ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟାରେ ଆଉ ୪୬,୬୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ଏହି ରୋଗରେ ଆଉ ୮୫୩ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ ଭାରତରେ କରୋନା ଜନିତ ମୃତ୍ୟୁ ସଂଖା ୪ ଲକ୍ଷ ଟପିଛି । ଆମେରିକା ଓ ବ୍ରାଜିଲ ପରେ ଭାରତ ହେଉଛି ବିଶ୍ୱର ତୃତୀୟ ଦେଶ ଯେଉଁଠି କରୋନା ଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ଅତିକ୍ରମ କରିଛି । କୋଭିଡ୍-୧୯ରୁ ଆଉ ୫୯,୩୮୪ ଲୋକ ସୁସ୍ଥ ହୋଇଛନ୍ତି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ମୁତାବକ ଦେଶରେ ଏବେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୪ ଲକ୍ଷ ୫୮ ହଜାର ୨୫୧ରେ ପହଞ୍ଚିଛି । ଦୁଇ କୋଟି ୯୫ ଲକ୍ଷ ୪୮ ହଜାର ୩୦୨ ଜଣ ସୁସ୍ଥ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ଏହି ମହାମାରୀରେ ୪ ଲକ୍ଷ ୩୧୨ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ଏବେ ୫ ଲକ୍ଷ ୯ ହଜାର ୬୩୭ ସକ୍ରିୟ ରୋଗୀ ଅଛନ୍ତି ।
ଦେଶରେ କୋଭିଡ୍-୧୯ ବିରୋଧରେ ଟିକାକରଣ ଚାଲିଛି । ଗୁରୁବାର ଦିନ ପୂରା ଦେଶରେ ୩୮.୧୭ ଲକ୍ଷ ଟିକା ଡୋଜ୍ ଦିଆଯାଇଥିଲା । ଏଯାବତ୍ ମୋଟ ୩୪ କୋଟି ୭୬ ହଜାର ୨୩୨ ଟିକା ଡୋଜ୍ ଦିଆଯାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।