ସଲିସିଟର ଜେନେରାଲ ତୁଷାର ମେହେଟାଙ୍କୁ ହଟାଇବାକୁ ଦାବି କରିବ ତୃଣମୂଳ କଂଗ୍ରେସ, ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ଭେଟିବାକୁ ନେଇ ହୋଇଥିଲା ବିବାଦ | News Room Odisha

ସଲିସିଟର ଜେନେରାଲ ତୁଷାର ମେହେଟାଙ୍କୁ ହଟାଇବାକୁ ଦାବି କରିବ ତୃଣମୂଳ କଂଗ୍ରେସ, ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ଭେଟିବାକୁ ନେଇ ହୋଇଥିଲା ବିବାଦ

ନୂଆଦିଲ୍ଲୀ: ସଲିସିଟର ଜେନେରାଲ ତୁଷାର ମେହେଟାଙ୍କ ଘରକୁ ଯାଇ ତାଙ୍କୁ ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଭେଟିବା ନେଇ ବିବାଦ ସୃଷ୍ଟି ହୋଇଛି । ଏନେଇ ଆପତ୍ତି ଉଠାଇଛି ତୃଣମୂଳ କଂଗ୍ରେସ । ଏହି ପ୍ରସଙ୍ଗରେ ଦଳର ସାଂସଦମାନେ ସୋମବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ତୁଷାର ମେହେଟାଙ୍କୁ ସଲିସିଟର ଜେନେରାଲ ପଦରୁ ହଟାଇବା ପାଇଁ ଦାବି ଉପସ୍ଥାପନ କରିବେ ।

ତୃଣମୂଳ କଂଗ୍ରେସର ରାଜ୍ୟସଭା ସାଂସଦ ଶୁଖେନ୍ଦୁ ଶେଖର ରୟ ଏବଂ ଲୋକସଭା ଏମ୍‌ପି ମହୁଆ ମୋଇତ୍ର ସୋମବାର ଅପରାହ୍ନ ୧୨ଟା ୩୦ ମିନିଟରେ ରାଷ୍ଟ୍ରପତିଙ୍କୁ ଭେଟି ଏହି ପ୍ରସଙ୍ଗ ଉଠାଇବେ । ତୁଷାର ମେହେଟାଙ୍କୁ ସଲିସିଟର ଜେନେରାଲ ପଦରୁ ହଟାଇବାକୁ ଅନୁରାଧ କରାଯିବ ବୋଲି ଦଳର ଜଣେ ନେତା କହିଛନ୍ତି ।

ଦିନକ ପୂର୍ବରୁ ତୃଣମୂଳ କଂଗ୍ରେସର ତିନି ସାଂସଦ ଡେରେକ୍ ଓ’ବ୍ରାଏନ୍‌, ଶୁଖେନ୍ଦୁ ଶେଖର ରୟ ଏବଂ ମହୁଆ ମୋଇତ୍ର ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ତୁଷାର ମେହେଟାଙ୍କୁ ହଟାଇବାକୁ ଦାବି କରିଥିଲେ ।

ଗତ ଗୁରୁବାର ତୁଷାର ମେହେଟାଙ୍କ ଘର ତଥା କାର୍ଯ୍ୟାଳୟକୁ ଯାଇ ତାଙ୍କୁ ଭେଟିଥିଲେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ।

ଉଲ୍ଲେଖଯୋଗ୍ୟ ଯେ, ସିଲିସିଟର ଜେନେରାଲ ଭାବେ ତୁଷାର ମେହେଟା ସିବିଆଇ ଓ ଇଡି ଭଳି କେନ୍ଦ୍ର୍ରୀୟ ସଂସ୍ଥାର ଓକିଲ ଭାବେ ଦାୟିତ୍ୱ ତୁଲାଇଥାନ୍ତି । ସିବିଆଇ ବହୁ ଚର୍ଚ୍ଚିତ ନାରଦା ସ୍କାମର ତଦନ୍ତ କରୁଛି । ଏଭଳି ସ୍ଥଳେ ଅଧିକାରୀଙ୍କୁ ସଲିସିଟର ଜେନେରାଲ ଭେଟିବା ଏହି ସ୍ମାମର ନିରପେକ୍ଷ ତଦନ୍ତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ସ୍କାମରେ ମମତା ସରକାରର ଦୁଇ ମନ୍ତ୍ରୀଙ୍କ ସମେତ ଦଳର ଚାରି ନେତାଙ୍କୁ ସିବିଆଇ ମେ’ରେ ଗିରଫ କରିଥିଲା । ପରେ ସେମାନେ ଜାମିନରେ ମୁକୁଳିଥିଲେ ।