କୃଷି ଆଇନ ବିରୋଧରେ ଆସନ୍ତାକାଲି ପୁଣି ଚାଷୀଙ୍କ ଟ୍ରାକ୍ଟର ରାଲି, ଦିଲ୍ଲୀ ସୀମାରେ ଚାଲିଛି ପ୍ରସ୍ତୁତି | News Room Odisha

କୃଷି ଆଇନ ବିରୋଧରେ ଆସନ୍ତାକାଲି ପୁଣି ଚାଷୀଙ୍କ ଟ୍ରାକ୍ଟର ରାଲି, ଦିଲ୍ଲୀ ସୀମାରେ ଚାଲିଛି ପ୍ରସ୍ତୁତି

ନୂଆଦିଲ୍ଲୀ: ତିନି କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନକୁ ଆସନ୍ତାକାଲି ସାତ ମାସ ପୂରୁଛି । ଏହି ଅବସରରେ ଚାଷୀମାନେ ପୁଣିଥରେ ଏକ ଟ୍ରାକ୍ଟର ରାଲିର ଆୟୋଜନ କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଭାରତୀୟ କିଷାନ ସଂଘ (ବିକେୟୁ)ର ପ୍ରବକ୍ତା ରାକେଶ ଟିକାଏତ କହିଛନ୍ତି ଯେ, ଆସନ୍ତାକାଲିର ଟ୍ରାକ୍ଟର ରାଲି ପାଇଁ ଦିଲ୍ଲୀ-ଗାଜିଆବାଦରେ ପ୍ରସ୍ତୁତି ଚାଲିଛି । ଆଜି ଏହି ରାଲିର ରିହାର୍ସଲ ହେବ । ଟ୍ରାକ୍ଟର ରାଲିରେ ଯୋଗ ଦେବା ପାଇଁ ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ ଓ ହରିୟାଣାରୁ ବହୁ ସଂଖ୍ୟାରେ ଚାଷୀ ଆସୁଛନ୍ତି ବୋଲି ସେ କହିଛନ୍ତି ।

ଜୁନ୍ ୨୬େ ଚାଷୀ ଆନ୍ଦୋଳନର ସାତ ମାସ ପୂର୍ତ୍ତି ଅବସରରେ ଉତ୍ତର ପ୍ରଦେଶରୁ ଅନେକ ସଂଖ୍ୟାରେ ଚାଷୀ ଆସି ଦିଲ୍ଲୀ ସୀମାରେ ଆନ୍ଦୋଳନରତ କୃଷକଙ୍କ ସହ ଯୋଗଦେବେ । ଚାଷୀମାନେ ଏହି ଦିନକୁ ‘କୃଷି ବଞ୍ଚାଅ, ଲୋକତନ୍ତ୍ର ବଞ୍ଚାଅ ଦିବସ’ ଭାବେ ପାଳନ କରିବେ ବୋଲି ବିକେୟୁ ପକ୍ଷରୁ କୁହାଯାଇଛି ।
ଗତବର୍ଷ ସେପ୍ଟେମ୍ବରରେ ଲାଗୁ ହୋଇଥିବା କୃଷି ଆଇନ ବିରୋଧରେ ନଭେମ୍ବରରୁ ଦିଲ୍ଲୀର ସୀମାରେ ଚାଷୀମାନେ ଆନ୍ଦୋଳନ କରି ଆସୁଛନ୍ତି । ଯଦିଓ କିଛି କୃଷକ ସଂଘ ଆନ୍ଦୋଳନରୁ ଓହରି ଯାଇଛନ୍ତି, ପ୍ରାୟ ୪୦ ଛୋଟବଡ଼ ଚାଷୀ ସଂଘକୁ ନେଇ ବିକେୟୁ ଏବଂ ଅନ୍ୟ କିଛି ସଂଗଠନ ଏବେ ବି କୃଷି ଆଇନ ବିରୋଧରେ ବିକ୍ଷୋଭ ଜାରି ରଖିଛନ୍ତି । ସେମାନେ ତିନି କୃଷି ଆଇନ ପ୍ରତ୍ୟାହାର କରିବାକୁ ଦାବି କରୁଛନ୍ତି । ଏହାଛଡା ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବ୍ୟବସ୍ଥା ନ ଉଚ୍ଛେଦ କରିବା ପାଇଁ ସରକାର ଲିଖିତ ପ୍ରତିଶ୍ରୁତି ଦିଅନ୍ତୁ ବୋଲି କହିଛନ୍ତି ।