ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ୫୨ ମୃତ, ୩୦ରୁ ଊର୍ଦ୍ଧ୍ବ ଆହତ | News Room Odisha

ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ୫୨ ମୃତ, ୩୦ରୁ ଊର୍ଦ୍ଧ୍ବ ଆହତ

ଢାକା: ବାଂଲାଦେଶର ରାଜଧାନୀ ଢାକାରେ ଏକ ୬ ମହଲା ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୫୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୩୦ ଜଣ ଆହତ ହୋଇଛନ୍ତି । ଏବେ ବି ଅନେକ ଲୋକ ନିଖୋଜ ଅଛନ୍ତି। ଅନେକ ଲୋକ ନିଜ ଜୀବନ ବଞ୍ଚାଇବା ପାଇଁ ଜଳୁଥିବା କୋଠାରୁ ଡେଇଁ ପଡ଼ିଥିଲେ। ଫ୍ୟାକ୍ଟ୍ରିର ଉପର ମହଲାରେ ନିଆଁ ଲାଗିଯାଇଥିଲା। କେତେ ଲୋକ ଭିତରେ ଫସି ରହିଛନ୍ତି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ତେବେ ଯେଉଁମାନେ ନିଜ ଜୀବନ ବଞ୍ଚାଇ ବାହାରକୁ ଆସିବାରେ ସକ୍ଷମ ହୋଇଛନ୍ତି ସେମାନେ କହିଛନ୍ତି ଯେ ଭିତରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ବେଶ୍ କଷ୍ଟକର।

ଗୁରୁବାର ଅପରାହ୍ନ ପ୍ରାୟ ୫ଟାରେ ରୁପଗଞ୍ଜ ଅଞ୍ଚଳରେ ଥିବା ଏକ ମୃଦୁ ପାନୀୟ ଫ୍ୟାକ୍ଟ୍ରିରେ ଏହି ଅଗ୍ନିକାଣ୍ଡ ଘଟିଥିବା ପୋଲିସ କହିଛି। ଶୁକ୍ରବାର ଅପରାହ୍ନ ପର୍ଯ୍ୟନ୍ତ ନିଆଁକୁ ଆୟତ୍ତ କରାଯାଇପାରି ନାହିଁ। ଅଗ୍ନିଶମ ବିଭାଗ ଏବଂ ପୋଲିସ ଅଧିକାରୀ କହିଛନ୍ତି ଯେ ଏପର୍ଯ୍ୟନ୍ତ ୨୫ ଜଣଙ୍କୁ ଉଦ୍ଧାର କରାଯାଇଛି।ସେହି ଘଟଣାରେ କେତେ ଲୋକଙ୍କ ମୃତ୍ୟୁ ଘଟିଛି ସେ ବିଷୟରେ କିଛି କୁହାଯାଇପାରିବ ନାହିଁ। ନିଆଁକୁ ନିୟନ୍ତ୍ରଣକୁ ଆଣିବା ପରେ କାରଖାନା ଭିତରେ ସର୍ଚ୍ଚ ଅପରେସନ୍ କରାଯିବ।