ଗୋଆ-ମୁମ୍ବାଇ ରାଜପଥରେ ଦୁଇ ପୃଥକ୍ ଦୁର୍ଘଟଣାରେ ୨୨ ମୃତ | News Room Odisha

ଗୋଆ-ମୁମ୍ବାଇ ରାଜପଥରେ ଦୁଇ ପୃଥକ୍ ଦୁର୍ଘଟଣାରେ ୨୨ ମୃତ

ମୁମ୍ବାଇ: ଗୋଆ-ମୁମ୍ବାଇ ରାଜପଥରେ ଗୁରୁବାର ସକାଳେ ଦୁଇଟି ପୃଥକ୍ ସଡ଼କ ଦୁର୍ଘଟଣାରେ ୨୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୩ ଜଣ ଆହତ ହୋଇଛନ୍ତି। କଙ୍କଭଲି ଠାରେ ଏକ ବସ୍‌ ଓଲଟି ପଡିବାରୁ ୧୩ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି । ବସରେ ୩୬ ଜଣ ଲୋକ ଥିଲେ। ଅନ୍ୟପକ୍ଷରେ ଆଉ ଏକ ଦୁର୍ଘଟଣାରେ କାର ଓ ଟ୍ରକ ଧକ୍କାରେ ଏକ ୪ ବର୍ଷର ଶିଶୁ ସମେତ ୯ ଜଣଙ୍କର ମୃତ୍ୟୁ ଘଟିଛି ।

ଗୋଆ-ମୁମ୍ବାଇ ରାଜପଥରେ କଙ୍କଭଲି ନିକଟରେ ଏକ ଘରୋଇ ଯାତ୍ରୀବାହୀ ବସ୍ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ହସ୍ପିଟାଲରେ ଅନ୍ୟ ୯ ଜଣଙ୍କର ପ୍ରାଣ ହରାଇଥିଲେ । ଏହି ଦୁର୍ଘଟଣାରେ ୨୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବସ୍‌ରେ ୩୬ ଜଣ ଲୋକ ଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଡ୍ରାଇଭର ବସ୍ ଉପରୁ ନିୟନ୍ତ୍ରଣ ହରାଇବାରୁ ଏହି ଦୁର୍ଘଟଣା ଘଟିଛି।

ମୁମ୍ବାଇ-ଗୋଆ ରାଜପଥରେ ଆଉ ଏକ ଦୁର୍ଘଟଣାରେ ଏକ କାର ଓ ଟ୍ରକ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ୯ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଏକ ୪ ବର୍ଷର ଶିଶୁ ଅଛି । କାରରେ ଥିବା ଲୋକ ନିଜ ସମ୍ପର୍କୀୟଙ୍କ ଅନ୍ତ୍ୟେଷ୍ଟିରେ ଯୋଗଦେବା ପରେ ଘରକୁ ଫେରୁଥିଲେ।