରଙ୍କ ଉପରେ ଅମାପ ବିଶ୍ଵାସ ସ୍ଥାପନ କରି ଉପାସନା ପୀଠ ବା ମନ୍ଦିରର ଆରମ୍ଭ କରିଥିବାବେଳେ ତା’ର ସ୍ଥାପତ୍ୟ ଶୈଳୀ ଉପରେ ସମୟକ୍ରମେ ନିଜର ପ୍ରତିଭା ଓ ଦକ୍ଷତାକୁ ପ୍ରତିପାଦିତ କରିଛି । ଆମ ଇତିହାସ ଓ ସଂସ୍କୃତିର ବଳିଷ୍ଠ ଉପାଦାନ ଭାବରେ ପ୍ରତିଷ୍ଠିତ ମନ୍ଦିର ସ୍ଥାପତ୍ୟର ଗବେଷଣା , ଅଧୟନ , ସଂଗ୍ରହଣ ଓ ପ୍ରସାର ଉପରେ ଶ୍ରୀ ଦାସ ଗୁରୁତ୍ବ ଦେଇଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ . ଶେଖ୍ ସୋଲେମାନ୍ ଅଲ୍ଲୀ ସ୍ୱାଗତ ଭାଷଣ ଦେଇଥିଲେ ଓ ବୈଷୟିକ ସହାୟକ ଉପେନ୍ଦ୍ର କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।