ମନସୁଖ ମାଣ୍ଡବ୍ୟ ଦେଶର ନୂଆ ସ୍ୱାସ୍ଥ୍ୟମନ୍ତ୍ରୀ, ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ ଓ ଧର୍ମେନ୍ଦ୍ରଙ୍କୁ ଶିକ୍ଷା ମନ୍ତ୍ରାଳୟ ଦାୟିତ୍ୱ | News Room Odisha

ମନସୁଖ ମାଣ୍ଡବ୍ୟ ଦେଶର ନୂଆ ସ୍ୱାସ୍ଥ୍ୟମନ୍ତ୍ରୀ, ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ ଓ ଧର୍ମେନ୍ଦ୍ରଙ୍କୁ ଶିକ୍ଷା ମନ୍ତ୍ରାଳୟ ଦାୟିତ୍ୱ

ନୂଆଦିଲ୍ଲୀ – ମୋଦି ମନ୍ତ୍ରିମଣ୍ଡଳର ସଂପ୍ରସାରଣ ଓ ଅଦଳବଦଳ ପରେ ବିଭାଗ ବଂଟନ ହୋଇଛି । କିଛି ପୁରୁଣା ମନ୍ତ୍ରୀଙ୍କ ବିଭାଗ ପରିବର୍ତ୍ତନ ହୋଇଛି । ମନ୍ତ୍ରିମଣ୍ଡଳରେ ଓଡିଶାରୁ ସ୍ଥାନ ପାଇଥିବା ଅଶ୍ୱିନୀ ବୈଷ୍ଣବଙ୍କୁ ନୂଆ ରେଳ ମନ୍ତ୍ରୀ ହୋଇଛନ୍ତି । ଆଇଟି ମନ୍ତ୍ରାଳୟ ବି ତାଙ୍କ ପାଖରେ ରହିବ । ମନସୁଖ ଭାଇ ମାଣ୍ଡଭ୍ୟ ହେଲେ ନୂଆ ସ୍ୱାସ୍ଥ୍ୟ ମନ୍ତ୍ରୀ । ସେ ସାର ଓ ରସାୟନ ମନ୍ତ୍ରାଳୟ ଦାୟିତ୍ୱରେ ବି ରହିବେ । କେନ୍ଦ୍ର ଗୃହ ମନ୍ତ୍ରୀ ନୂଆ ସମବାୟ ମନ୍ତ୍ରାଳୟ ଦାୟିତ୍ୱରେ ରହିବେ । ଧର୍ମେନ୍ଦ୍ର ପ୍ରଧାନ ଦେଶର ନୂଆ ଶିକ୍ଷା ମନ୍ତ୍ରୀ ହୋଇଛନ୍ତି । ହରଦୀପ ସିଂହ ପୁରୀଙ୍କୁ ପେଟ୍ରୋଲିୟମ ମନ୍ତ୍ରୀ କରାଯାଇଛି । ପୂର୍ବରୁ ରେଳ ମନ୍ତ୍ରୀ ଥିବା ପୀୟୂଷ ଗୋୟଲଙ୍କୁ ଏବେ ବୟନ ଶିଳ୍ପ ମନ୍ତ୍ରାଳୟ ଦିଆଯାଇଛି । ସ୍ମୃତି ଇରାନୀଙ୍କୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମିଳିଛି । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରାଳୟର ଦାୟିତ୍ୱ ପ୍ରଧାନମନ୍ତ୍ରୀ ନିଜ ପାଖରେ ରଖିବେ ।

ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଦିଆଯାଇଛି । ଭୂପେନ୍ଦ୍ର ଯାଦବଙ୍କୁ ନୂଆ ଶ୍ରମ ମନ୍ତ୍ରୀ ହୋଇଛନ୍ତି । ତାଙ୍କ ପାଖରେ ପରିବେଶ ମନ୍ତ୍ରାଳୟ ବି ରହିବ । ପୂର୍ବରୁ ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଥିବା ଅନୁରାଗ ଠାକୁରଙ୍କୁ ସୂଚନା ଓ ପ୍ରସାରଣ ମନ୍ତ୍ରୀ କରାଯାଇଛି । ସେ ମଧ୍ୟ କ୍ରୀଡା ମନ୍ତ୍ରାଳୟର ଦାୟିତ୍ୱ ବୁଝିବେ । ପ୍ରହଲ୍ଲାଦ ଯୋଶୀଙ୍କୁ କୋଇଲା ଓ ଖଣି ମନ୍ତ୍ରାଳୟ ଦିଆଯାଇଛି । ସର୍ବାନନ୍ଦ ସୋନୋୱାଲଙ୍କୁ ଜଳପଥ, ବନ୍ଦର ଓ ଆୟୁଷ ମନ୍ତ୍ରାଳୟ ମିଳିଛି ।