ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସା ଘଟଣାରେ କେନ୍ଦ୍ର, ପଶ୍ଚିମବଙ୍ଗ ସରକାର ଏବଂ ନିର୍ବାଚନ ଆୟୋଗଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ | News Room Odisha

ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସା ଘଟଣାରେ କେନ୍ଦ୍ର, ପଶ୍ଚିମବଙ୍ଗ ସରକାର ଏବଂ ନିର୍ବାଚନ ଆୟୋଗଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସା ଘଟଣାରେ ଏସଆଇଟି ତଦନ୍ତ ପାଇଁ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର, ପଶ୍ଚିମବଙ୍ଗ ସରକାର ଏବଂ ନିର୍ବାଚନ ଆୟୋଗଙ୍କୁ ନୋଟିସ ଜାରି କରିଛନ୍ତି। ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପରେ ମେ ୨ ତାରିଖରୁ ଆରମ୍ଭ ହୋଇଥିବା ରାଜନୈତକ ହିଂସା ଘଟଣାରେ କୋର୍ଟଙ୍କ ତଦାରଖରେ ଏସଆଇଟି ତଦନ୍ତ ପାଇଁ ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଥିଲା। ଏହି ଆବେଦନରେ ସମସ୍ତ ପୀଡିତଙ୍କୁ କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଜାରି କରିବାକୁ ମଧ୍ୟ ଦାବି କରାଯାଇଥିଲା।

ନିର୍ବାଚନ ପରବର୍ତ୍ତୀ ହିଂସା ନେଇ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନରେ ଦର୍ଶାଯାଇଥିଲା ଯେ, ଯେଉଁମାନେ ଘର ଛାଡ଼ି ଆସାମ କିମ୍ବା ଅନ୍ୟାନ୍ୟ ରାଜ୍ୟକୁ ବିସ୍ଥାପିତ ହୋଇଛନ୍ତି ସେହି ଲୋକମାନଙ୍କୁ ପୁନର୍ବାସ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ। ରାଜ୍ୟରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ ଭଳି ପଦକ୍ଷେପ ନେବାକୁ ମଧ୍ୟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ସହ କେନ୍ଦ୍ରରେ ରାଜ୍ୟରେ ପାରାମିଲିଟାରୀ ଫୋର୍ସ ମୁତୟନ କରିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ନିବେଦନ କରାଯାଇଥିଲା।