ଉତ୍ତର ପ୍ରଦେଶର ୨୨ ମନ୍ତ୍ରୀଙ୍କ ବିରୋଧରେ ରହିଛି ସଙ୍ଗୀନ୍ ଅପରାଧିକ ମାମଲା | News Room Odisha

ଉତ୍ତର ପ୍ରଦେଶର ୨୨ ମନ୍ତ୍ରୀଙ୍କ ବିରୋଧରେ ରହିଛି ସଙ୍ଗୀନ୍ ଅପରାଧିକ ମାମଲା

ଲକ୍ଷ୍ନୌ: ମାର୍ଚ୍ଚ ୨୫ ରେ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଉତ୍ତର ପ୍ରଦେଶରେ କ୍ରମାଗତ ଦ୍ବିତୀୟ ସରକାର ଗଢ଼ିଛି। ମୋଟ ୫୨ ମନ୍ତ୍ରୀ ଶପଥ ଗ୍ରହଣ କରିଥିଲେ ଯେଉଁଥିରେ ୧୮ ଜଣ କ୍ୟାବିନେଟ ମନ୍ତ୍ରୀ,୧୪ ଜଣ ରାଷ୍ଟ୍ରମନ୍ତ୍ରୀ ଏବଂ ୨୦ ଜଣ ସ୍ବାଧୀନ ମନ୍ତ୍ରୀ ଥିଲେ । ରାଜନୀତିରେ ଅପରାଧ ଉପରେ ନଜର ରଖୁଥିବା ସଂସ୍ଥା ଏଡିଆର୍ (ସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍) ଏବଂ ୟୁପି ଇଲେକ୍ସନ ଓ୍ବାଚ୍ ଏହି ୫୨ ମନ୍ତ୍ରୀଙ୍କ ମଧ୍ୟରୁ ୪୫ ଜଣଙ୍କ ସତ୍ୟପାଠର ତର୍ଜମା କରି ଏକ ରିପୋର୍ଟ ପ୍ରକାଶ କରିଛି। ଏହି ରିପୋର୍ଟ ଅନୁଯାୟୀ, ଏହି ୪୫ ମନ୍ତ୍ରୀଙ୍କ ମଧ୍ୟରୁ ପ୍ରାୟ ଅଧା (୪୯ ପ୍ରତିଶତ) ମନ୍ତ୍ରୀ ଅର୍ଥାତ୍ ୨୨ ଜଣ ମନ୍ତ୍ରୀଙ୍କ ବିରୋଧରେ ଗୁରୁତର ଅପରାଧିକ ମାମଲା ରହିଛି। ସମସ୍ତେ ନିଜ ସତ୍ୟପାଠରେ ଏହି ସୂଚନା ଦେଇଛନ୍ତି | ଏଥି ସହିତ ଏହି ୪୫ ମନ୍ତ୍ରୀଙ୍କ ମଧ୍ୟରୁ ପ୍ରାୟ ୮୭ ପ୍ରତିଶତ ମନ୍ତ୍ରୀ ଅର୍ଥାତ୍ ୩୯ ମନ୍ତ୍ରୀ ହେଉଛନ୍ତି କୋଟିପତି ।

ଯେଉଁ ମନ୍ତ୍ରୀଙ୍କ ସତ୍ୟପାଠର ତର୍ଜମା ହୋଇପାରି ନାହିଁ, ସେମାନେ ହେଉଛନ୍ତି ଜିତିନ ପ୍ରସାଦ, ସଞ୍ଜୟ ନିଶାଦ, ଜେପିଏସ ରାଠୋର, ନରେନ୍ଦ୍ର କାଶ୍ୟପ, ଦୀନେଶ ପ୍ରତାପ ସିଂହ, ଦୟାଶଙ୍କର ମିଶ୍ର ଦୟାଲୁ, ଜସୱନ୍ତ ସାଇନି ଏବଂ ଦାନିଶ ଆଜାଦ ଅନସାରୀ।

ଯେଉଁ ସଦସ୍ୟଙ୍କ ବିରୋଧରେ ଅପରାଧିକ ମାମଲା ଘୋଷିତ ହୋଇଛି ସେମାନେ ହେଉଛନ୍ତି ନନ୍ଦ ଗୋପାଳ ଗୁପ୍ତା ନନ୍ଦୀ, ଦୟା ଶଙ୍କର ସିଂହ, ମୟଙ୍କେଶ୍ୱର ଶରଣ ସିଂହ, କେଶବ ପ୍ରସାଦ ମୌର୍ଯ୍ୟ, ଭୁପେନ୍ଦ୍ର ଚୌଧୁରୀ, ରାକେଶ ସଚ୍ଚନ, କପିଲ ଦେବ ଅଗ୍ରୱାଲ, ରବିନ୍ଦ୍ର ଜୈସୱାଲ, ଯୋଗେନ୍ଦ୍ର ଉପାଧ୍ୟାୟ, ମନୋହର ଲାଲ, ଡକ୍ଟର ସୋମନ୍ଦ୍ର ସିଂହ ତୋମର, ଗିରିଶ ଚନ୍ଦ୍ର ଯାଦବ, ସଞ୍ଜୟ ସିଂ ଗଙ୍ଗୱାର, ଦୀନେଶ ଖତିକ, ଅନିଲ ରାଜଭର, ବ୍ରଜେଶ ସିଂହ, ସତୀଶ ଚନ୍ଦ୍ର ଶର୍ମା, ସୁରେଶ ରହୀ, ପ୍ରତୀକା ଶୁକ୍ଲା, ବିଜୟଲକ୍ଷ୍ମୀ ଗୌତମ, ରମେଶ ସିଂହ ଏବଂ ଧରମପାଲ ସିଂହ ।

ମନ୍ତ୍ରୀମାନଙ୍କର ଶିକ୍ଷାଗତ ଯୋଗ୍ୟତାର ବିଶ୍ଳେଷଣରୁ ଜଣାପଡିଛି ଯେ ଯୋଗୀ ମନ୍ତ୍ରିମଣ୍ଡଳରେ ନଅ (୨୦ ପ୍ରତିଶତ) ମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ଅଷ୍ଟମ ରୁ ଦ୍ୱାଦଶ ଶ୍ରେଣୀ। ଏହାଛଡ଼ା ୩୬ (୭୦ ପ୍ରତିଶତ) ମନ୍ତ୍ରୀ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଏବଂ ତଦୁର୍ଦ୍ଧ୍ୱ ବୋଲି ଘୋଷଣା କରିଛନ୍ତି | ଏହା ବ୍ୟତୀତ ୨୦ (୪୪ ପ୍ରତିଶତ) ମନ୍ତ୍ରୀ ଅଛନ୍ତି ଯାହାର ବୟସ ୩୦ ରୁ ୫୦ ବର୍ଷ ମଧ୍ୟରେ ଏବଂ ୨୫ ମନ୍ତ୍ରୀଙ୍କ (୫୬ ପ୍ରତିଶତ) ବୟସ ୫୧ ରୁ ୭୦ ବର୍ଷ ।