ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା-୨୦୨୨ ପାଇଁ ନୂଆ ମୂଲ୍ୟାଙ୍କନ ଯୋଜନା ଘୋଷଣା କଲା ସିବିଏସ୍ଇ, ଦୁଇଥର ହେବ ପରୀକ୍ଷା | News Room Odisha

ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା-୨୦୨୨ ପାଇଁ ନୂଆ ମୂଲ୍ୟାଙ୍କନ ଯୋଜନା ଘୋଷଣା କଲା ସିବିଏସ୍ଇ, ଦୁଇଥର ହେବ ପରୀକ୍ଷା

ନୂଆଦିଲ୍ଲୀ: ୨୦୨୧-୨୨ ଶିକ୍ଷାବର୍ଷରେ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ପାଇଁ ସିବିଏସ୍ଇ ଏକ ନୂଆ ମୂଲ୍ୟାଙ୍କନ ଯୋଜନା ଘୋଷଣା କରିଛି | ସିବିଏସ୍ଇ କହିଛି ଯେ ଶିକ୍ଷା ବର୍ଷକୁ ୫୦-୫୦ ପ୍ରତିଶତ ସିଲାବସ୍ ଅନୁଯାୟୀ ଦୁଇ ଭାଗରେ ବିଭକ୍ତ କରାଯିବ। ପ୍ରଥମ ଟର୍ମ ପରୀକ୍ଷା ନଭେମ୍ବର-ଡିସେମ୍ବରରେ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ମାର୍ଚ୍ଚ-ଏପ୍ରିଲରେ ଅନୁଷ୍ଠିତ ହେବ।

୨୦୨୨ର ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ପାଇଁ ଯୋଜନା ନେଇ ସିବିଏସ୍ଇ କହିଛି ଯେ ଇଣ୍ଟରନାଲ ଆସେସମେଣ୍ଟ ଏବଂ ପ୍ରୋଜେକ୍ଟ ଓ୍ବାର୍କକୁ ଅଧିକ ବିଶ୍ୱସନୀୟ ଏବଂ ବୈଧ କରିବା ପାଇଁ ପ୍ରୟାସ ଜାରି ରହିବ।

ସିବିଏସ୍ଇର ନିର୍ଦ୍ଦେଶକ (ଶିକ୍ଷାଦାନ) ଜୋସେଫ୍ ଇମାନୁଏଲଙ୍କ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ, ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ସିଲାବସ୍ ବିଶେଷଜ୍ଞଙ୍କ ସହାୟତାରେ ଯୁକ୍ତିସଙ୍ଗତ ଭାବରେ ଦୁଇଟି ଟର୍ମରେ ବିଭକ୍ତ କରାଯିବ।

ସେ କହିଛନ୍ତି, ସିଲାବସର ଦୁଇ ଭାଗ ଆଧାରରେ ବୋର୍ଡ ପ୍ରତ୍ୟେକ ଟର୍ମର ଶେଷରେ ପରୀକ୍ଷା କରିବ। ଶିକ୍ଷାବର୍ଷ ଶେଷରେ ବୋର୍ଡର ଦଶମ ଏବଂ ଦ୍ୱାଦଶ ପରୀକ୍ଷା କରିବାର ସମ୍ଭାବନା ବଢାଇବା ଲକ୍ଷ୍ୟରେ ଏଭଳି ଯୋଜନା ପ୍ରସ୍ତୁତ କରାଯାଇଛି |

କୋଭିଡ ମହାମାରୀ କାରଣରୁ ବୋର୍ଡ ଦ୍ଵାରା ଏହି ଯୋଜନା ଅଣାଯାଇଛି । କୋଭିଡ ଯୋଗୁଁ ଗତ ବର୍ଷ କିଛି ବିଷୟରେ ବୋର୍ଡ ପରୀକ୍ଷା ଏବଂ ଚଳିତ ବର୍ଷ ପୂରା ବୋର୍ଡ ପରୀକ୍ଷାକୁ ବାତିଲ କରିବାକୁ ପଡ଼ିଥିଲା ।